ଶେଷନିଦ୍ରାରେ ସ୍ଥପତି; ନିରବିଗଲା ନିହାଣ, ମୂର୍ତ୍ତି ପାଲଟିଗଲେ ରଘୁନାଥ

କରୋନାରେ ଚାଲିଗଲେ; ଅଧୁରା ରହିଗଲା ଦ୍ବିତୀୟ କୋଣାର୍କ ସ୍ବପ୍ନ

ଭୁ‌ବନେଶ୍ୱର : ଅଧୁରା ରହିଗଲା ଦ୍ବିତୀୟ କୋଣାର୍କ ନିର୍ମାଣର ସ୍ବପ୍ନ। ନିର୍ଜୀବ ପଥର ଦେହରେ ଜୀବନର ସତ୍ତା ଭରୁଥିବା ସେଇ ପଥର ପୁରୁଷ ଆଜି ନିର୍ଜୀବ ପାଲଟିଯାଇଛନ୍ତି। କରୋନା କବଳିତ ହୋଇ ଦୀର୍ଘ ଦିନର ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପକାଇ ଆରପାରିକୁ ଚାଲିଯାଇଛନ୍ତି ସ୍ବନାମଧନ୍ୟ ଭାସ୍କର୍ଯ୍ୟ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ସାରାବିଶ୍ବରେ ଓଡ଼ିଶାର ଟେକ ରଖିଥିବା ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଭାରତର କଳା ଓ ଭାସ୍କର୍ଯ୍ୟ ଜଗତରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି।

ଶ୍ରୀ ମହାପାତ୍ର ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଗତ ୨୨ ତାରିଖରେ ଭୁବନେଶ୍ବର ଏମ୍‌ସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଥିଲାବେଳେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଗୁରୁତର ହୋଇଥିଲା। ସେ ତିନି ଦିନ ହେଲା ଭେଣ୍ଟିଲେଟର୍‌ରେ ଥିଲେ। ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ତାଙ୍କୁ ବଞ୍ଚାଇପାରି ନ ଥିଲା। ରବିବାର ଅପରାହ୍ନ ୩ଟା ୪୯ରେ ଶ୍ରୀ ମହାପାତ୍ର ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ତାଙ୍କୁ ୭୮ ବର୍ଷ ହୋଇଥିଲା। ସ୍ବର୍ଗତ ମହାପାତ୍ରଙ୍କ ଦୁଇ ପୁଅ ଯଶୋବନ୍ତ ଓ ପ୍ରଶାନ୍ତ କରୋନା ଆକ୍ରାନ୍ତ ହୋଇ ଏମ୍‌ସ୍‌ରେ ଚିକିତ୍ସାଧୀନ ଅଛନ୍ତି। ଘରେ ପତ୍ନୀ ରଜନୀ ମହାପାତ୍ର ଓ ବୋହୂ ଅଛନ୍ତି। ସାନ ଝିଅ ମୀନାକ୍ଷୀ ଓ ଜ୍ବାଇଁ କାଶୀନାଥ ମହାରଣା ଦିଲ୍ଲୀରେ ରହୁଥିବାରୁ ଏଠାକୁ ଆସିପାରି ନାହାନ୍ତି ବୋଲି ବଡ଼ ଝିଅ ରାଜଲକ୍ଷ୍ମୀ ମହାପାତ୍ର ଓ ଜ୍ବାଇଁ ଶ୍ରୀକାନ୍ତ ମହାରଣା ସୂଚନା ଦେଇଛନ୍ତି।

୧୯୪୩ ମସିହା ‌ମାର୍ଚ୍ଚ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସ୍ବର୍ଗତ ମହାପାତ୍ର। ପୁରୀ ଶାସନ ପଡ଼ିଆଠାନିବାସୀ ପିତା ଦାମୋଦର ମହାପାତ୍ର ଓ ମା’ ଶକୁନ୍ତଳା ମହାପାତ୍ରଙ୍କ ପୁତ୍ର ସ୍ବର୍ଗତ ମହାପାତ୍ର ପିଲାଦିନୁ ହିଁ ପଥର ସହ ବନ୍ଧୁତା କରି ଦେଇଥିଲେ। ସ୍କୁଲ୍‌ରେ ପଢ଼ୁଥିବା ବେଳେ ହିଁ ତାଙ୍କ ପାଠରେ ଡୋରି ବନ୍ଧା ହୋଇଥିଲା। ପରେ ସେ ପୁରୀ ଛାଡ଼ି ଭୁବନେଶ୍ବର ଆସିଥିଲେ। ପ୍ରଥମେ ଓଡ଼ିଶା ସରକାର ହସ୍ତକଳା ତାଲିମ ଓ ଡିଜାଇନ୍ ସେଣ୍ଟର୍‌ରେ ଚାକିରି କରିଥିଲେ। କିନ୍ତୁ ତାଙ୍କର ପ୍ରଚଣ୍ଡ ପ୍ରତିଭା ଖୁବ୍ କମ୍ ବୟସରେ ପ୍ରସ୍ଫୁଟିତ ହୋଇଥିଲା। ନିଜର ହାତୁର ଯାଦୁ କେବଳ ଭୁବନେଶ୍ବର କି ଓଡ଼ିଶା ଭିତରେ ନୁହେଁ, ଜାତୀୟ ରାଜଧାନୀ ଯାଏ ପରିବ୍ୟାପ୍ତ ହୋଇଥିଲା। ତାଙ୍କର ପଥର ଖୋଦେଇ ମୂର୍ତ୍ତି ବିଭିନ୍ନ ମହଲରେ ଉଚ୍ଚପ୍ରଶଂସିତ ହୋଇଥିଲା।

ସ୍ବର୍ଗତ ମହାପାତ୍ର ଦେଶର ଏମିତି କିଛି ବ୍ୟକ୍ତିତ୍ବଙ୍କ ମଧ୍ୟରୁ ଜଣେ ଯିଏ କି, ୩ଟି ଯାକ ପଦ୍ମ ସମ୍ମାନ (ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ) ପାଇବାର ହକ୍‌ଦାର୍‌ ହୋଇପାରିଥିଲେ। ମାତ୍ର ୩୩ ବର୍ଷ ବୟସରେ ‌ଅର୍ଥାତ ୧୯୭୬ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ। ଏହାପରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଅନେକ ସମ୍ମାନ ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ। ୨୦୧୮ ମସିହାରେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତିଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ଆହୁରି ୩ ବର୍ଷ ବାକି ଥିଲା।

The Indian Express

‘ଉତ୍କୃଷ୍ଟ କଳାର ଦେଶ ଉତ୍କଳ’ – ଏହି ଉକ୍ତିଟିକୁ ସ୍ବର୍ଗତ ମହାପାତ୍ର ଯଥାର୍ଥ ଭାବେ ନିଜ କାର୍ଯ୍ୟରେ ପ୍ରତିପାଦିତ କରିପାରିଥିଲେ। ଦେଶ ଭିତରେ ସୀମିତ ନ ଥିଲା ତାଙ୍କ ପ୍ରତିଭା। ତାଙ୍କ ଦ୍ବାରା ନିର୍ମିତ ବୁଦ୍ଧ ମୂର୍ତ୍ତି, ଅଶୋକ ସ୍ତମ୍ଭ ‌ ଫ୍ରାନ୍ସ, ଜାପାନ ଆଦି ବିଭିନ୍ନ ରାଷ୍ଟ୍ରରେ ଶୋଭା ପାଉଛି। ସଂସଦ ଭବନରେ ସ୍ଥାପିତ ୫ ଫୁଟ ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି ତାଙ୍କରି ସୃଷ୍ଟି। ନୂଆଦିଲ୍ଲୀର ବିଭିନ୍ନ ପ୍ରମୁଖ ସ୍ଥାନରେ ଶ୍ରୀ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଭାସ୍କର୍ଯ୍ୟକଳା ଶୋଭା ପାଉଛି। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ତାଙ୍କ ଦିଗ୍‌ଦର୍ଶନରେ ଅନେକ ସ୍ଥାପତ୍ୟ ନିର୍ମାଣ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଓଡ଼ିଶାର ମୌଳିକ ଭାସ୍କର୍ଯ୍ୟକଳାକୁ ନେଇ ନୂଆ ନୂଆ ମନ୍ଦିର ତାଙ୍କ ନେତୃତ୍ବରେ ନିର୍ମିତ ହୋଇଛି।

