ଅତାବିରା : ଚଳିତ ରବି ଫସଲ ପାଇଁ ପାଗ ଅନୁକୂଳ ହୋଇ ବମ୍ଫର ଫସଲ ଉତ୍ପାଦନ ହୋଇଥିଲା। ଜମିରେ ଧାନର ଢେଉ ଖେଳୁଥିଲା। ହେଲେ ମେ’ ମାସର ବର୍ଷାରେ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ଧାନ ଅଛି କିନ୍ତୁ ଅମଳ ହୋଇପାରୁନି। ଅମଳ ହେଲେ ତାକୁ ଭଲରେ ଶୁଖାଇ ପାରୁନି ଚାଷୀ। ଧାନ ଶୁଖାଇବାରେ ଦିନ ଦିନ ବିତିଯାଉଛି, ହେଲେ ଚାଷୀ ଧାନ ବିକ୍ରି କରିପାରୁନି। ଏପଟେ ୧୫ ଦିନର ଟୋକନ ଅବଧି, ଜଟିଳ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପେଷି ହୋଇଯାଇଛି। ଧାନ ଭିଜି ରହିଥିବାବେଳେ ପ୍ରତି ଦିନ ଟୋକନ୍ ଉଡ଼ିଯାଉଛି।
ଗତ ମେ’ ୫ ତାରିଖ ବରଗଡ଼ ଜିଲ୍ଲାରେ ମାର୍କେଟ୍ ଖୋଲିବା ତିନି ଦିନ ପରଠୁ ଅଦିନିଆ ବର୍ଷା ଆରମ୍ଭ ହୋଇଥିଲା। କ୍ରମାଗତ ବର୍ଷା ଚାଷୀଙ୍କୁ ହଇରାଣ କରିଲାଣି। ପରେ ‘ୟାସ୍’ ବାତ୍ୟା ପରଠୁ ଦୁଇ ଦିନର ବର୍ଷାରେ ଚାଷୀ ନୟାନ୍ତ ହୋଇଛି। ମୋଟାମୋଟି ଭାବେ ଧାନ ସଂଗ୍ରହ ଆରମ୍ଭଠୁ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ଅତାବିରା ନିୟନ୍ତ୍ରଣ ବଜାର କମିଟି ଅଧୀନରେ ଅଧା ଧାନ ବାକି ଥିବାବେଳେ ବହୁ ଚାଷୀ ଧାନ ଏବେ ବି ଧାନ କାଟି ନାହାନ୍ତି। ଚାଷ ଜମିରେ ଧାନ କେଣ୍ଡା ରହିଛି। କଟା ଧାନ ଗୁଡ଼ିକ ବର୍ଷା ପାଣିରେ ଭାସୁଛି। ଆର୍ଦ୍ରତା ଯୋଗୁଁ ଧାନକୁ ବସ୍ତାରେ ଭର୍ତ୍ତି କରି ମଣ୍ଡିକୁ ନେବା ଅସମ୍ଭବ। ଆର୍ଦ୍ରତା କମାଇବାକୁ ଚାଷୀ ଧାନ ଶୁଖାଉଛି, ହେଲେ ପୁଣି ବର୍ଷାରେ ଧାନ ଭିଜି ଯାଉଛି। ପଛୁଆ ଚାଷୀ ଆଗକୁ ଧାନ କାଟି ପାରିବେ କି ନାହିଁ, ଅନିଶ୍ଚିତତା ମଧ୍ୟରେ ଅଛନ୍ତି।
ଜୁନ ମାସରେ ମୌସୁମୀ ବର୍ଷା ଆରମ୍ଭ ହେବ। ଆଗକୁ ବିଲରୁ ଧାନ କାଟିବାକୁ ଚାଷୀ ଅସମର୍ଥ ହେବ। ଗତ ତିନି ଫସଲ ଋତୁରେ ଲକ୍ଡାଉନ୍ଜନିତ ଶ୍ରମିକ ସମସ୍ୟା ଯୋଗୁଁ ଧାନ କଟା ମାନ୍ଦା ରହିଛି। ଧାନ କଟା ମେସିନ ପର୍ଯ୍ୟାପ୍ତ ନଥିବାରୁ ବିଲମ୍ବ ହେଉଛି। ଜମିରେ ପାଣି ଭର୍ତ୍ତି ଥିବାରୁ ମେସିନ୍ ଯାଇ ପାରୁନାହିଁ। ବାହଲ, ବୁଡ଼ି ଅଂଚଳର ଧାନ ଅମଳ କିପରି ହେବ, ସେନେଇ ଅନିଶ୍ଚିତତାରେ ଚାଷୀ ଅଛି। ସେହିପରି ଏଥର ଟୋକନ ବ୍ୟବସ୍ଥାରେ ବହୁ ଚାଷୀ ସାମିଲ ହୋଇ ପାରୁ ନାହାନ୍ତି। ୧୦ ଦିନ ମଧ୍ୟରେ ମୌସୁମୀ ଆସିବା ବୋଲି ପାଣିପାଗ ପୂର୍ବାନୁମାନ ଥିବାବେଳେ ଏହି ସ୍ପଳ୍ପ ଅବଧି ଭିତରେ କିପରି ଧାନ ସଂଗ୍ରହ କରାଯିବ, ତାହା ସବୁଠୁ ବଡ଼ ଚିନ୍ତା। ଯୋଗାଣ ବିଭାଗ ଓ ସମବାୟ ବିଭାଗ ମଧେର ସମନ୍ବୟ ଅଭାବ ଯୋଗୁଁ ମିଲର୍ସଙ୍କୁ ପର୍ଯ୍ୟାପ୍ତ ଟ୍ୟାଗ୍ ମିଳିନାହିଁ। ଯାହାର ଟ୍ୟାଗ୍ ଅଛି ତାକୁ ଟାର୍ଗେଟ ଦିଆଯାଉ ନାହିଁ। ଥରେ ଟାର୍ଗେଟ ଆସିଲେ ୪/୫ ଦିନର ପୁଣି ଟାର୍ଗେଟ ଦିଆଯାଉଛି। ଟାର୍ଗେଟ ନ ଥିବା ସମୟରେ ବିଭାଗ-ବିଭାଗ ମଧ୍ୟରେ ସମନ୍ବୟ ନ ଥିବାରୁ ଚାଷୀଙ୍କ ଟୋକନ ଉଡ଼ିଯାଉଛି।