ରାମଚନ୍ଦ୍ରପୁର,(ଗତିକୃଷ୍ଣ ଭୂୟାଁ): ପରିବେଶ ପାଇଁ ସମର୍ପିତ ପଦ୍ମନାଭ ହୋତା ଓ ଘନଶ୍ୟାମ ସାହୁ। ପଦ୍ମନାଭ ନଣ୍ଡା ପାହାଡ଼କୁ ସବୁଜିମାମୟ କରିଥିବା ବେଳେ ଘନଶ୍ୟାମ ନିଜ ପୁଅଝିଅ ଭଳି ଗଛର ଯତ୍ନ ନେଇ ପ୍ରଥମାଷ୍ଟମୀରେ ଗଛକୁ ପଢ଼ୁଆଁ କରିଥାନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ତ ଘସିପୁରା ବ୍ଲକ୍ ଗଁପୁର ପଞ୍ଚାୟତ ଅଙ୍ଗାରୁଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ହୋତା (୭୫)ଙ୍କ ଉଦ୍ୟମରେ ନଣ୍ତା ହୋଇଯାଇଥିବା କଜ୍ବଳାଈ ପାହାଡ଼ ଆଜି ସବୁଜିମାମୟ ହୋଇପାରିଛି। ଗଛ ଡାଳରେ ପକ୍ଷୀଙ୍କ କଳରବ ସାଙ୍ଗକୁ ଏହାରି ଭିତରେ ହରିଣ, ଠେକୁଆଙ୍କ ବିଚରଣ ପ୍ରକୃତିର ଶୋଭାକୁ ଦ୍ବିଗୁଣିତ କରିଛି। ସତେ ଯେମିତି ନନ୍ଦନକାନନର ଭ୍ରମ ସୃଷ୍ଟି କରୁଛି।
ସଂସ୍କୃତ ଶିକ୍ଷକ ଭାବେ ବିଭିନ୍ନ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଉଦ୍ୟମରେ ସ୍ଥାନୀୟ କଜ୍ବଳେଈ ପାହାଡ଼ରେ ନୂତନ ଆମ୍ବ ବଗିଚା ସୃଷ୍ଟି ହୋଇଛି। କଜ୍ବଳେଈ ପାହାଡ଼ରୁ ଓଏମ୍ସି କ୍ବାର୍ଜାଇଟ୍ ପଥର ଉତ୍ତୋଳନ କରୁଥିଲା। ଫଳରେ ଜଙ୍ଗଲ ନଷ୍ଟ ହେବା ପରେ ପାହାଡ଼ର ଗୋଟିଏ ପାର୍ଶ୍ବ ଏକପ୍ରକାର ନଣ୍ଡା ହୋଇଯାଇଥିଲା। ସମ୍ପୃକ୍ତ ଅଞ୍ଚଳକୁ ସରକାର ସଂରକ୍ଷିତ ଜଙ୍ଗଲ ଘୋଷଣା କରିବା ପରେ ପଥର ଉତ୍ତୋଳନ ବନ୍ଦ ହୋଇଥିଲା। ଏହାପରେ ପଦ୍ମନାଭ ନଣ୍ଡା ପାହାଡ଼ରେ ଆମ୍ବଚାରା ଲଗାଇବା ଆରମ୍ଭ କରିଥିଲେ। ବର୍ତ୍ତମାନ ଗଛ ଗୁଡ଼ିକରେ ଆମ୍ବ ଫଳିବା ସହ ନଣ୍ଡା ପାହାଡ଼ଟି ସବୁଜିମାମୟ ହୋଇଯାଇଛି। ପଦ୍ମନାଭ ନିଜ ଉଦ୍ୟମରେ ଘର ଅଗଣାରେ ଚାରା ପ୍ରସ୍ତୁତ କରି ବିନାମୂଲ୍ୟରେ ବଣ୍ଟନ କରିଆସୁଛନ୍ତି। ଏଥିପାଇଁ ପଦ୍ମନାଭଙ୍କୁ ଆନନ୍ଦପୁର ଲୋକ ମହୋତ୍ସବ, ରଥସେବା ପ୍ରତିଷ୍ଠାନ, ଡିଏନ୍ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀରେ ସମ୍ବର୍ଦ୍ଧିତ କରାଯିବା ସହ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି। ଡା. ପ୍ରାଣକୃଷ୍ଣ ପରିଜା, ଜଗଦୀଶ ଚନ୍ଦ୍ର ବୋଷ, ସତୀଶ ଚନ୍ଦ୍ର ଦାସଗୁପ୍ତା ଏବଂ ସ୍ବାମୀ ପରମହଂସ ପ୍ରଜ୍ଞାନନ୍ଦଙ୍କ ପ୍ରେରଣାଦାୟୀ ବାର୍ତ୍ତା ତାଙ୍କୁ ଏଦିଗରେ ବାଟ ଦେଖାଇଛି ବୋଲି କହିଛନ୍ତି।
ସେହିପରି ଘସିପୁରା ବ୍ଲକ୍ ଅଳତି ଗ୍ରାମର ଘନଶ୍ୟାମ ସାହୁ (୯୦) ମଧ୍ୟ ବୃକ୍ଷରୋପଣ କାର୍ଯ୍ୟରେ ନିଜକୁ ଦୀର୍ଘବର୍ଷ ହେଲା ନିୟୋଜିତ କରିଛନ୍ତି। ଗଛର ଯତ୍ନ ନିଜ ପୁଅଝିଅ ଭଳି ନେଇଥାନ୍ତି। ପ୍ରଥମାଷ୍ଟମୀରେ ଗଛରେ ନୂଆ କପଡ଼ା ବାନ୍ଧିବା ସହ ଚନ୍ଦନ, ସିନ୍ଦୂର ଲଗାଇ ପଢ଼ୁଆଁ କରିଥାନ୍ତି। ୧୯୭୮ ଏପ୍ରିଲ ୧୬ ତାରିଖରେ ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଭୟାବହ ଘୂର୍ଣ୍ଣିବାତ୍ୟାରେ ପାଖଆଖ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇଯାଇଥିଲା। ଏହାପରେ ଘନଶ୍ୟାମ ନିଜ ଉଦ୍ୟମରେ ରାସ୍ତାକଡ଼, ପୋଖରୀ ହୁଡ଼ା, ପତିତ ଜମିରେ ବୃକ୍ଷରୋପଣ କରି ସେଗୁଡ଼ିକର ଯତ୍ନ ନେଇଥିଲେ। ଏହି ମହାନ କାର୍ଯ୍ୟପାଇଁ ପ୍ରଦ୍ୟୁମ୍ନ ବଳ ଫାଉଣ୍ତେସନ ପକ୍ଷରୁ ଶ୍ରେଷ୍ଠ ପରିବେଶବିତ ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଘନଶ୍ୟାମ ଏହି ସମ୍ମାନ ଗ୍ରହଣ କରିଥିଲେ।