କଟକ : ବିଶିଷ୍ଟ ସମାଜସେବୀ, ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନର ପ୍ରବକ୍ତା ପଦ୍ମଶ୍ରୀ ଡି (ଦେବରାପଲ୍ଲୀ) ପ୍ରକାଶ ରାଓଙ୍କର ବୁଧବାର ଅପରାହ୍ନରେ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। କଟକର ଏସ୍ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଶ୍ରୀ ରାଓଙ୍କର ଦ୍ବିତୀୟଥର ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।
ପ୍ରକାଶ ରାଓ କରୋନାରେ ଆକ୍ରାନ୍ତ ହୋଇ ଡିସେମ୍ବର ୨୫ରେ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନା ଆକ୍ରାନ୍ତ ହେବା ପରେ ତାଙ୍କର କିଡ୍ନି ସମସ୍ୟା ପାଇଁ ଡାଏଲିସିସ୍ ମଧ୍ୟ କରାଯାଇଥିଲା। ପ୍ରଥମରୁ ସେ ଆଇସିୟୁରେ ଥିବାବେଳେ ଆଜି ସକାଳୁ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଶେଷ ଶଯ୍ୟା ନିକଟରେ ପତ୍ନୀ ବିଜୟଲକ୍ଷ୍ମୀ, ଦୁଇ ଝିଅ ହରିପ୍ରିୟା ଓ ଭାନୁପ୍ରିୟା ଉପସ୍ଥିତ ଥିଲେ। ଆଜି ସଂଧ୍ୟାରେ ତାଙ୍କର ମୃତଦେହକୁ ଏସସିବି ମେଡିକାଲରୁ ପେନସନ୍ ଲେନ୍ ବାସଭବନକୁ ନିଆଯାଇଥିବା ବେଳେ ଆସନ୍ତାକାଲି ସକାଳ ୮ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କଟକର କାଳିଆବୁଦା ଶ୍ମଶାନରେ ଅନ୍ତିମସଂସ୍କାର କରାଯିବ।
ବକ୍ସିବଜାରରେ ସ୍ୱତନ୍ତ୍ର ଢଙ୍ଗରେ ଚା ବିକ୍ରି କରି ପ୍ରଥମେ ଚର୍ଚ୍ଚାକୁ ଆସିଥିବା ଡି. ପ୍ରକାଶ ରାଓ ପରବର୍ତ୍ତୀ ସମୟରେ ଅନାଥ ପିଲାଙ୍କ ଶିକ୍ଷାଦାନ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନକୁ ତ୍ବରାନ୍ବିତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ୨୦୦ରୁ ଅଧିକ ଥର ରକ୍ତଦାନ କରିଥିବା କୁହାଯାଏ। ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ଥିଲେ ବଡ। ୧୯୫୮ ନଭେମ୍ବର ୧୧ତାରିଖରେ ଜନ୍ମିତ ପ୍ରକାଶ ରାଓ ଚା ଦୋକାନରୁ ମିଳୁଥିବା ଅର୍ଥରୁ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏ ୨୦୦ରୁ ଅଧିକ ଥର ରକ୍ତଦାନ ଓ ୧୭ ଥର ପ୍ଲେଟଲେଟ୍ ଦାନ କରିଥିଲେ ଶ୍ରୀ ରାଓ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମେ ୨୬ରେ କଟକ ଗସ୍ତରେ ଆସିଥିବା ସମୟରେ ଶ୍ରୀ ରାଓଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ୨୦୧୯ରେ ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ।
ସୂଚନାଯୋଗ୍ୟ ଯେ ଗତବର୍ଷ ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରକାଶ ରାଓ ହଠାତ୍ ମଂଚ ଉପରେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସେହି ସମୟରେ ବ୍ରେନ୍ ଷ୍ଟ୍ରୋକ୍ ହେବା ସହିତ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କରୋନା ଆକ୍ରାନ୍ତ ହେବା ପରେ ପୁଣି ଦ୍ବତୀୟ ଥର ତାଙ୍କର ବ୍ରେନ୍ଷ୍ଟ୍ରୋକ୍ ହୋଇଥିଲା। ଯାହାଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ତାଙ୍କର ଚିକିତ୍ସା ପାଇଁ ଏସ୍ସିବିରେ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। କରୋନା ଚିକିତ୍ସା ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ଅନ୍ୟ ଜଟିଳ ରୋଗର ଚିକିତ୍ସା ଚାଲିଥିଲା।
ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରକାଶ ରାଓଙ୍କ ପରଲୋକ ଖବର ପାଇ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏସ୍ସିବିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।