ମଣ୍ଡି ନଖୋଲି ଧାନ କିଣା ରୢାକେଟର ପର୍ଦ୍ଦାଫାସ୍ : ତାମିଲନାଡ଼ୁ ଧାନ ବୋଝେଇ ଟ୍ରକ୍‌ ଧରାପଡ଼ିଲା

କୋରେଇ : ଯାଜପୁର ଜିଲ୍ଲାରେ ଏଯାବତ ଗୋଟିଏ ମାତ୍ର ମଣ୍ଡି ଖୋଲିଛି। ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ଅଭାବରେ ପଡ଼ି ଚାଷୀ ସରକାରୀ ଧାର୍ଯ୍ୟ ଦରଠାରୁ ଢେର୍‌ କମ୍‌ ଦରରେ ଦଲାଲଙ୍କୁ ଧାନ ବିକି ଦେଉଛି। ଚାଷୀଙ୍କ ଆର୍ଥିକ ସଂକଟର ଫାଇଦା ଉଠାଇ ବାହାର ରାଜ୍ୟକୁ ଶହଶହ ଟ୍ରକ୍‌ ଧାନ ଚାଲାଣ କରାଯାଉଛି। ଏସଂକ୍ରାନ୍ତୀୟ ଖବର ବାରମ୍ବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଆଜି ତାମିଲନାଡ଼ୁ ନମ୍ବର ଥିବା ୮୦ କୁଇଣ୍ଟାଲ ଧାନ ବୋଝେଇ ଏକ ଟ୍ରକ (ଟିଏନ୍ ୨୯ବିଏଚ୦୭୬୮) କୁ କୋରେଇ ବିଡିଓ, ବ୍ଲକ ଯୋଗାଣ ଅଧିକାରୀ ଏବଂ ଥାନା ଅଧିକାରୀ ଚଢ଼ଉ କରି ଜବତ କରିଛନ୍ତି। ଏହି ଘଟଣା ଯୋଗୁଁ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ହେଉଥିବା ପ୍ରମାଣିତ ହୋଇଛି। ଏଥିସହ ଏହି କାରବାରରେ ଏକ ବଡ଼ଧରଣର ରୢାକେଟ କାମ କରୁଥିବା କୁହାଯାଉଛି। ଆଜି ଏହି ଜବତ ଧାନକୁ ଆଶୀର୍ବାଦ ରାଇସ୍ ମିଲକୁ ହସ୍ତାନ୍ତର କରାଯାଇଛି। ଧାନ ବିକି ଥିବା ଚ‌ାଷୀଙ୍କୁ ମଧ୍ୟ ସେମାନଙ୍କ ଉଚିତ ପ୍ରାପ୍ୟ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ପ୍ରଦାନ କରାଯାଇଛି।

ଆଜି ସକାଳେ ଚାରଦା ଗ୍ରାମର ଚାଷୀ ରବି ମଲିକ, ବିଜୟ ମଲିକ ଏବ˚ ଟିମା ମଲିକଙ୍କ ଠାରୁ ରସୁଲପୁର ବ୍ଲକ୍‌ର ମା’ ବାସୁଳେଇ ଟ୍ରେଡର ୮୦ କ୍ବିଣ୍ଟାଲ ଧାନ ୧୨୫୦ ଟଙ୍କା ଦରରେ କିଣିଥିଲେ। ଏହା ତାମିଲନାଡୁ ଚାଲାଣ ହେଉଥିବା ବେଳେ ହଠାତ୍‌ କୋରେଇ ବିଡିଓ ହେମନ୍ତ କୁମାର ବିହାରୀ ପହଞ୍ଚି ବ୍ଲକ୍‌ ଯୋଗାଣ ଅଧିକାରିଣୀ ଏମ୍‌. ଆକସ୍ମିକା ରାଉତରାୟଙ୍କୁ ଖବର ଦେଇଥିଲେ। ଏନେଇ ଟ୍ରେଡର କମ୍ପାନିର କର୍ମକର୍ତା ଗାଡି ନଛାଡିବା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓ ଶ୍ରୀ ବିହାରୀ କୋରେଇ ପୁଲିସ୍‌କୁ ଖବର ଦେବା ପରେ ଥାନାଧିକାରୀ ଚିନ୍ମୟୀ ସାହୁ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଧାନ ମିଲ୍‌କୁ ନେଇଥିଲେ ଜିଲ୍ଲାରେ ୧୨ଟି ଟ୍ରେଡର ବେଆଇନ୍‌ ଭାବେ ସରକାରୀ ଧାର୍ଯ୍ୟ ଠାରୁ କମ ଦାମରେ ଧାନ କିଣୁଛନ୍ତି। ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର