ପଡ଼ିଆବାହାଲ: ଦୁଲୁକୁଛି ମଥୁରା ନଗରୀ, ଆନନ୍ଦ ମୁଖର ହୋଇଛି ଗୋପପୁରୀ l ଗୋପପୁରରେ କୃଷ୍ଣଗୁରୁ ଭଜନ କୀର୍ତନ ସହ କୃଷ୍ଣ ବଳରାମ ନଗର ଭ୍ରମଣ ସହ ଗୋପୀବାଲାଙ୍କଠୁ ଦହି ଖାଇବା ଆଦି କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ଅଭିନୀତ ହୋଇଥିଲା l ଅନ୍ୟପକ୍ଷରେ କଂସ ମହାରାଜ ସଦଳବଳେ ପାତ୍ର ମନ୍ତ୍ରୀଙ୍କ ସହ କୁସନପୁରୀ ଗ୍ରାମ ପରିକ୍ରମା କରିଥିଲେ l ପରୀକ୍ଷିତ ନାୟକ ଓ ସସ୍ମିତା ଦେହୁରୀଙ୍କ ନେତୃତ୍ୱର ପ୍ରତ୍ୟେକ ଘର ସମ୍ମୁଖରେ ଦୀପ ଜାଳି କଂସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କଂସ ଦରବାରରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁଦୃଶ୍ୟ ନାଚ ଦର୍ଶକଙ୍କ ମନ ମୋହିଥିଲା। ପୁତନା ବଧ ଖବର ପାଇ କଂସ ମହାରାଜ ବିଚଳିତ ହେବା ସହିତ ମନ୍ତ୍ରଣାପୂର୍ବକ ଅଷ୍ଟମଲ୍ଲଙ୍କୁ କୃଷ୍ଣ ବଳାରାମଙ୍କ ନିଧନ ପାଇଁ ଗୋପପୁରୀକୁ ପଠାଇଥିଲେ l
‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧନୁଯାତ୍ରା ଆୟୋଜନ ମାଧ୍ୟମରେ ଲୋକକଳା, ସଂସ୍କୃତି ଓ ଧାର୍ମିକ ପରମ୍ପରାକୁ ଉଜ୍ଜ୍ବୀବିତ ରଖିବାର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ l ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘର ପୂର୍ବତନ ନେତା ଦିଲୀପ କୁମାର ପଣ୍ଡା କଳାକାର ଓ କାର୍ଯ୍ୟକ୍ରମର ଆୟୋଜକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଗୋପାଳମଣି ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ମହାରାଜ କଂସଙ୍କ ଦରବାରରେ ନିୟତି ମଗର ଓ ସାଥୀ, ସତ୍ୟମ୍ ଏକାଡେମୀ, ଦୟାନନ୍ଦ ପବ୍ଲିକ ସ୍କୁଲ, ମେଗା ମାଇଣ୍ଡ ସ୍କୁଲର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଡାକ୍ତର ରାଜାରାମ ଷଡ଼ଙ୍ଗୀ ଅତିଥି ପରିଚୟ ଦେଇଥିଲା ବେଳେ ସଂଜୀବ ଭୋଇ ପରିଚାଳନାରେ ସହଯୋଗ କରିଥିଲେ। ଆଜି ଧନୁଯାତ୍ରା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଜନ ସମାଗମ ହୋଇଥିଲେ।