ଓଡ଼ିଶାର ଡାକ୍ତରଙ୍କୁ ସ୍ୱୀକୃତିରେ ଏ ଅବହେଳା କାହିଁକି? ୬୬ ବର୍ଷ ଭିତରେ ଜଣେ ବି ପାଇନାହାନ୍ତି ‘ପଦ୍ମ ସମ୍ମାନ’

କଟକ, (କୃଷ୍ଣ ପ୍ରସାଦ ଦାସ): ଜାତୀୟ, ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ଡାକ୍ତରଙ୍କର ଲମ୍ବା ନାମ ତାଲିକା ରହିଛି। କିନ୍ତୁ ଦେଶରେ ‘ପଦ୍ମ ସମ୍ମାନ’ ପ୍ରଦାନର ୬୬ ବର୍ଷ ଭିତରେ ଓଡ଼ିଶାରେ କାର୍ଯ୍ୟ କରିଥିବା ଜଣେ ବି ଓଡ଼ିଆ ଡାକ୍ତର ଏହି ସମ୍ମାନ ପାଇ ପାରି ନାହାନ୍ତି। ଓଡ଼ିଶାରେ ରହି ଓଡ଼ିଶା ଲୋକଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କରିଥିବା ଅନେକ ପ୍ରଖ୍ୟାତ ଡାକ୍ତରଙ୍କ ପ୍ରତି ଇଏ ଅବହେଳା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଏବେ ବିତର୍କର ପ୍ରସଙ୍ଗ ହୋଇଛି। ଏଯାଏ ମାତ୍ର ୫ ଜଣ ଓଡ଼ିଆ ଡାକ୍ତର ‘ପଦ୍ମ ସମ୍ମାନ’ ପାଇଥିବାବେଳେ ସମସ୍ତେ କିନ୍ତୁ ରାଜ୍ୟ ବାହାରେ ରହି ଚିକିତ୍ସା କ୍ଷେତ୍ରରେ ନିଜର ଅବଦାନ ରଖିଛନ୍ତି।

ବିଭିନ୍ନ କ୍ଷେତ୍ରରେ ପ୍ରତିଭାସଂପନ୍ନ ବ୍ୟକ୍ତିବିଶେଷଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ, ‘ପଦ୍ମଭୂଷଣ, ‘ପଦ୍ମବିଭୂଷଣ ଭଳି ସମ୍ମାନ ପ୍ରତ୍ୟେକ ବର୍ଷ ଦେଇ ଆସୁଛନ୍ତି। ୧୯୫୪ରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଥିବା ବେଳେ ୪ ହଜାର ୭୨୦ରୁ ଅଧିକ ବ୍ୟକ୍ତି ବିଶେଷ ଏହି ସମ୍ମାନ ପାଇ ସାରିଲେଣି। କଳା, ସଂସ୍କୃତି, ସାହିତ୍ୟ, ଚିକିତ୍ସା, କ୍ରୀଡା, ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ରତା ପ୍ରତିପାଦନ କରିଥିବା ବ୍ୟକ୍ତିଙ୍କୁ ‘ପଦ୍ମ ସମ୍ମାନ’ ପାଇଁ ଚୟନ କରାଯାଉଥିବା ବେଳେ ଅନେକ ଓଡ଼ିଆ ବି ଏହି ସମ୍ମାନ ହାସଲର ଗୌରବ ଅର୍ଜନ କରିଛନ୍ତି। କିନ୍ତୁ ଚିକିତ୍ସା କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ଏହି ୬୬ ବର୍ଷ ଭିତରେ ଦେଶର ୪୪୦ ଜଣ ଡାକ୍ତର ‘ପଦ୍ମ ସମ୍ମାନ ପାଇ ସାରିଥିଲେ ବି ଓଡ଼ିଶାର ଭାଗ ସେଥିରେ ଶୂନ। ବର୍ଷକୁ ହାରାହାରି ଭାବେ ୬/୭ ଜଣ ଡାକ୍ତର ‘ପଦ୍ମ ସମ୍ମାନ’ ପାଇଁ ମନୋନୀତ ହେଉଛନ୍ତି। କିନ୍ତୁ ଓଡ଼ିଶା ରାଜ୍ୟରୁ ଜଣେ ବି ଡାକ୍ତରଙ୍କ ନାମ ସେଥିରେ ନ ରହିବା କ୍ଷୋଭର କାରଣ ହୋଇଛି। ଯେଉଁ ୫ ଜଣ ଓଡ଼ିଆ ଡାକ୍ତରଙ୍କ ନାମ ଏଥିରେ ରହିଛି ସେମାନେ ସମସ୍ତେ ରାଜ୍ୟ ବାହାରେ ପ୍ରତିଷ୍ଠିତ। ଅର୍ଥାତ ବାହାର ରାଜ୍ୟର ତାଲିକାରେ ସେମାନଙ୍କ ନାମ ଯାଉଛି। ‘ପଦ୍ମଭୂଷଣରେ ସମ୍ମାନିତ ଯାଜପୁରରେ ଜନ୍ମିତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଦିଲ୍ଲୀରେ ରହିବା ସହିତ ସେଠାରେ କାର୍ଯ୍ୟ କରି ଆସୁଛନ୍ତି। ଅନ୍ୟ ଯେଉଁ ୪ ଜଣ ‘ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀରେ କାର୍ଯ୍ୟରତ ବାଲେଶ୍ବରର ମୂଳ ବାସିନ୍ଦା ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଲିଭର ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ପିଜିଆଇ, ଚଣ୍ଡୀଗଡରେ କାର୍ଯ୍ୟରତ ସୁନ୍ଦରଗଡର ମୂଳ ବାସିନ୍ଦା ୟୁରୋଲୋଜି ବି‌ଶେଷଜ୍ଞ ଡାକ୍ତର ମୁକୁଟ ମିଞ୍ଜ, ପିଜିଆଇ, ଚଣ୍ଡୀଗଡରେ କାର୍ଯ୍ୟରତ କଟକର ମୂଳବାସିନ୍ଦା କର୍କଟ ରୋଗ ବି‌ଶେଷଜ୍ଞ ଡାକ୍ତର ଦିଗମ୍ବର ବେହେରା ଓ ହାଇଦ୍ରାବାଦ ଏଲ.ଭି.ପ୍ରସାଦରେ କାର୍ଯ୍ୟରତ ସମ୍ବଲପୁରର ମୂଳ ବାସିନ୍ଦା ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାରା ପ୍ରସାଦ ଦାସ।

