ଧାନରୁଆ ମେସିନ୍ ସବ୍‌ସିଡି ଜାଲିଆତିର ପର୍ଦ୍ଦାଫାସ୍: ୪ ବର୍ଷରେ ୬ କୋଟି ଟଙ୍କା ହଡ଼ପ

ଭୁବନେଶ୍ବର : ଧାନରୁଆ ମେସିନ କିଣା ସବ୍‌ସିଡି ଜାଲିଆତିର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ୬ କୋଟି ଟଙ୍କାର ଏହି ଜାଲିଆତିର ମୁଖ୍ୟ କାର୍ପଟଦାର ବାଲେଶ୍ବରର ମା’ ତାରିଣୀ ଅଟୋ ଏଜେନ୍ସି ମାଲିକ ଶ୍ରୀନାଥ ରଣାଙ୍କୁ ଗିରଫ କରିଛି ଇଓଡବ୍ଲୁ। ତାଙ୍କ ନିକଟରୁ ବହୁ ଜାଲ୍‌ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ନକଲି କିଣାବିକାର ଦସ୍ତାବିଜ୍ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁସ୍ଥିତ ଭାରସୁପ୍ରିୟା ଆଗ୍ରୋଟେକ୍ ପ୍ରାଇଭେଟ ଲିମିଟେଡ କମ୍ପାନି ସାରା ଦେଶରେ ବିଭିନ୍ନ ସବ୍‌ସିଡି ସ୍କିମ୍‌ରେ ଧାନରୁଆ ମେସିନ୍ ଯୋଗାଇଥାଏ। ଭୁବନେଶ୍ବର ବରମୁଣ୍ଡାରେ ଏହାର ଏକ ଶାଖା ଅଫିସ ରହିଛି। ଓଡ଼ିଶାରେ ମଧ୍ୟ କମ୍ପାନି ସବ୍‌ସିଡି ଜରିଆରେ ଧାନରୁଆ ମେସିନ୍ ଯୋଗାଇଥାଏ। ଅଭିଯୁକ୍ତ ଶ୍ରୀନାଥ ରଣା ଏହି କମ୍ପାନିର ଓଡ଼ିଶାରେ ରିଜିଓନାଲ୍ ମ୍ୟାନେଜର ଭାବେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ କାମ କରୁଥିଲେ। ସେହିପରି କୃଷକମାନଙ୍କୁ ସବ୍‌ସିଡିରେ ଧାନରୁଆ ମେସିନ୍ ବିକ୍ରି ପାଇଁ ଶ୍ରୀନାଥ କମ୍ପାନି ପକ୍ଷରୁ ପ୍ରାଧୀକୃତ ଡିଲର୍ ମଧ୍ୟ ଥିଲେ। ସବ୍‌ସିଡିରେ ଧାନରୁଆ ମେସିନ୍ ବିକ୍ରି ପାଇଁ ଭାରସୁପ୍ରିୟା କମ୍ପାନିକୁ କୃଷି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ଲଗଇନ୍ ଆଇଡି ଓ ପାସଓ୍ଵର୍ଡ ମିଳିଥିଲା। ଯେହେତୁ ଶ୍ରୀନାଥ ରିଜିଓନାଲ୍ ମ୍ୟାନେଜର ଓ ଧାନରୁଆ ମେସିନ୍ ବିକ୍ରି ପାଇଁ ପ୍ରାଧୀକୃତ ଡିଲର ଥିଲେ, ତେଣୁ ଏହି ଆଇଡି ଓ ପାସଓ୍ଵର୍ଡ ବିଷୟରେ ସେ ଅବଗତ ଥିଲେ ଏବଂ ଏହାକୁ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସବ୍‌ସିଡି ଟଙ୍କା ହଡ଼ପ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ଏଥିରେ ତାଙ୍କ ସହ କେତେକ ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି। ସେ ରାଜ୍ୟର ୧୮ଟି ଜିଲ୍ଲାରୁ ନକଲି ବ୍ୟକ୍ତିଙ୍କ ଫଟୋ, ପରିଚୟପତ୍ର ସଂଗ୍ରହ କରି ଧାନରୁଆ ମେସିନ୍ ବିକ୍ରିର ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନିଜର ତାରିଣୀ ଅଟୋ ଏଜେନ୍ସି ଜରିଆରେ ଏଭଳି ଉପାୟରେ ୨୦୧୭ରୁ ୨୦୨୧ ଭିତରେ ୫ ଶହ ମେସିନ୍ ବିକ୍ରି କରିଥିଲେ ଶ୍ରୀନାଥ। ଏହି ମେସିନର ଜାଲ୍ ଇଞ୍ଜିନ୍ ଓ ଚେଚିସ୍ ନମ୍ବର ମଧ୍ୟ ପ୍ରସ୍ତୁତ କରିଥିଲେ। ଭାରସୁପ୍ରିୟା ଆଗ୍ରୋଟେକ୍ ସଂସ୍ଥାର ଆଇଡି, ପାସଓ୍ଵର୍ଡ ବ୍ୟବହାର କରି ସବସିଡି ପାଇଁ ଆବେଦନ କରୁଥିଲେ। ଯାହାକି ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନ୍‌ସଫର ଜରିଆରେ ସବ୍‌ସିଡି ଟଙ୍କା ତୁରନ୍ତ ମିଳୁଥିଲା। ଗୋଟିଏ ମେସିନ୍‌ର ଦାମ ୨.୮ଲକ୍ଷ ବା ୩ଲକ୍ଷ ଦାମ ହୋଇଥିବା ବେଳେ ଏଥିପାଇ ମେସିନ୍‌ ପିଛା ୯୩ ହଜାର ୨ ଶହ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳୁଥିଲା। ଯେଉଁମାନଙ୍କ ନାଁରେ ଜାଲ୍ କାଗଜପତ୍ର ପ୍ରସ୍ତୁତ ହେଉଥିଲା, ସେମାନଙ୍କୁ ୫ ହଜାରରୁ ୪୦ ହଜାର ଟଙ୍କା ଦିଆ ଯାଉଥିଲା। ଏହିଭଳି ଭାବରେ ୬ କୋଟି ଟଙ୍କା ହଡ଼ପ କରିଥିଲେ ଶ୍ରୀନାଥ। ଭାରସୁପ୍ରିୟା ଆଗ୍ରୋଟେକ୍ କମ୍ପାନି ସବ୍‌ସିଡି ଜାଲିଆତି ସମ୍ପର୍କରେ ଜାଣିବା ପରେ ଭରତପୁର ଥାନାରେ ଅଭିଯୋଗ କରିଥିଲା। ଭରତପୁର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାର ତଦନ୍ତଭାର ଇଓଡବ୍ଲୁ ନେଇଥିଲା। ଏହି ବଡ଼ଧରଣର ଜାଲିଆତିରେ ଆହୁରି ଅଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଇଓଡବ୍ଲୁ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର