ପଦ୍ମ ବେଶରେ ଦର୍ଶନ ‌ଦେଲେ ମହାପ୍ରଭୁ

ପୁରୀ :‌ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅତିବ ରମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଛି। ତିନି ଠାକୁର ପଦ୍ମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦୁର୍ଲ୍ଲଭ ବେଶରେ ମହାପ୍ରଭୁ ଆସନ୍ତାକାଲି ମଙ୍ଗଳ ଆଳତି ପର୍ଯ୍ୟନ୍ତ‌ ଦର୍ଶନ ଦେବେ। ପ୍ରଚଳିତ ପରମ୍ପରା ଅନୁଯାୟୀ, ମାଘମାସ ଶୁକ୍ଳ ପ୍ରତିପଦାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ଆଜି ରାତ୍ର ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହର ନୀତିରେ ଏହି ବେଶ କରାଯାଇଥିଲା। ପଦ୍ମବେଶରେ ଠାକୁରମାନଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଡ଼ଛତା ମଠ ପକ୍ଷରୁ ପାରମ୍ପରିକ କାରିଗରମାନଙ୍କ ଦ୍ବାରା ସୋଲ, ଜରି, କଦଳିପଟ, କନା, କଇଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମ ଫୁଲ ଓ କଢ଼ିମାନ ନିର୍ମିତ ହୋଇ ଠାକୁରମାନଙ୍କୁ ଲାଗି କରାଯାଇଥିଲା। ଏହି ବେଶ ନିମନ୍ତେ ସୋଲରେ ନିର୍ମିତ ପଦ୍ମ ପାଖୁଡ଼ାର ତିନିଟି ମୁଖା ତିଆରି ହୋଇଥିଲା। ମୁଖା ସହିତ ଚୁଳ ଓ କୀରିଟ ଲାଗିଥିଲା। ବଡ଼ଛତା ମଠ ତରଫରୁ ପ୍ରଦତ୍ତ ଦ୍ରବ୍ୟରେ ଶ୍ରୀମନ୍ଦିର କୋଠଭୋଗ ଚୁଲିରେ ପ୍ରସ୍ତୁତ କ୍ଷୀରି ଓ ଅମାଲୁ ଠାକୁରମାନଙ୍କୁ ଭୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର