ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ

ଗୁଣପୁର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ ତଥା ସମସ୍ତଙ୍କ ପ୍ରିୟ ‘ବୋଉ’ ଆଉ ନାହାନ୍ତି। ୮୮ ବର୍ଷ ବୟସରେ  ରବିବାର ବିଳମ୍ବିତ ରାତ୍ରିରେ ତାଙ୍କର ପରଲୋକ ଘଟିଛି। ଶ୍ରୀମତୀ ଶାନ୍ତି ଦେବୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଜଣେ ଶ୍ରେଷ୍ଠ ସମାଜସେବୀ ତଥା ପରୋପକାରୀ ମହିଳା ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ। ତାଙ୍କ ସେବାକାର୍ଯ୍ୟ ପାଇଁ ଗତ ନଭେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ସେ।

୧୯୩୪ ଏପ୍ରିଲ୍‌ ୧୮ରେ ବାଲେଶ୍ୱର ଜିଲ୍ଲାରେ ଶାନ୍ତି ଦେବୀ ଜନ୍ମ ଗ୍ରହଣ କରିଥିଲେ। ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଓ ୧୯୫୧ ମସିହାରେ ଡ. ରତନ ଦାସଙ୍କୁ ବିବାହ କରିଥିଲେ। ସ୍ବାମୀ ଉଚ୍ଚଶିକ୍ଷିତ ରତନ ଦାସ ବଡ ସରକାରୀ ଚାକିରି ବା ଜମିଦାରୀ କାର୍ଯ୍ୟରେ ମନୋନିବେଶ କରିବା ବଦଳରେ ଗାନ୍ଧୀ ସର୍ବୋଦୟ ଆନ୍ଦୋଳନରେ ମନୋନିବେଶ କଲେ । ସେତେବେଳେ ବିନୋବା ଭାବେ ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହୋଇଥାଏ। ବିବାହର ମାତ୍ର କେଇଟା ଦିନ ପରେ ଉଭୟ ପତିପତ୍ନୀ ରାଜସୁଖ ପରିତ୍ୟାଗ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ବନବାସୀଙ୍କୁ ଜାଗ୍ରତ କରିବା ପାଇଁ ଜୀବନକୁ ସମର୍ପି ଦେଇଥିଲେ।

ବିବାହ ପରେ ସେ ସ୍ବାମୀଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲି ଯାଇଥିଲେ ଶାନ୍ତି ଦେବୀ। ୨ ବର୍ଷ ପରେ ୧୯୫୩ ମସିହାରେ ସେ ରାୟଗଡ଼ା ଜିଲ୍ଲା ଶଂଖଲାପଦର ଗାଁକୁ ଚାଲି ଯାଇଥିଲେ। ଉକ୍ତ ଛୋଟ ଗାଁଟିରେ ରହୁଥିବା କିଛି ଲୋକ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ। ଏହା ଭିତରେ ସେ ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପ୍ରଭାବିତ ହୋଇଥିଲେ ଓ ୧୯୫୬ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିନୋବାଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେହି ସମୟରେ ସେ ସେଠାରେ ୮ ଜଣ ଆଦିବାସୀ ଝିଅଙ୍କୁ ନେଇ ଏକ ସେବା ସମାଜ ଗଠନ କରିଥିଲେ। ୩ ବର୍ଷ ପରେ ଗୁଣୁପୁରରେ ଆଦିବାସୀ ବାଳିକା ହଷ୍ଟେଲ ପ୍ରତିଷ୍ଠା କରିଥିଲେ। ପରେ ସେ ଅନାଥାଶ୍ରମ, ତାଲିମ ଶିବିର ଭଳି ଅନେକ ସଂସ୍ଥା ସ୍ଥାପନ କରିଥିଲେ। ଏଭଳି ସମାଜସେବା ପାଇଁ ତାଙ୍କୁ ୧୯୯୪ ମସିହାରେ ଜମନ୍‌ଲାଲ୍‌ ବଜାଜ୍ ପୁରସ୍କାର ମିଳିଥିଲା।

ନଭେମ୍ବର ୧୩ ତାରିଖ ୨୦୨୧ରେ ସ୍ଵର୍ଗତଃ ଶାନ୍ତିଦେବୀଙ୍କ ସହ ଶେଷ ସାକ୍ଷାତକାର: ସମ୍ବାଦ

ସମ୍ବନ୍ଧିତ ଖବର