ପଦ୍ମପୁର ଉପନିର୍ବାଚନ: ପୁଣି ‘ବିଦେଶିନୀ’ ଚର୍ଚ୍ଚା

ବରଗଡ଼: ପଦ୍ମପୁର ଉପନିର୍ବାଚନରେ ବିଜେଡିର ପ୍ରଚାରରେ ଅଙ୍କୁଶ ଲଗାଇବା ପାଇଁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ‘ବିଦେଶିନୀ’ ପ୍ରସଙ୍ଗ ଉଠାଇଛନ୍ତି। ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ବରିହାଙ୍କୁ ‘ବିଦେଶିନୀ’ ଆଖ୍ୟାଦେଇ ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି, ବାହାଘର ପରେ ବର୍ଷା ଏବେ ଶ୍ବଶୁର ଘର ସଦସ୍ୟା। ଫଳରେ, ପଦ୍ମପୁରବାସୀଙ୍କ ପାଇଁ ସେ ବିଦେଶିନୀ ସଦୃଶ। ଦଳର ରାଜ୍ୟ ମୁଖପାତ୍ର କହିଛନ୍ତି, ବର୍ଷା ପୁରୀର ସତ୍ୟବାଦୀ ଅଞ୍ଚଳ‌ରେ ବାହା ହୋଇଛନ୍ତି। ଉପନିର୍ବାଚନ ନଥିଲେ ତାଙ୍କର ପଦ୍ମପୁରବାସୀଙ୍କ ସହ କୌଣସି ସଂପର୍କ ନଥା’ନ୍ତା। ଉପନିର୍ବାଚନ ହୋଇନଥିଲେ କିମ୍ବା ବିଜେଡି ତାଙ୍କୁ ପ୍ରାର୍ଥିନୀ କରିନଥିଲେ, ଏଠାରେ ତାଙ୍କର ଦେଖାଦର୍ଶନ ବି ମିଳିନଥାନ୍ତା। ସେ ବି ଶ୍ବଶୁର ଘର ଛାଡ଼ି ଆଗକୁ ଏଠାରେ ସ୍ଥାୟୀ ଭାବେ ବି ରହିବେନି। ଏକଥା ଭୋଟର୍‌ ହୃଦୟଙ୍ଗମ କରିସାରିଛନ୍ତି ବୋଲି ଶ୍ରୀ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେହିଭଳି, କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ମତ ପ୍ରକାଶ ପାଇଛି। ବିଜେଡି ନିଜ ଫାନ୍ଦରେ ନିଜେ ଫସିଛି ବୋଲି କଂଗ୍ରେସ ନେତା ନିପନ ଦାଶ କହିଛନ୍ତି।

ଶ୍ରୀ ଦାଶ କହିଛନ୍ତି, ଜିଲ୍ଲା ପରିଷଦ ନିର୍ବାଚନ ବେଳେ ବରଗଡ଼ ବ୍ଲକ୍‌ କଟାପାଲିରେ ବିଜେପିର ପୂର୍ବତନ ଜିଲ୍ଲାପରିଷଦ ସଭାପତି ମୁକ୍ତା ସାହୁ ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ବିଜେଡି ବାହାର ପ୍ରାର୍ଥୀ ବୋଲି କଟାକ୍ଷ କରି ଚାଲିଥିଲା। ଏବେ ବିଜେଡି ଶାଶୂଘରେ ରହୁଥିବା ଝିଅ (ବର୍ଷା)ଙ୍କୁ ଆଣି ବାପଘରେ ପ୍ରାର୍ଥିନୀ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେରେ, ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ଏହି ଘଟଣାରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀମତୀ ଛୁରିଆ କହିଛନ୍ତି, ମା’ ମାଟିର ଭାବାବେଗ କେବଳ ଝିଅ ବୁଝିପାରେ। ଗୋଟିଏ ଝିଅ ମା’ଘରକୁ ବେଶି ସମ୍ମାନ ଦିଏ ଏବଂ ଯତ୍ନ କରେ। ବର୍ଷା ସବୁ କିଛି ଛାଡ଼ି ମା’ ଘର (ପଦ୍ମପୁର)ର ହିତ ଚିନ୍ତା କରିବା ସହ ପ୍ରାର୍ଥିନୀ ହୋଇଛନ୍ତି। ଯିଏ ଏଥିରେ ଭୁଲ୍‌ ଭାବନା ରଖୁଛି, ସେ ମା’ ଜାତିକୁ ସମ୍ମାନ କରୁନି ବୋଲି ବୁଝାପଡ଼ିବ ବୋଲି ଶ୍ରୀମତୀ ଛୁରିଆ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର