ଡ.ଅଜୟ ପରିଡ଼ାଙ୍କ ହୃଦ୍‌ଘାତରେ ପରଲୋକ: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ଧର୍ମଶାଳା/ଭୁବନେଶ୍ବର: ବିଶିଷ୍ଟ ଜୀବ ବିଜ୍ଞାନୀ ତଥା ଭୁବନେଶ୍ବରର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌)ର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ ପରିଡ଼ା ଆଉ ନାହାନ୍ତି। ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଗୌହାଟୀ ଯାଇଥିବାବେଳେ ଆଜି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହୋଟେଲ ରୁମ୍‌ରୁ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୫୮ବର୍ଷ ହୋଇଥିଲା। ମୃତ୍ୟୁ ଖବର ପାଇବା ପରେ ତାଙ୍କ ପୁଅ ଆଜି ଗୌହାଟୀ ଗସ୍ତ କରିଛନ୍ତି ଓ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତକାଲି ତାଙ୍କ ମରଶରୀରକୁ ଭୁବନେଶ୍ବର ଅଣାଯିବ ବୋଲି ସୂଚନା ମିଳିଛି। ତାଙ୍କ ବିୟୋଗ ଖବର ପ୍ରଚାର ହେବାପରେ ଜନ୍ମମାଟି ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପରିଡ଼ା ଆଜି ସକାଳେ ସମ୍ମିଳନୀକୁ ଯିବାପାଇଁ ହୋଟେଲ୍‌ ରୁମ୍‌ରେ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପିନ୍ଧିବା ପାଇଁ ହାତରେ ପ୍ୟାଣ୍ଟ୍‌ ଧରିଥିବା ବେଳେ ତଳେ ପଡ଼ିଯାଇଥିଲେ। ସମ୍ମିଳନୀକୁ ଯିବା ସମୟ ଉପନୀତ ହୋଇଥିବାରୁ ସହକର୍ମୀମାନେ ତାଙ୍କୁ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତାଙ୍କ ଏକମାତ୍ର ପୁଅ ଆଶିଷ କୁମାର ପରିଡ଼ା ଗୌହାଟୀରେ ପହଞ୍ଚିଥିଲେ। ପରେ ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତାକାଲି ସକାଳ ୮ଟାରେ ମରଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ନାଲ୍‌କୋ ଛକସ୍ଥିତ ଆଇଏଲ୍ଏସ୍‌ରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ତାଙ୍କ ଜନ୍ମମାଟି ଅଭିମୁଖେ ମରଶରୀରକୁ ନିଆଯିବ। ଜାରକା ବଜାରରୁ ଏକ ଶୋଭଯାତ୍ରାରେ ଶବାଧାର ଭଗବାନପୁର ଗାଁକୁ ନିଆଯିବ। ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ତାଙ୍କ ସାନଭାଇ ଅମୀୟ କୁମାର ପରିଡ଼ା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
୧୯୬୩ ଡିସେମ୍ବର ୧୪ତାରିଖରେ ଶ୍ରୀ ପରିଡ଼ା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କୋତପୁର ପଞ୍ଚାୟତ ଅନ୍ତର୍ଗତ ଭଗବାନପୁର ଗାଁରେ ଜନ୍ମଲାଭ କରିଥିଲେ। ଆଦର୍ଶ ଶିକ୍ଷକ ଦିବାକର ପରିଡ଼ା ଓ ସରଲତା ପରିଡ଼ାଙ୍କ ସେ ବଡ଼ପୁଅ। ଭଗବାନପୁର ୟୁଜିଏମ୍ଇ ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷା ଶେଷକରି ନିକଟସ୍ଥ କୋତପୁର ହାଇସ୍କୁଲରେ ମାଟ୍ରିକ୍ ପଢ଼ିଥିଲେ। ପରେ ଯାଜପୁର ଏନ୍‌ସି କଲେଜରେ ଆଇଏସ୍‌ସି ଓ ପରେ କଟକ ରେଭେନ୍ସା ମହାବିଦ୍ୟାଳୟରେ ବିଏସ୍‌ସି (ଉଦ୍ଭିଦ ବିଜ୍ଞାନ ସମ୍ମାନ)ରେ ଟପର୍‌ ହୋଇଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍ଏସ୍‌ସିରେ ମଧ୍ୟ ଟପର୍‌ ହୋଇଥିଲେ। ସ୍ନାତକୋତ୍ତର ଶିକ୍ଷାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରି ଚେନ୍ନାଇସ୍ଥିତ ଏମ୍ଏସ୍‌ ସ୍ବାମୀନାଥନ୍ ରିସର୍ଚ ଫାଉଣ୍ଡେସନ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ପଦବିରେ ଅଧିଷ୍ଠିତ ହୋଇଥିଲେ। ବ୍ରିଟେନର ୟେଲ ବିଶ୍ବବିଦ୍ୟାଳୟ, ଇଟାଲିର ନେପଲ୍‌ସ ବିଶ୍ବବିଦ୍ୟାଳୟ ଓ ଫିଲିପାଇନ୍‌ସର ଅନ୍ତର୍ଜାତୀୟ ରାଇସ୍ ଇନଷ୍ଟିଚ୍ୟୁଟ୍‌ରେ ପୋଷ୍ଟ ଡକ୍ଟରେଟ୍‌ ଗବେଷଣା କରିଥିଲେ।

ଧାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୧୪ ଏପ୍ରିଲ୍ ୨୪ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡ.ପରିଡ଼ାଙ୍କୁ ‘ପଦ୍ମଶ୍ରୀ ସମ୍ମାନ’ରେ ସମ୍ମାନିତ କରିଥିଲେ। ଏହି ସମୟରେ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୃଷି ଉପଦେଷ୍ଟା ଥିଲେ। ୨୦୧୭ରୁ ଭୁବନେଶ୍ବର ଆଇଏଲ୍ଏସ୍‌(ଇନଷ୍ଟିଚୁଟ୍ ଅଫ୍ ଲାଇଫ୍ ସାଇନ୍ସ)ର ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଇଣ୍ଡିଆନ୍ ସାର୍ସ-କୋଭ-୨ ଜେନୋମିକ୍ସ କନର୍ସଟିୟମ(ଆଇଏନଏସ୍‌ଏସିଓଜି) ଆଇଏଲଏସ୍‌କୁ କୋଭିଡ ଭୂତାଣର ଜିନୋମ ସିକ୍ବେନ୍ସିଂ ଲ୍ୟାବ୍ ଘୋଷଣା କରିବା ପରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ନମୁନା ଏଠାରେ ପରୀକ୍ଷା ହୋଇଥିଲା। କୋଭିଡ୍ ପରିଚାଳନା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଚାକିରି କାଳକୁ ଆଉ ୩ବର୍ଷ ବଢ଼ାଇ ଦିଆଯାଇଥିଲା। ତାଙ୍କର ୩ ବିବାହିତା ଭଉଣୀ ଥିବାବେଳେ ସାନଭାଇ ଅମୀୟ କୁମାର ପରିଡ଼ା ଯାଜପୁର ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଅଛନ୍ତି। ଶ୍ରୀ ପରିଡ଼ା ବଡ଼ଚଣା ବ୍ଲକ ଖଡ଼ଅଙ୍ଗ ଗାଁର ବରିଷ୍ଠ ବିଜେଡ଼ି ନେତା ଇନ୍ଦ୍ରମଣି ମହାପାତ୍ରଙ୍କ ଝିଅ ତଥା କିଟ୍ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପ୍ରାଧ୍ୟାପିକା ଡ. ରଶ୍ମି ମହାପାତ୍ରଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ। ତାଙ୍କର ଏକମାତ୍ର ପୁଅ ଆଶିଷ ଇ–କମର୍ସ ଶିକ୍ଷା ସମାପ୍ତ କରି ଦିଲ୍ଲୀସ୍ଥିତ ଆଇଟିସି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ସେ ଗତ ଜୁନ୍ ୩୦ତାରିଖରେ ଶେଷଥର ପାଇଁ ପତ୍ନୀଙ୍କ ସହିତ ଗାଁକୁ ଆସଥିବା ବେଳେ ୨ଦିନ ରହି ଭୁବନେଶ୍ବର ଫେରିଯାଇଥିବା ପରିବାର ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର