୪ ଓଡ଼ିଆଙ୍କ ସମେତ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଆଜି ପଦ୍ମ ସମ୍ମାନ ଘୋଷଣା କରିଛନ୍ତି। ୪ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇ ଥିବାବେଳେ ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଚିକିତ୍ସା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ବେସାମରିକ ସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ଦିଆଯାଇଛି।
ପଦ୍ମ ବିଭୂଷଣ ପାଇଥିବା ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଲୋକନୃତ୍ୟ ଶିଳ୍ପୀ ତେଜନ୍ ବାଇ (ଛତିଶଗଡ଼), ଆଫ୍ରିକୀୟ ଦେଶ ଡିବୁଟିର ରାଷ୍ଟ୍ରପତି ଇସମାଇଲ ଓମର ଗୁ‌ଏଲା, ଏଲ ଆଣ୍ଡ ଟିର ଅଧ୍ୟକ୍ଷ ଅନିଲକୁମାର ମିଣିଭାଇ ନାଏକ, ଲେଖକ ବଲୱନ୍ତ ମୋରେଶ୍ବର ପୁରନ୍ଦରେ ରହିଛନ୍ତି। ଅର୍ଥାତ୍ ଚଳିତବର୍ଷ ପଦ୍ମ ବିଭୂଷଣ ପାଇଥିବା ୪ଜଣଙ୍କ ମଧ୍ୟରୁ ଜଣେ ବିଦେଶୀ ଥିବା ବେଳେ ୩ ଜଣ ଭାରତୀୟ ଅଛନ୍ତି।

ସେହିଭଳି ପଦ୍ମ ଭୂଷଣ ଉପାଧିରେ ଭୂଷିତ ହୋଇଥିବା ୧୪ ଜଣ ପ୍ରଖ୍ୟାତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ ଜଣ ବିଦେଶୀ ଥିବାବେଳେ ୧୨ ଜଣ ଭାରତୀୟ ରହିଛନ୍ତି। ୧୪ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଇସ୍ରୋର ବୈଜ୍ଞାନିକ ନାମ୍ବି ନାରାୟଣନ, ଲୋକସଭାର ପୂର୍ବତନ ଉପ ବାଚସ୍ପତି କାରିଆ ମୁଣ୍ଡା, ଅଭିନେତା ମୋହନଲାଲ, ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତଃ କୁଲଦୀପ ନାୟାର, ବିଶିଷ୍ଟ ପର୍ବତାରୋହୀ ବଚେନ୍ଦ୍ରୀ ପାଲ, ଲୋକସଭା ଏମପି ହୁକୁମଦେବ ନାରାୟଣ ଯାଦବ। ଆମେରିକାର ଜନ୍ ଚାମ୍ବର୍ସ (ଶିଳ୍ପ ଓ ବାଣିଜ୍ୟ) ଏବଂ ଦକ୍ଷିଣ ଆଫ୍ରିକାର ପ୍ରବୀଣ ଗୋର୍ଧନ (ସର୍ବସାଧାରଣ କାର୍ଯ୍ୟ) ଏହି ତାଲିକାରେ ରହିଛନ୍ତି।

ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଅନ୍ୟ ଭାରତୀୟମାନେ ହେଲେ ପଞ୍ଜାବର ସୁଖଦେବ ସିଂହ ଧିଣ୍ଡସା (ସର୍ବସାଧାରଣ କାର୍ଯ୍ୟ), ଦିଲ୍ଲୀର ମହାଶୟ ଧରମ ପାଲ ଗୁଲାଟି (ବାଣିଜ୍ୟ ଓ ଶିଳ୍ପ), ହରିୟାଣାର ଦର୍ଶନ ଲାଲ ଜୈନ (ସମାଜ ସେବା), ମହାରାଷ୍ଟ୍ରର ଅଶୋକ ଲକ୍ଷ୍ମଣରାଓ କୁକାଡ଼େ (ଔଷଧ-ସୁଲଭ ସ୍ବାସ୍ଥ୍ୟସେବା), ପଶ୍ଚିମବଙ୍ଗର ବୁଦ୍ଧାଦିତ୍ୟ ମୁଖାର୍ଜୀ (କଳା ଓ ସଂଗୀତ), କେରଳର ମୋହନଲାଶ ବିଶ୍ବନାଥନ ନାୟାର (ବିଜ୍ଞାନ ଓ ଇଞ୍ଜିନିୟରିଂ-ମହାକାଶ), ଦିଲ୍ଲୀର ଭି କେ ସୁଙ୍ଗଲୁ (ସରକାରୀ ସେବା) ଏବଂ ବିହାରର ହୁକୁମ ନାରାୟଣ ଯାଦଦ( ସର୍ବସାଧାରଣ କାର୍ଯ୍ୟ)।

ସେହିଭଳି ପୂର୍ବତନ ସିନେ ଅଭିନେତା କାଦର ଖାନ୍, କ୍ରିକେଟ ଖେଳାଳି ଗୌତମ ଗମ୍ଭୀର ଏବଂ ପୂର୍ବତନ କୂଟନୀତିଜ୍ଞ ଏସ. ଜୟଶଙ୍କରଙ୍କ ସମେତ ୯୪ ଜଣଙ୍କୁ ପଦ୍ମଶ୍ରୀ ଉପାଧି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅଭିନେତା ମନୋଜ ବାଜପେୟୀ, ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, କୋରିଓଗ୍ରାଫର/ଡାଇରେକ୍ଟର ପ୍ରଭୂ ଦେବା, କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଏବଂ କସ୍ତୁଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ରହିଛନ୍ତି।

ଏତଦ୍‌ବ୍ୟତୀତ ଗୀତା ମେହେଟ୍ଟାଙ୍କୁ ମିଶାଇ ୪ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟମାନେ ହେଲେ ସାମାଜିକ ସେବା ପାଇଁ ଦୈତାରୀ ନାୟକ, କୃଷି ପାଇଁ କମଳା ପୂଜାରୀ ଏବଂ ସମାଜ ସେବା ପାଇଁ ଦେବରାପଲ୍ଲୀ ପ୍ରକାଶ ରାଓ (ସମାଜସେବା)। ଗୀତା ମେହେଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ହୋଇଥିବା ବେଳେ ସେ ବିଦେଶୀ(ଆମେରିକା) ଭାବେ ଏହି ସମ୍ମାନ ପାଇଛନ୍ତି। ଶ୍ରୀମତୀ ମେହେଟ୍ଟାଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି।

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଗୀତା ମେହେଟ୍ଟା
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୀତା ମେହଟ୍ଟା ପାଇବେ ପଦ୍ମଶ୍ରୀ ସମ୍ମାନ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଶ୍ରୀମତୀ ମେ‌େହଟ୍ଟା ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଚର୍ଚା ଆରମ୍ଭ ହୋଇଯାଇଛି। ଆମେରିକାରେ ରହୁଥିବାରୁ ଜଣେ (ବିଦେଶୀ) ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାତ୍ର ସେ ମୂଳତଃ ଏକ ଓଡ଼ିଆ ପରିବାରର ହୋଇଥିବାରୁ ଓଡ଼ିଶାରୁ ୩ ଜଣ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଥିଲେ ହେଁ ୪ ଓଡ଼ିଆଙ୍କୁ ଏହି ସମ୍ମାନ ମିଳିବା ରାଜ୍ୟ ପାଇଁ ଖୁସି ଆଣି ଦେଇଛି। ସେ କର୍ମା କୋଲା, ଏ ରିଭର ସୂତ୍ର, ଏଟର୍ଣ୍ଣାଲ୍‌ ଗଣେଶା ଭଳି ପୁସ୍ତକ ରଚନା କରିଛନ୍ତି। ତାଙ୍କର ବହି ୨୧ଟି ଭାଷାରେ ଅନୁବାଦ ହୋଇଥିବା ବେଳେ ୟୁରୋପ, ଆମେରିକା ଓ ଭାରତରେ ‌ବେଷ୍ଟ୍‌ ସେଲର ତାଲିକାଭୁକ୍ତ ହୋଇପାରିଛି। ତାଙ୍କ ଲେଖାଗୁଡ଼ିକ ମୁଖ୍ୟତଃ ଭାରତ, ଏହାର ସଂସ୍କୃତି, ଇତିହାସ ଏବଂ ପାଶ୍ଚାତ୍ୟ ଚିନ୍ତାଧାରା ଉପରେ ପର୍ଯ୍ୟ‌େବସିତ।
ଶ୍ରୀମତୀ ମେ‌‌େହଟ୍ଟା ୟୁକେର କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଛନ୍ତି। ଏଥିସହ ଅନେକ ଟିଭି ଡକ୍ୟୁମେଣ୍ଟାରିର ପ୍ରଯୋଜନା ଓ ନିର୍ଦେଶନା ଭାର ତୁଲାଇଛନ୍ତି। ବାଂଲାଦେଶ ଯୁଦ୍ଧ ଓ ଭାରତ ପାକିସ୍ତାନ ଯୁଦ୍ଧ ସହ ଭାରତର କିଛି ରୋଚକ କଥାବସ୍ତୁକୁ ନେଇ ସେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି।

କମଳା ପୂଜାରୀ
କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀଙ୍କ ଅବଦାନ ମଧ୍ୟ କମ୍‌ ନୁହେଁ। ଜଣେ ଆଦିବାସୀ ଅଶିକ୍ଷିତ ମହିଳା ହୋଇଥିଲେ ହେଁ, ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧୦୦ କିସମର ଧାନକୁ ଏଯାବତ ସଂରକ୍ଷିତ ରଖିଛନ୍ତି। ଖାଲି ନିଜେ ନିଜକୁ ଗରିମାମୟ କରିନାହାନ୍ତି, ବରଂ ରାସାୟନିକ ସାରରୁ ଦୂରେଇ ରହି ଜୈବିକ ସାର ବିନିଯୋଗ କରିବା ପାଇଁ ଗାଁ’ର ଲୋକମାନଙ୍କୁ ବୁଝାଇଛନ୍ତି। ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍‌ ଇନିସିଏଟିଭ୍‌ ସମ୍ମାନ’ ଅର୍ଜନ କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ଚଳିତ ବର୍ଷ ସେ ପଦ୍ମଶ୍ରୀ ଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।
ଅନ୍ୟପକ୍ଷରେ, ଗୋଟିଏ ପଟେ ପଦ୍ମଶ୍ରୀ ପାଇଁ କମଳା ପୂଜାରୀ ‌ମନୋନୀତ ହୋଇଥିବା ବେଳେ ଆରପଟେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୪ଘଣ୍ଟା ଧରି ତାଙ୍କୁ ନିରୀକ୍ଷଣରେ ରଖିବା ପରେ ପରବର୍ତୀ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ଦୈତାରୀ ନାୟକ
ଅଖ୍ୟାତ ପଲ୍ଲୀର ଜଣେ ଅଜଣା ଅଶୁଣା ବ୍ୟକ୍ତି ଏବେ ବିଖ୍ୟାତ ହୋଇଯାଇଛନ୍ତି। ତାଙ୍କ ନାଁକୁ ନେଇ ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା। ଦିନେ ପାହାଡ଼ କାଟି ଗାଁକୁ କେନାଲ ଖୋଳିଥିଲେ ଦୈତାରୀ ନାୟକ। ଏବେ ତାଙ୍କ ନାଁ ଆଗରେ ଯୋଡ଼ି ହୋଇଯାଇଛି ପଦ୍ମଶ୍ରୀ।
କେନ୍ଦୁଝର ଜିଲ୍ଲା ନିପଟ ମଫସଲ ବା˚ଶପାଳ ବ୍ଲକର ଗୋନାସିକା ପଞ୍ଚାୟତର ତଳ ବୈତରଣୀ ଗାଁର ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦୈତାରୀ ନାଏକଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ। ଆଜି ଏଥିନେଇ ଘୋଷଣା ହୋଇଛି। ଏହି ଖବର ମିଳିବା ପରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। କେନ୍ଦୁଝର ଜିଲ୍ଲା ବା˚ଶପାଳ ବ୍ଲକ ତଳବୈତରଣୀ ଗ୍ରାମର ଦୈତାରୀ ନାଏକ ଗୋନାସିକା ପାହାଡ ତଳେ ରହିଛି ତଳ ବୈତରଣୀ ଗାଁ। ଏହି ଗାଁର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ। ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସ˚ଘର୍ଷ କରିଥାନ୍ତି। ତେବେ ତଳ ବୈତରଣୀ ଗାଁର ଆଦିବାସୀ ସ˚ପ୍ରଦାୟର ଦୈତାରୀ ନାଏକଙ୍କୁ ଏହା ଖୁବ୍‌ ବାଧିଥିଲା। ଫଳରେ ସେ ଗୋନାସିକା ପାହାଡରେ ବହି ଯାଉଥିବା ବୈତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇ ଥିଲେ। ଏ ସ˚ପର୍କରେ ସମ୍ବାଦରେ ପ୍ରଥମେ ଗତ ଜୁନ୍‌ ୧୮ ତାରିଖରେ ‘କେନ୍ଦୁଝରର ମାଂଝୀ ଦୈତରୀ’ ଶୀର୍ଷକରେ ଏକ ସ୍ବତନ୍ତ୍ର ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟ ଏବ˚ ଦେଶର ନଜର ପଡ଼ିଥିଲା ଦୈତାରୀଙ୍କ ଉପରେ।

ଡି.ପ୍ରକାଶ ରାଓ
ସ୍ବତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ, ୨୧୮ ଥର ରକ୍ତଦାନ କରି ରେକର୍ଡ କରିଥିବା ଡି. ପ୍ରକାଶ ରାଓଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ହେଉଛନ୍ତି ବଡ। ମାତ୍ର ଏକାଦଶ ଯାଏ ପାଠ ପଢିଥିବା ଶ୍ରୀ ରାଓ କହିଛନ୍ତି ଯେ ୪୨ ଟଙ୍କା ଦେଇ ସେତେବେଳେ ଫର୍ମ ପୂରଣ କରିବାର ସାମର୍ଥ୍ୟ ନଥିବାରୁ ସେ ପାଠପଢା ଛାଡି ଦେଇଥିଲେ। ପରେ ସେ ନିଆରା ଢଙ୍ଗରେ ଚା’ ବିକ୍ରି କରି ରୋଜଗାର କରିବା ସହ ପରିବାରର ଦାୟିତ୍ବ ନେଇଥିଲେ। ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ଅଶା ଓ ଆଶ୍ବସନା ନାମରେ ସ୍କୁଲ କରି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ ଦାନ କରି ସାରିଥିବା ଶ୍ରୀ ରାଓ କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଗଲା ୧୯ ତାରିଖରେ ଅନୁଷ୍ଠିତ ଏକ ରକ୍ତଦାନ ଶିବିରରେ ମଧ୍ୟ ଶ୍ରୀ ରାଓ ଉପସ୍ଥିତ ରହି ରକ୍ତଦାନ କରିଥିଲେ।
ଶ୍ରୀ ରାଓଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପି. ବିଜୟଲକ୍ଷ୍ମୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟା। ପି. ବିଜୟଲକ୍ଷ୍ମୀ ଏବେ କଟକ ବଡ ମେଡିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮, ମେ’ ୨୬ରେ କଟକ ଆସିଥିବା ‌ସମୟରେ ଶ୍ରୀ ରାଓଙ୍କୁ ସ୍ବତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନି ବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି।

ସମ୍ବନ୍ଧିତ ଖବର