୨୦୦୦ ମସିହାରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ କଲ୍‌ଚରାଲ୍‌ ରିଲେସନ୍‌ର ସଦସ୍ୟ ଭାବେ ସେ ଭାରତ ସରକାରଙ୍କ ଦ୍ବାରା ମନୋନୀତ ହୋଇଥିଲେ। ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ଲଳିତ କଳା ଏକାଡେମିର ସଭାପତି ଭାବେ ମନୋନୀତ କରିଥିଲେ। ତିନିବର୍ଷ ସେ ଏହି ପଦବିରେ ରହି ରାଜ୍ୟରେ କଳାର ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏଥିସହ ସ୍ବର୍ଗତ ମହାପାତ୍ର ପୁରୀ ଶ୍ରୀମନ୍ଦିର ଶେଷ ପରିଚାଳନା କମିଟିର ସଭ୍ୟ ଥିଲେ। ହେରିଟେଜ୍‌ କରିଡର ବିକାଶ ଓ ରୁପା ଚାଦର କମିଟିର ସେ ବିଶେଷଜ୍ଞ ସଦସ୍ୟ ଥିଲେ।। ଭୁବନେଶ୍ବର ଉପକଣ୍ଠରେ ଶିଳ୍ପୀ ଗ୍ରାମ ଓ ରଘୁନାଥ କ୍ରାଫ୍ଟ୍‌ସ୍‌ ପ୍ରତିଷ୍ଠା କରି ନିଜକୁ ସବୁବେଳେ ଭାସ୍କର୍ଯ୍ୟକଳାରେ ନିମଜ୍ଜିତ ରଖୁଥିଲେ। ସେଠାରେ ତାଙ୍କ ଠାରୁ ତାଲିମ୍‌ ନେଇଥିବା ବହୁ ଶିଳ୍ପୀ ଦେଶ, ବିଦେଶରେ ବେଶ୍‌ ନାଁ କମାଇଛନ୍ତି।

ଗତ କିଛିବର୍ଷ ହେଲା ଶ୍ରୀ ମହାପାତ୍ର ରାଜ୍ୟରେ ଦ୍ବିତୀୟ କୋଣାର୍କ ଗଢ଼ିବା ପାଇଁ ଲାଗି ପଡ଼ିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଥିଲେ। ତେବେ ଦ୍ବିତୀୟ କୋଣାର୍କ ବାସ୍ତବ ରୂପ ନେବା ପୂର୍ବରୁ ଶ୍ରୀ ମହାପାତ୍ର ଆରପାରିକୁ ଚାଲିଗଲେ।

କଳାକ୍ଷେତ୍ର ଦୁର୍ବଳ ହୋଇଗଲା: ରାଷ୍ଟ୍ରପତି
ବିଶିଷ୍ଟ ଭାସ୍କର୍ଯ୍ୟ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ମହାପ୍ରୟାଣରେ ଶୋକବ୍ୟକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶ୍ରୀ କୋବିନ୍ଦ ଟ୍ବିଟ୍‌ ଯୋଗେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ବର୍ଗତ ମହାପାତ୍ରଙ୍କ ଦେହାନ୍ତରେ ସମ୍ପୂର୍ଣ୍ଣ କଳାକ୍ଷେତ୍ର ଦୁର୍ବଳ ହୋଇଗଲା। ସେ ୩ଟି ଯାକ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ସ୍ଥାନ ଆଉ କେହି ବି ପୂରଣ କରିପାରିବେନାହିଁ। ଏହା ଏକ ଅପୂରଣୀୟ କ୍ଷତି। ସ୍ବର୍ଗତ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁ ଓ ଅନୁଗାମୀମାନଙ୍କ ପ୍ରତି ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇଛନ୍ତି।

ପାରମ୍ପରିକ କଳା ପାଇଁ ସ୍ମରଣୀୟ ରହିବେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାଂସଦ ସ୍ବର୍ଗତ ମହାପାତ୍ର କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଶ୍ବପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ପାରମ୍ପରିକ କଳାକୁ ଲୋକଲୋଚନକୁ ଆଣିବାରେ ସେ ସ୍ମରଣୀୟ ହୋଇରହିବେ।

ଭାସ୍କର୍ଯ୍ୟର ଚମତ୍କାରିତା ଅବିସ୍ମରଣୀୟ ହୋଇରହିବ: ରାଜ୍ୟପାଳ
ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଶୋକବାର୍ତ୍ତରାରେ କହିଛନ୍ତି, ସ୍ବର୍ଗତ ମହାପାତ୍ରଙ୍କ ଭାସ୍କର୍ଯ୍ୟର ଚମତ୍କାରିତା ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ: ମୁଖ୍ୟମନ୍ତ୍ରୀ
ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକରେ କହିଛନ୍ତି, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୁନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିପାରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ। ସେ ଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରାଦେଶରେ ବହୁ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଥିଲା। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନଃନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟକର ପ୍ରତିଭା। ତାଙ୍କ ବିୟୋଗରେ ଭାରତର କଳା ଜଗତର ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଓଡ଼ିଶାର କଳାସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରକୁ ନେଇଥିଲେ: ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ବର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ଗୌରବାନ୍ବିତ କରିଥିଲେ। ତାଙ୍କ ଦେହାନ୍ତ ଯୋଗୁ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଟ୍ବିଟ୍‌ ଯୋଗେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର