ସମ୍ବଲପୁର : ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗାୟିକା କ୍ରିଷ୍ଣା ପଟେଲଙ୍କୁ ମିଳିଛି ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ। ୫୦୦ରୁ ଅଧିକ ଲୋକପ୍ରିୟ ଗୀତ ଗାଇଥିବା କ୍ରିଷ୍ଣା ପଦ୍ମଶ୍ରୀ ଘୋଷଣା ପରେ ଖୁସି ବ୍ୟକ୍ତ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ଏହି ସମ୍ମାନ ମିଳିଛି ବୋଲି କହିଛନ୍ତି।

Advertisment

୧୯୫୭ ମସିହା ନଭେମ୍ବର ୨୮ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଜନ୍ମ ଗ୍ରହଣ କରିଥିବା କ୍ରିଷ୍ଣା କହିଛନ୍ତି ଯେ ସେ ପଦ୍ମଶ୍ରୀ ପାଇବେ ବୋଲି ‌କେବେ ଆଶା ରଖିନଥିଲେ। ସେ ‌କେବେ କୌଣସି ସମ୍ମାନ କି ପୁରସ୍କାର ପାଇବା ଆଶାରେ ଗୀତ ଗାଉନଥିଲେ। ‘ରଙ୍ଗବତୀ’ର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ଅନ୍ୟତମ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ଆଗରୁ ପଦ୍ମଶ୍ରୀ ମିଳିଥିଲେ ବି ତାଙ୍କ ମନରେ ଅବସୋସ ନଥିଲା। ସେ ବିଭିନ୍ନ ଶୈଳୀରେ ଗୀତ ଗାଇବାକୁ ପସନ୍ଦ କରିଥାନ୍ତି । ଯା ଯା କଳାଭମରା, ଆହାରେ ଲରି ମଟର, ଆହୋ କଳାକାହ୍ନୁ, ଢଲି ଢଲି ଆସେ କୁଞ୍ଜବନେ, ଭମରା ପଲଙ୍କପରା, କଳାବତୀ ମୁଇଁ କଜଲି ଆଖି, ଗୁଲାପ କଢ଼ି ଲାଲ ମନ୍ଦାର, ମୁଇଁ ତ ରଙ୍ଗବତୀ ଭଳି ଅନେକ ଲୋକପ୍ରିୟ ଗୀତ ସେ ଭେଟି ଦେଇଛନ୍ତି। ଲୋକକଳା (ଫୋକ୍‌ ଆର୍ଟ) କ୍ଷେତ୍ରରେ ଅବଦାନ ନିମନ୍ତେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ମିଳିଛି। ତେଣୁ କେବଳ ‘ରଙ୍ଗବତୀ ଗୀତ ପାଇଁ ତାଙ୍କୁ ପଦ୍ମଶ୍ରୀ ମିଳିଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି।

୧୯୭୦ରେ ଆକାଶବାଣୀ ସମ୍ବଲପୁରରୁ ତାଙ୍କ ପ୍ରଥମ ଗୀତ ପ୍ରସାରିତ ହୋଇଥିଲା। ସେ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ସହିତ ଅନେକ ସମ୍ମାନ ପାଇଛନ୍ତି।