Portrait an unknown male doctor holding a stethoscope behind

କିନ୍ତୁ ରାଜ୍ୟ ବାହାରେ ଏମିତିକି ବିଦେଶରେ ରହି କାର୍ଯ୍ୟ କରିବାର ସୁଯୋଗ ଥାଇ ବି ଯେଉଁ ପ୍ରଖ୍ୟାତ ଚିକିତ୍ସିକ ମାନେ ଓଡ଼ିଶାକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ବି ଏହି ତାଲିକାରେ ସ୍ଥାନ ପାଇ ପାରି ନାହିଁ। ସେଭଳି ଅନେକ ପ୍ରଖ୍ୟାତ ଚିକିତ୍ସକ ଏବେ ଦିବଂଗତ। ମେଡିସିନ ଚିକିତ୍ସା କ୍ଷେତ୍ରରେ ସ୍ବତନ୍ତ୍ରତା ରଖିଥିବା ସ୍ବର୍ଗତ ପ୍ରଫେସର ବିଭୂତିଭୂଷଣ ତ୍ରିପାଠୀ ହୁଅନ୍ତୁ, ଅର୍ଥୋପେଡିକ ଚିକିତ୍ସାର ଜନକ କୁହାଯାଉଥିବା ସ୍ବର୍ଗତ ପ୍ରଫେସର ‌ପି. ତେଜେଶ୍ବର ରାଓ ହୁଅନ୍ତୁ ଅଥବା ନ୍ୟୁରୋ ସର୍ଜରି ଚିକିତ୍ସାର ଜନକ ସ୍ବର୍ଗତ ପ୍ରଫେସର ସନାତନ ରଥ ହୁଅନ୍ତୁ…‘ପଦ୍ମଶ୍ରୀ ସମ୍ମାନ ପାଇଁ ଏମାନଙ୍କ ଯୋଗ୍ୟତା ସନ୍ଦେହ ତଥା ବିତର୍କର ବାହାରେ। ଜାତୀୟସ୍ତରରେ ଖ୍ୟାତି ସଂପନ୍ନ ରାଜ୍ୟରେ ହୃଦରୋଗ ଚିକିତ୍ସା ବ୍ୟବସ୍ଥାର ଜନକ କୁହାଯାଉଥିବା ପ୍ରଫେସର ଜେ.ପି.ଦାସ, କର୍କଟ ରୋଗ ସର୍ଜରିରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରଫେସର କୃପାସିନ୍ଧୁ ପଣ୍ଡା, ନ୍ୟୁରୋ ସର୍ଜରି ବିଶେଷଜ୍ଞ ପ୍ରଫେସର ଭବାନୀ ଶଙ୍କର ଦାସ, ପ୍ରଫେସର ଅଶୋକ ମହାପାତ୍ର, ସ୍ତ୍ରୀ-ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଭଳି ରାଜ୍ୟର ଅନେକ ନାମ ବି ଏଯାଏ କେନ୍ଦ୍ର ସରକାରଙ୍କ ବିଚାରକୁ ଆସି ପାରି ନାହିଁ। ଅବହେଳାର ଏହି ତାଲିକା ଲମ୍ବିବା ପୂର୍ବରୁ କେନ୍ଦ୍ର ସରକାର ଏହାକୁ ବିଚାର କରିବା ଆବଶ୍ୟକ। ରାଜ୍ୟ ସରକାର ବି ଏଥିପାଇଁ ସ୍ବତନ୍ତ୍ର ଦାବି ରଖିବା ଉଚିତ।

ସମ୍ବନ୍ଧିତ ଖବର