ବରଗଡ଼: ଦୁଇ ଦିନ ହେଲା କୋହଲା ପାଗ ଏବଂ ସାମାନ୍ୟ ବର୍ଷା ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ଚିନ୍ତାଜନକ କରିଦେଇଛି। କିଛି ଦିନ ବର୍ଷା ଛିଞ୍ଚିବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି। ତଥାପି ପ୍ରଶାସନ ପକ୍ଷରୁ କିଛି ଜରୁରୀ ବ୍ୟବସ୍ଥା ହେଲା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଫଳରେ ଏବେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଭିଜୁଛି। ଟୋକନ୍କୁ ନେଇ ଜିଲ୍ଲାରେ ବିଭ୍ରାଟ ପ୍ରଶମିତ ହୋଇନାହିଁ। ଚାଷୀଙ୍କ ଧାନ ମଣ୍ଡିରେ ଗଦା ହୋଇଛି। ସ୍ଥାନାଭାବରୁ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ମଣ୍ଡି ଗୋଦାମରେ ଖୁନ୍ଦାଖୁନ୍ଦି ହୋଇ ଧାନବସ୍ତା ରହିଛି। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ବିଭିନ୍ନ ଆର୍ଏମ୍ସି ଅଧୀନରେ ଥିବା ମାର୍କେଟୟାର୍ଡରେ ୬,୯୬,୮୭୯ ବସ୍ତା ଧାନ ପଡ଼ିଛି। ଯାହାର ପରିମାଣ ୩,୦୫,୩୨୩ କ୍ବିଣ୍ଟାଲ ହେବ। ଏଥିରୁ ଅତାବିରା ଆର୍ଏମ୍ସି ଅଧୀନରେ ୧,୧୫,୮୦୧ ବସ୍ତା, ବରଗଡ଼ ଆର୍ଏମ୍ସି ଅଧୀନରେ ୫୦,୦୦୪ ବସ୍ତା ଏବଂ ପଦ୍ମପୁର ଆର୍ଏମ୍ସି ଅଧୀନରେ ସର୍ବାଧିକ ୫,୩୧,୦୭୪ ବସ୍ତା ଧାନ ପଡ଼ିଛି। ଜିଲ୍ଲାରେ ଏଥର ନଭେମ୍ବର ୨୧ ତାରିଖରୁ ଧାନକିଣା ଆରମ୍ଭ ହୋଇଛି।
କିନ୍ତୁ ପ୍ରଶାସନ ସଂପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନାରେ ବ୍ୟସ୍ତ ରହି ଧାନକିଣା ପ୍ରକ୍ରିୟାକୁ ଅଣଦେଖା କରିଛି। ଫଳସ୍ବରୂପ ପଦ୍ମପୁରରେ ୨,୩୩,୧୨୩ କ୍ବିଣ୍ଟାଲ ଧାନ ପଡ଼ିରହିଛି। ଜିଲ୍ଲାରେ ଏଥର ୧,୩୯,୧୮୫ଜଣ ଚାଷୀ ଖରିଫ୍ ଧାନ ବିକିବାକୁ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏଯାଏ ୪୨,୭୧୩ଜଣ ଚାଷୀଙ୍କ ଧାନକିଣା ସରିଛି। ତେବେ ପାଖାପାଖି ୯୮ହଜାର ଚାଷୀଙ୍କ ଧାନ ଏଯାଏ ଉଠିନାହିଁ। ଏବେ ପ୍ରତିକୂଳ ପାଗ ଯୋଗୁଁ ଧାନ କଟ୍ନି ଛଟ୍ନି ପାଇଁ ପଥ ପରିଷ୍କାର ହୋଇଯାଇଛି। ମିଲର୍ମାନେ ପୂର୍ବରୁ ଗନିବ୍ୟାଗ୍ ଆଳରେ ଯାହା ଧାନ କାଟି ଦେଉଥିଲେ। ଧାନର ଆର୍ଦ୍ରତା ବଢ଼ୁଥିବା ଦର୍ଶାଇ କଟ୍ନି ଛଟ୍ନି ଆହୁରି ବଢ଼ିବା ଆଶଂକା ସୃଷ୍ଟି ହୋଇଛି। ଏହାବାଦ୍ ଅଣପଞ୍ଜୀକୃତ ଚାଷୀଙ୍କ ଧାନ ଅତି ଶସ୍ତା ଦରରେ ମିଲ୍କୁ କିଂବା ଖୋଲା ବଜାରକୁ ଆସିଛି। ଏଣେ ବର୍ଷା ଆଶଂକା କରି ଚାଷୀ ଚିନ୍ତାରେ। ଆର୍ଏମ୍ସି ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପଲିଥିନ୍ ଯୋଗାଇ ଦିଆଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ପଲିଥିନ୍ କିଣି ଧାନକୁ ସୁରକ୍ଷା ଦେଇଛି।
ବହୁ ମଣ୍ଡି କିଂବା କ୍ରୟକେନ୍ଦ୍ରରେ ସ୍ଥାୟୀ ଛାଉଣି ହୋଇପାରିଲା ନାହିଁ। କେବଳ କାମଚଳା ପାଇଁ କିଛି ସ୍ଥାନରେ ଆଜ୍ବେଷ୍ଟର୍ସ କରାଯାଇଛି। ମଣ୍ଡିରେ ଧାନକିଣା ମନ୍ଥର ହେଲେ ସବୁଠି ଧାନର ପାହାଡ଼ ଛିଡ଼ା ହୋଇଥାଏ। କିନ୍ତୁ ଏଥିରେ ସଂସ୍କାର ଆଣିବା ପାଇଁ ବର୍ତମାନ ଯାଏ କିଛି ପଦକ୍ଷେପ ହୋଇନାହିଁ। ଜିଲ୍ଲାରେ ରହିଛି ୭୩ଟି ସକ୍ରିୟ ମଣ୍ଡି। ଏହାବାଦ୍ ଖରିଫ୍ରେ ପାଖାପାଖି ୧୨୦ ଓ ରବିରେ ୧୫୦ କେନ୍ଦ୍ରରେ ଧାନକିଣା ଚାଲିଥାଏ। କିନ୍ତୁ ଏସବୁ ସ୍ଥାନରେ ଭିତ୍ତିଭୂମି କହିଲେ କିଛି ନାହିଁ। ସୂଚନା ମୁତାବକ, ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଚାଷୀମାନଙ୍କୁ ୨୪ ପ୍ରକାର ସୁବିଧା ଦେବା କଥା। ଏଥିରେ ଧାନ ସୁରକ୍ଷିତ ରଖିବା ସାଂଗକୁ ଚାଷୀଙ୍କ ସୁବିଧା ମଧ୍ୟ ରହିଛି। କିନ୍ତୁ ବରଗଡ଼ ଜିଲ୍ଲାର ମଣ୍ଡିଗୁଡ଼ିକରେ ମାତ୍ର ୫ରୁ ୭ ହଜାର କ୍ବିଣ୍ଟାଲ ଧାନ ରଖିବା କ୍ଷମତା ରହିଛି। ମଣ୍ଡି କିଂବା ଧାନକ୍ରୟ କେନ୍ଦ୍ରରେ ବିଜୁଳି ବି ରହୁନାହିଁ। କମ୍ପ୍ୟୁଟର୍ରେ ନେଟୱର୍କ ରହୁନି। ସ୍ଥିତି ଏଭଳି ଯେ, ଧାନ ଚୋରି ରୋକିବାକୁ ବି କିଛି ବ୍ୟବସ୍ଥା ନାହିଁ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ପଚରାଯିବାରୁ ମଣ୍ଡିଗୁଡ଼ିକରେ ଧାନକିଣା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଦିଗରେ ଆବଶ୍ୟକ ଦପଦେକ୍ଷ ପିଆଯାଉଛି ବୋଲି ସେ କହିଥିଲେ।