ବ୍ରହ୍ମପୁର : ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ରବିବାର ଦିନ ପଦ୍ମପୁର ଉପନିର୍ବାଚନକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ପଦ୍ମପୁରରେ ବିଜେଡି ଶାସନକୁ ସଚେତନ କରିବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୁହେଁ, ପ୍ରଶାସନର ଅହଙ୍କାର ଭାଙ୍ଗିବେ ପଦ୍ମପୁରବାସୀ। ଏଥିପାଇଁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ୍‌ ଦେବାପାଇଁ ପଦ୍ମପୁରବାସୀଙ୍କୁ ମୁଁ ଆହ୍ବାନ କରିବା ସହିତ ଅନୁରୋଧ କରୁଛି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀ ତୁରନ୍ତ କିଛି ପଦକ୍ଷେପ ନନେଲେ ପଦ୍ମପୁରରେ ନିଶ୍ଚିତ ଭାବେ ଫୁଲ ଫୁଟିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚାରିପଟେ ଯେଉଁମାନେ ବୁଲୁଛନ୍ତି ପ୍ରଥମେ ସେମାନଙ୍କୁ ନିର୍ମଳ କରନ୍ତୁ। ଏହାପରେ ତାଙ୍କର ଭାବମୂର୍ତ୍ତି ଆହୁରି ସୁଦୃଢ଼ ହେବ। ନହେଲେ ପଦ୍ମପୁର ହାତକୁ ଖସିଯିବ ବୋଲି କହିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକ୍‌ର ନାରାୟଣପୁର ପଞ୍ଚାୟତର ଆଲିପୁରରେ ରବିବାର ଦିନ ବିଧାୟକ ପ୍ରଦୀପଙ୍କ ପଦଯାତ୍ରା ରହିଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି। ଯେଉଁ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକ ତଥା ବିଧାୟକଙ୍କ କଥା ଶୁଣିବେ ନାହିଁ, ଅଧିକାରୀମାନେ ସବୁ କଥାରେ ନିଷ୍ପତ୍ତି ନେବେ, ତେବେ ଲୋକେ କାହାକୁ ବିଶ୍ବାସ କରିବେ ବୋଲି ବିଧାୟକ ପ୍ରଦୀପ ପ୍ରଶ୍ନ କରିଛନ୍ତି। ଆଜି ଜିଲ୍ଲାପାଳ, ଏସ୍‌ପି ଅଫିସ୍‌ ଉପରେ ସାଧାରଣ ଲୋକଙ୍କ ବିଶ୍ବାସ ହେଉନାହିଁ। ଜିଲ୍ଲାସ୍ତରୀୟ ଅଫିସ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ହୋଇଥିଲେ ଏଭଳି ଅସୁବିଧା ହୋଇନଥାନ୍ତା, ଲୋକଙ୍କ ପ୍ରତିକ୍ରିୟା ଉଠି ନଥାନ୍ତା କି ଧାମନଗର ହାତରୁ ଯାଇନଥାନ୍ତା। ରେଳମନ୍ତ୍ରୀ ପଦ୍ମପୁରରେ ରେଳ ଲାଇନ୍‌ ପାଇଁ ଟଙ୍କା ମଂଜୁରି ପ୍ରସ୍ତାବ ରହିଥିବା କହିଛନ୍ତି। କିନ୍ତୁ ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ ପାଇଁ ଟଙ୍କାଟିଏ ପ୍ରସ୍ତାବ ନାହିଁ। ଉଭୟ ବିଜେପି ଓ କଂଗ୍ରେସର ନେତାମାନେ ମଧ୍ୟ ନିଜ ନିଜ ସ୍ତରରେ ଏକ ହୁଅନ୍ତୁ ଓ ଲୋକଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରନ୍ତୁ ବୋଲି ବିଧାୟକ ପ୍ରଦୀପ କହିଛନ୍ତି।