ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଦ୍ବିତୀୟ ଘର’ କୁହାଯାଉଥିବା ବରଗଡ଼ର ବିଜେପୁରରେ ପଦ୍ମ ଫୁଟିଛି। ଅର୍ଥାତ୍ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକ୍ର ୩ଟି ଜୋନ୍ରେ ବିଜେପି ବିଜୟ ହାସଲ କରିଛି। ବିଜେଡିର ବୃହତ୍ ବିଜୟ ନିକଟରେ ଏହି ପ୍ରଦର୍ଶନ ‘ସମୁଦ୍ରକୁ ଶଙ୍ଖେ’ ବୋଲି କୁହାଯାଉଥିଲେ ବି ଏହା ବିରୋଧୀ ଦଳକୁ ସାମାନ୍ୟ ଆଶ୍ବସ୍ତ କରିଛି।
ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏବଂ, ଏହି ନିର୍ବାଚନମଣ୍ଡଳୀକୁ ନିଜର ‘ଦ୍ବିତୀୟ ଘର’ ବୋଲି ଆଖ୍ୟା ଦେଇଥିଲେ। ସେ ଏହି ଆସନରୁ ଇସ୍ତଫା ଦେବାପରେ ରାତା ସାହୁ ଲକ୍ଷାଧିକ ଭୋଟ୍ ପାଇ ବିଜୟ ହାସଲ କରିଥିଲେ। ଏହି ଦୃଷ୍ଟିରୁ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ ‘କ୍ଲିନ୍ସ୍ବିପ୍’ (ଏକପାଖିଆ ବିଜୟ) କରିବ ବୋଲି ଏକପ୍ରକାର ନିଶ୍ଚିତ ଥିଲା। ତେବେ, ନିର୍ବାଚନୀ ଫଳାଫଳ ଟିକିଏ ଭିନ୍ନ ହୋଇଛି।
ବିଜେପୁର ଜୋନ୍-୨ ଏବଂ ଗାଇସିଲାଟ୍ ଜୋନ୍-୨ ଅକ୍ତିଆର୍ କରିବାରେ ବିଜେପି ସଫଳ ହୋଇଛି। ଗଣତିର ଶେଷ ପର୍ଯ୍ୟାୟରେ ବିଜେପୁର ନିର୍ବାଚନମଣ୍ଡଳୀର ବରପାଲି ଜୋନ୍-୩କୁ ମଧ୍ୟ ଅକ୍ତିଆର କରିନେଇଛି। ଫଳରେ, ଏହି ନିର୍ବାଚମଣ୍ଡଳୀର ତିନୋଟି ଯାକ ବ୍ଲକ୍ରୁ ଗୋଟିଏ ଲେଖାଏଁ ଜୋନ୍ରେ ବିଜୟ ହାସଲ କରିଛି ବିଜେପି। ଯାହାକି, ଏହି ବିରୋଧୀ ଦଳକୁ ସାମାନ୍ୟ ଆଶ୍ବସ୍ତ କରିଛି।
ଉଲ୍ଲେଖଯୋଗ୍ୟ, ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେପୁର ନିର୍ବାଚନମଣ୍ଡଳୀରୁ ବିଜେପିକୁ ଭଲ ଫଳ ମିଳିଥିଲା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ଟି ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ବିଜେଡିକୁ ମାତ୍ର ଗୋଟିଏରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ବିଜେପି ଖାତାକୁ ୭ଟି ଆସନ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/6.jpg)