ଓଡ଼ିଶାର ଡାକ୍ତରଙ୍କୁ ଅବହେଳା, ଖୋଲିବକି ୬୬ ବର୍ଷର ‘ଲକ୍’?

କଟକ : କଳା, ସଂସ୍କୃତି, କ୍ରୀଡା, ସାହିତ୍ୟ, ସମାଜସେବା… ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାକୁ କର୍ମଭୂମି କରିଥିବା ବ୍ୟକ୍ତିବିଶେଷଙ୍କୁ ମିଳି ସାରିଛି ‘ପଦ୍ମ’ ସମ୍ମାନ। କିନ୍ତୁ ‘ପଦ୍ମ’ ସମ୍ମାନ ପ୍ରଦାନର ୬୬ ବର୍ଷ ଭିତରେ ଓଡ଼ିଶାକୁ କର୍ମଭୂମି କରିଥିବା ଜଣେ ବି ଡାକ୍ତର ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରି ନାହାନ୍ତି। ଜାତୀୟ, ଅର୍ନ୍ତଜାତୀୟ କ୍ଷେତ୍ରରେ ପରିଚୟ ଆଉ ସମ୍ମାନ ସାଉଁଟି ପାରିଥିବା ଓଡ଼ିଶାରେ କାର୍ଯ୍ୟରତ ଡାକ୍ତରଙ୍କ ଅଭାବ ନାହିଁ। କିନ୍ତୁ କ’ଣ ପାଇଁ ଏ ଅବହେଳା? ‘ପଦ୍ମ’ ସମ୍ମାନର ମାପଦଣ୍ଡରେ କ’ଣ ୬୬ ବର୍ଷ ଭିତରେ ଓଡ଼ିଶାରେ ରହି କାର୍ଯ୍ୟ କରିଥିବା ଜଣେ ବି ଡାକ୍ତର ଉତୁରି ପାରିଲେ ନାହିଁ? ଅନେକ ପ୍ରଖ୍ୟାତ ଡାକ୍ତର ଏ ସମ୍ମାନରୁ ବଂଚିତ ହୋଇ ଦିବଗଂତ ହେଲେଣି। ଓଡ଼ିଶାର ପ୍ରଖ୍ୟାତ ଡାକ୍ତରମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ସମ୍ମାନ ଆଉ ସ୍ବୀକୃତି ମିଳୁ ଏହାକୁ ନେଇ କୌଣସି ମହଲରେ ବି ଦ୍ବିମତ ନାହିଁ। କିନ୍ତୁ ଓଡ଼ିଶାର ଡାକ୍ତରଙ୍କୁ ‘ପଦ୍ମ’ ସମ୍ମାନ ନିଷ୍ପତ୍ତିରେ ୬୬ ବର୍ଷ ହେଲା ସତେ ଯେମିତି ତାଲା ପଡ଼ିଯାଇଛି। ଏହି ତାଲା (ଲକ୍) କେବେ ଖୋଲିବ?

ନବ କିଶୋର ଦାସ, ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ

ଗତବର୍ଷ ସ୍ବାସ୍ଥ୍ୟ ବିଭାଗ ୨ ଜଣଙ୍କ ନାମ ସୁପାରିସ କରିଥିଲା
ଓଡ଼ିଶାରେ ରହି କାର୍ଯ୍ୟ କରୁଥିବା ଅନେକ ପ୍ରତିଭାସଂପନ୍ନ ଡାକ୍ତର ଅଛନ୍ତି ଯେଉଁମାନେ କି ‘ପଦ୍ମ’ ସମ୍ମାନ ପାଇବାକୁ ଦାବିଦାର୍‌। ହେଲେ ଦୀର୍ଘ ୬୬ବର୍ଷ ହେଲା ଓଡିଶାକୁ କର୍ମଭୂମି ବାଛି ନେଇଥିବା ଡାକ୍ତରଙ୍କୁ ‘ପଦ୍ମ’ ସମ୍ମାନ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତବର୍ଷ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ଡାକ୍ତରଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ପ୍ରଦାନ ନିମନ୍ତେ ଆମେ ପଠାଇଥିଲୁ। କିନ୍ତୁ ଆମେ ପଠାଇଥିବା ସୁପାରିସ ଅନୁସାରେ କାହାରିକୁ ମିଳିଲାନି। ରାଜ୍ୟର ଡାକ୍ତରମାନଙ୍କୁ ଏଭଳି ସମ୍ମାନ ପ୍ରଦାନ କରାଗଲେ ସେମାନଙ୍କ ସେବା ପ୍ରତି ଆମେ ସମ୍ମାନ ଦେବା ସହ ରାଜ୍ୟର ସମସ୍ତ ଡାକ୍ତରଙ୍କୁ ମଧ୍ୟ ଏହା ଉତ୍ସାହିତ କରିବ। ରାଜ୍ୟର ଦାବିଦାର ଥିବା ଡାକ୍ତରଙ୍କୁ ଏଭଳି ସମ୍ମାନ ମିଳିଲେ ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ମୁଁ ଅଧିକ ଖୁସି ହୁଅନ୍ତି।

ଭର୍ତ୍ତୃହରି ମହତାବ, ସାଂସଦ, କଟକ

କେନ୍ଦ୍ର ସରକାରରେ ନଥିବାରୁ ଆମ ସୁପାରିସ ହୁଏତ କାମ ଦେଉନି
ଓଡ଼ିଶାରେ ରହି କାର୍ଯ୍ୟ କରୁଥିବା ଅନେକ ପ୍ରତିଭାସଂପନ୍ନ ଡାକ୍ତର ଅଛନ୍ତି ଯେଉଁମାନେ କି ‘ପଦ୍ମ’ ସମ୍ମାନ ପାଇବାକୁ ହକଦାର। ବାହାର ରାଜ୍ୟରେ ରହି ଏହି ସମ୍ମାନ ହାସଲ କରିଥିବା ଓଡ଼ିଆ ଡାକ୍ତରମାନେ ବି ରାଜ୍ୟକୁ ଏଥିପାଇଁ ଗୌରବାନ୍ବିତ କରିଛନ୍ତି। ମୁଁ କଟକର ସାଂସଦ ଭ‌ାବେ ୫ରୁ ଅଧିକ ନାମ ଏହି ସମ୍ମାନ ପାଇଁ ନିୟମିତ ଭାବେ ସରକାରଙ୍କୁ ସୁପାରିସ କରି ଆସିଛି। ୟୁପିଏ ସରକାର, ଏନ୍‌ଡିଏ ସରକାର ଅମଳରେ ମୁଁ ଓଡ଼ିଶାରେ କାର୍ଯ୍ୟରତ ଡାକ୍ତରଙ୍କ ନାମ ‘ପଦ୍ମ’ ସମ୍ମାନ ପାଇଁ ସୁପାରିସ କରିଥିଲି। ଗଲା ୬ ବର୍ଷ ହେଲା ଯଦିଓ ‘ପଦ୍ମ’ ସମ୍ମାନ ପାଇଁ ବ୍ୟକ୍ତିବିଶେଷଙ୍କଠାରୁ ସିଧାସଳଖ ମନୋନୟନ ଆହ୍ବାନ କରାଯାଉଛି, ମୁଁ କିନ୍ତୁ ପ୍ରତ୍ୟେକ ବର୍ଷ ଗୋଟିଏ ଗୋଟିଏ ନାମ ସୁପାରିସ କରି ଆସୁଛି। କିନ୍ତୁ ଏଯାଏ କୌଣସି ସୁଫଳ ମିଳିପାରି ନାହିଁ। ଆମେ କେନ୍ଦ୍ର ସରକାରରେ ନଥିବାରୁ ଆମ ସୁପାରିସ କାମ ଦେଉ ନଥିବା ହୁଏତ ଏକ କାରଣ ହୋଇପାରେ।

ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ; ବିଧାୟକ ବଡମ୍ବା

ଆମ ଡାକ୍ତର କୌଣସି ଗୁଣରେ କମ୍ ନୁହନ୍ତି
ଆମ ରାଜ୍ୟରେ ‘ପଦ୍ମ’ ସମ୍ମାନ ପାଇବା ପାଇଁ ଅନେକ ଖ୍ୟାତି ସଂପନ୍ନ ଡାକ୍ତର ରହିଛନ୍ତି। ଯେଉଁମାନେ କି ଆନ୍ତର୍ଜାତିକମାନର ବିଶେଷଜ୍ଞଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ସେମାନଙ୍କୁ ‘ପଦ୍ମ’ ସମ୍ମାନରେ ଆଭୂଷଣ କରାଯିବା କଥା। ଡାକ୍ତର ସନାତନ ରଥ ଆଜି ଆମ ଗହଣରେ ନାହାନ୍ତି। ହେଲେ ସେ ଚିକିତ୍ସା ବିଜ୍ଞାନ(ନ୍ୟୁରୋସର୍ଜରି) କ୍ଷେତ୍ରରେ ଛାଡି ଯାଇଥିବା ଅନେକ କୀର୍ତ୍ତିକୁ ଆମେ ଆଜି ମନେ ପକାଉଛେ। ଯେତେବେଳେ ମୁମ୍ବାଇ, କୋଲକାତାରେ ସିଟିସ୍କାନ୍‌ ନଥିଲା, ସେହି ସମୟରେ କଟକକୁ ପୂର୍ବଭାତରର ପ୍ରଥମ ଓ ଭାରତର ଦ୍ବିତୀୟ ରାଜ୍ୟଭାବେ ସେ ସିଟି ସ୍କାନ ମେସିନ ଆଣି ପାରିଥିଲେ। ତାଙ୍କ ଭଳି ଅନେକ ସୁନାମଧନ୍ୟ କାର୍ଡିଓଲୋଜିଷ୍ଟ, କର୍କଟ ରୋଗ ବିଶେଷଜ୍ଞ ରହିଛନ୍ତି, ଯେଉଁମାନେ କି ରାଜ୍ୟ ତଥା‌ ରାଜ୍ୟ ବାହାରେ ନାଁ କରିଛନ୍ତି। ଓଡ଼ିଶାକୁ କର୍ମଭୂମିଭାବେ ବାଛି ନେଇଥିବା ଖ୍ୟାତିସଂପନ୍ନ ଡାକ୍ତରଙ୍କୁ ପଦ୍ମ ସମ୍ମାନ ଦିଆଗଲେ, ସେମାନେ ଅଧିକ ପ୍ରୋତ୍ସାହିତ ହେବେ। ସବୁଠାରୁ ବଡ଼ କଥା ହେଉଛି ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ବୀକୃତି ମିଳିପାରିବ ଓ ରାଜ୍ୟରେ ଆଗକୁ ଅନେକ ଡାକ୍ତର ଏହାଦ୍ବାରା ପ୍ରୋତ୍ସାହିତ ହେବେ।

ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ
ପୂର୍ବତନ ଅଧୀକ୍ଷକ ଏସ୍‌ସିବି; ବିଶିଷ୍ଟ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ବିଶେଷଜ୍ଞ

ପଦ୍ମ ପାଇଁ ଦାବିବାର ଅନେକ, ସରକାର ବିଚାର କରିବା ଦରକାର
ଓଡିଶାରେ ଅନେକ ଡାକ୍ତର ଅଛନ୍ତି, ଯେଉଁମାନଙ୍କୁ କି ଚିକିତ୍ସା ବିଜ୍ଞାନରେ ଜଣେ ଜଣେ କିମ୍ବଦନ୍ତୀ ବୋଲି କୁହାଯାଏ। ଡାକ୍ତର ସନାତନ ରଥ କୁହନ୍ତୁ, ଡାକ୍ତର ବ୍ରହ୍ମାନନ୍ଦ ଆଚାର୍ଯ୍ୟ କୁହନ୍ତୁ, ଯେଉଁମାନେ କି ଏବେ ନାହାନ୍ତି। ବିଶିଷ୍ଟ କାର୍ଡିଓଲୋଜିଷ୍ଟ ଡାକ୍ତର ଜେ.ପି ଦାସଙ୍କ ଭଳି ବି ଏବେ ବି ବିଭିନ୍ନ ବିଭାଗରେ ଅନେକ ପ୍ରଖ୍ୟାତ୍‌ ଡାକ୍ତର ଅଛନ୍ତି, ଯେଉଁମାନେ କି ବିଶ୍ବଦରବାରରେ ଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ‘ପଦ୍ମ’ ସମ୍ମାନ ମିଳିପାରିନାହିଁ। ‌ତୁରନ୍ତ ସରକାର ଏ ଦିଗରେ ଦୃଷ୍ଟି ଦେଲେ ହୁଏତ ଓଡ଼ିଶାର ଡାକ୍ତରମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରନ୍ତା। ଡାକ୍ତରମାନେ ସବୁବେଳେ କର୍ମରେ ବିଶ୍ବାସ କରନ୍ତି। କିପରି ରୋଗୀଟିକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେଥିପାଇଁ ସବୁବେଳେ ସେମାନେ ବ୍ୟସ୍ତ। ଅନେକ ସ୍ଥାନରୁ ଅନେକ ସମ୍ମାନ ପାଆନ୍ତି ଆମ ଓଡ଼ିଆ ଡାକ୍ତର। କିନ୍ତୁ ଓଡ଼ିଶାକୁ କର୍ମଭୂମିଭାବେ ବାଛି ନେଇଥିବା ଡାକ୍ତରଙ୍କୁ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ପଦ୍ମ ସମ୍ମାନ ମିଳୁନି, ତା’ ମୁଁ ବୁଝିପାରୁନି। ଯଦି ମିଳନ୍ତା, ତା’ହେଲେ ତାହା ଆମ ରାଜ୍ୟ ପାଇଁ ସମ୍ମାନ ହୁଅନ୍ତା।

ପ୍ରଫେସର ସରୋଜକାନ୍ତ ସାହୁ
ପୂର୍ବତନ ଅଧୀକ୍ଷକ ଏସ୍‌ସିବି; ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ

ପ୍ରତିଭାର ଅବକ୍ଷୟ ହେଉଛି
ଯେଉଁମାନେ ପାଠ ପଢ଼ିସାରି ବାହାରକୁ ଚାଲିଯାଉଛନ୍ତି ସେମାନଙ୍କୁ ସମ୍ମାନ ମିଳୁଛି। କିନ୍ତୁ ରାଜ୍ୟରେ ଯେଉଁମାନେ କାମ କରୁଛନ୍ତି ତାଙ୍କୁ ପ୍ରୋତ୍ସାହନ ଦିଆଯାଉନି। ଓଡ଼ିଶାକୁ କର୍ମଭୂମି ବାଛିଥିବା ଅନେକ ପ୍ରତିଷ୍ଠିତ ଡାକ୍ତର ‘ପଦ୍ମ’ ସମ୍ମାନ ପାଇଁ ହକ୍‌ଦାର। କିନ୍ତୁ କେନ୍ଦ୍ର ସରକାର ତାହା ଦେଉନାହାନ୍ତି। ହେଲେ ଅନ୍ୟପଟେ ରାଜ୍ୟସ୍ତର‌ରେ ମଧ୍ୟ ସେଭଳି ପ୍ରତିଷ୍ଠିତ ଡାକ୍ତରଙ୍କୁ ସମ୍ମାନ ଦେବାର କୌଣସି ବ୍ୟବସ୍ଥା କରାଯାଉନି। ଯାହା ଫଳରେ ପ୍ରତିଭାର ଅବକ୍ଷୟ ହେଉଛି। ଅନ୍ୟ ରାଜ୍ୟରେ ଯେଉଁଭଳି ଭାବରେ ଅବସରପ୍ରା‌ପ୍ତ ବରିଷ୍ଠ ବିଶେଷଜ୍ଞମାନଙ୍କୁ ବିଶ୍ବବିଦ୍ୟାଳୟ ହେଉ ବା ଅନ୍ୟସ୍ଥାନରେ ନିଯୁକ୍ତି ଦିଆଯାଇ ସେମାନଙ୍କ ପ୍ରତିଭାର ସଦ୍‌ଉପଯୋଗ କରାଯାଉଛି, ତାହା ମଧ୍ୟ ରାଜ୍ୟରେ କରାଯାଉନି। ତେବେ କିପରି ଓଡ଼ିଶାର ପ୍ରଖ୍ୟାତ ଡାକ୍ତରଙ୍କୁ ପଦ୍ମ ସମ୍ମାନ ମିଳିପାରିବ ସେନେଇ ବିଭିନ୍ନ ମହଲରୁ ସ୍ବର ଉଠିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର