ମ୍ବଲପୁର: ଲୋକପ୍ରିୟ ସମ୍ବଲପୁର ଗୀତ ‘ରଂଗବତୀ’ର ଗାୟିକା କ୍ରିଷ୍ଣା ପଟେଲଙ୍କୁ ମିଳିଛି ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ। ୫୦୦ରୁ ଅଧିକ ଲୋକପ୍ରିୟ ଗୀତ ଗାଇଥିବା କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ଘୋଷଣା ପରେ ଖୁସି ବ୍ୟକ୍ତ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଏହି ସମ୍ମାନ ମିଳିଛି ବୋଲି କହିଛନ୍ତି।
ଗତ ୨୮ ନଭେମ୍ବର ୧୯୫୭ ମସିହାରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ଜନ୍ମିତ କ୍ରିଷ୍ଣା ପଟେଲ କହିଛନ୍ତି ଯେ ପଦ୍ମଶ୍ରୀ ପାଇବେ ବୋଲି ସେ କେବେ ଆଶା ରଖିନଥିଲେ। ସେ କେବେ କୌଣସି ସମ୍ମାନ କି ପୁରସ୍କାର ପାଇବା ଆଶାରେ ଗୀତ ଗାଉନଥିଲେ। ‘ରଂଗବତୀ’ର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଅନ୍ୟତମ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ଆଗରୁ ପଦ୍ମଶ୍ରୀ ମିଳିଥିଲେ ବି ତାଙ୍କ ମନରେ ଅବସୋସ ନଥିଲା। ତାଙ୍କ କଣ୍ଠ ସବୁଦିନ ଭଲ ରହିଥାଉ ଆଉ ସେ ଏମିତି ଗୀତ ଗାଉଥାନ୍ତୁ ଏବଂ ଲୋକମାନଙ୍କର ତାଳି ମିଳୁଥାଏ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ସେ ବିଭିନ୍ନ ଶୈଳୀରେ ଗୀତ ଗାଇବାକୁ ପସନ୍ଦ କରିଥାନ୍ତି। ଯା ’ ଯା’ କଳାଭମରା, ଆହାରେ ଲରି ମଟର, ଆହୋ କଳାକାହ୍ନୁ, ଢଲି ଢଲି ଆସେ କୁଞ୍ଜବନେ, ଭମରା ପଲଙ୍କପରା, କଳାବତୀ ମୁଇଁ କଜଲି ଆଖି, ଗୁଲାପ କଢ଼ି ଲାଲ ମନ୍ଦାର, ମୁଇଁ ତ ରଂଗବତୀ ଭଳି ଅନେକ ଲୋକପ୍ରିୟ ଗୀତ ଭେଟି ଦେଇଛନ୍ତି। ତେଣୁ, ଲୋକକଳା(ଫୋକ୍ ଆର୍ଟ ) କ୍ଷେତ୍ରରେ ଅବଦାନ ନିମନ୍ତେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ମିଳିଛି। ତେଣୁ, କେବଳ ‘ରଂଗବତୀ’ ଗୀତ ପାଇଁ ପଦ୍ମଶ୍ରୀ ମିଳିଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି। ତେବେ, ଆକାଶବାଣୀ, ସମ୍ବଲପୁର ଏବଂ ଅଂଚଳର ସଂଗୀତପ୍ରେମୀ ସାଧାରଣ ଜନତାଙ୍କର ବେଶ୍ ଭୂମିକା ରହିଛି। ଏପରିକି ରିକ୍ସାବାଲା, ପାନବାଲାମାନଙ୍କର ତାଙ୍କ ଗୀତଗୁଡ଼ିକୁ ଲୋକପ୍ରିୟ କରାଇବାରେ ଭୂମିକା ରହିଛି।
କ୍ରିଷ୍ଣା ପଟେଲ ୭ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କ ମା ସ୍ନେହଲତା ପଟେଲ ଥିଲେ ସଂଗୀତ କ୍ଷେତ୍ରରେ ତାଙ୍କର ପ୍ରଥମ ଗୁରୁ। ପରବର୍ତ୍ତୀ ସମୟରେ ସମ୍ବଲପୁର କଳା ପରିଷଦରୁ ସେ ସଂଗୀତ ଶିକ୍ଷା କରିଥିଲେ। ଗୁରୁ ଫକୀର ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ, ପ୍ରଦୀପ ପାତ୍ର, ଜ୍ଞାନାଞ୍ଜନ ମହାପାତ୍ର, ପ୍ରଫୁଲ ମିତ୍ର, ପ୍ରମୋଦ ମିଶ୍ର ପ୍ରମୁଖଙ୍କଠାରୁ ସେ ସଂଗୀତ ଶିକ୍ଷା କରିଛନ୍ତି। ୧୯୭୦ ମସିହାରେ ସେ ଆକାଶବାଣୀ ସମ୍ବଲପୁରରେ ତାଙ୍କ ପ୍ରଥମ ଗୀତ ପ୍ରସାରିତ ହୋଇଥିଲା। ସେ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ସହିତ ଅନେକ ସମ୍ମାନ ପାଇଛନ୍ତି। କ୍ରିଷ୍ଣା ପଟେଲଙ୍କ ପିତା ଜଣେ ପୁଲିସ ଅଫିସର ଥିବା ବେଳେ ସେ ବି ସମ୍ବଲପୁର ଡିଆଇଜି କାର୍ଯ୍ୟାଳୟରୁ ବିଭାଗୀୟ ଅଧିକାରୀ ଭାବେ ଅବସର ଗ୍ରହଣ ପରେ ଏବେ ସେ ସଂଗୀତ ସେବାରେ ନିୟୋଜିତ ରହିଛନ୍ତି।