ପଦ୍ମନାଭ ବେହେରାଙ୍କ ବିରୋଧରେ ଉଠିଲା ସ୍ବର, ବିଦ୍ରୋହୀ ହେଲେ ବିଜେଡି ଟିକେଟ୍‌ ଆଶାୟୀ ନାରାୟଣ

କହିଲେ- ବିଭିନ୍ନ ପ୍ରଲୋଭନ ଦେଖାଇ ଦଳୀୟ ଟିକଟ୍ ଦେଲେ ନାହିଁ

ବୀରମହାରାଜପୁର: ବିଜେଡିର ଦ୍ଵିତୀୟ ପର୍ଯ୍ୟାୟରେ ବୁଧବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟର ଅନ୍ୟ ବିଧାନସଭା ଆସନ ସମେତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ମଧ୍ୟ ବିଦ୍ରୋହ ଦେଖାଯାଇଛି। ବୀରମହାରାଜପୁରରେ ପୁଣି ଥରେ ପଦ୍ମନାଭ ବେହେରାଙ୍କୁ ବିଜେଡିରୁ ଟିକେଟ ମିଳିଲା ପରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ମନରେ ଅସନ୍ତୋଷ ଦେଖାଯାଇଛି। ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ନାରାୟଣ ଲୁହା ଏବେ ଖୋଲାଖୋଲି ବିରୋଧ କରିଛନ୍ତି। ସେ କହିଛନ୍ତି, ମୋର ସମସ୍ତ ରିପୋର୍ଟ ଠିକ୍ ଥିବା ସତ୍ବେ ମୋତେ ଦଳ ଟିକଟ୍ ଦେଲା ନାହିଁ। କେବଳ ମୋତେ ବିଭିନ୍ନ ପ୍ରଲୋଭନ ଦେଖାଇ ଦଳୀୟ ଟିକଟ୍ ଦେଲେ ନାହିଁ। ଏଣୁ ମାଁ ମାଟିର ଛୁଆ ନାରାୟଣ ଲୁହାକୁ ଜନସାଧାରଣ ଯାହା ଯାହା ନିର୍ଦ୍ଦେଶ ଦେବେ ତାହା କରିବି। ନିର୍ବାଚନ ଲଢିବା ସୁନିଶ୍ଚିତ। ତାହା ସମସ୍ତ ଜନସାଧାରଣ ନିର୍ଣ୍ଣୟ କରିବେ। ଚଳିତ ସାଧାରଣ ନିର୍ବାଚନରେ ନାରାୟଣଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି।

ଶ୍ରୀ ଲୁହାଙ୍କ ନେତୃତ୍ବରେ ଗୁରୁବାର ସନ୍ଧ୍ୟାରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଘ ସମ୍ମୁଖରେ ପଦ୍ମନାଭ ବେହେରାଙ୍କ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆତ୍ମା ଅଧ୍ୟକ୍ଷ ବିବଶ୍ଵତୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ବହଲପଦର ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ, ସମିତି ସଭ୍ୟା ପ୍ରତିନିଧି ନୀଳାମ୍ବର ଘିବିଲା, ପିତାମହୁଲ ସମିତି ସଭ୍ୟ ସଇନ୍ଦୁ ସାହୁ, କେନଝିରିଆପାଲି ସରପଂଚ ପ୍ରତିନିଧି ପ୍ରଦୀପ ବାଦି, ଦୁର୍ଜନତୈଲା ପୂର୍ବତନ ସରପଞ୍ଚ ରଞ୍ଜିତ ଖେତି, ପିତାମହୁଲ ପୂର୍ବତନ ସରପଞ୍ଚ ସରୋଜ ବାରିକ, ଲକ୍ଷେ ଘର ସମାଜ ସଭାପତି ରାମ ମହାନନ୍ଦ, ଘନଶ୍ୟାମ ଭୋଇ, ସୁରେଶ କଲା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ ପ୍ରଦାନ କରିଥିଲେ। ‌

ସମ୍ବନ୍ଧିତ ଖବର