ପଦ୍ମପୁର ଉପନିର୍ବାଚନ: ରେକର୍ଡ ଭାଙ୍ଗିଲା ଭୋଟ୍‌ହାର

ବରଗଡ଼/ ପଦ୍ମପୁର: ଘଟଣାବହୁଳ ଏବଂ ଉଷ୍ଣତାପୂର୍ଣ୍ଣ ପଦ୍ମପୁର ଉପନିର୍ବାଚନର ଫଳାଫଳ ଆକଳନ ବାହାରକୁ ଚାଲିଯାଇଛି। କିନ୍ତୁ ଏହି ଉପନିର୍ବାଚନ ଏହି ନିର୍ବାଚନମଣ୍ଡଳୀ ପାଇଁ ଗୁଡ଼ାଏ ରେକର୍ଡ ସ୍ଥାପନ କରିଛି। ଦ୍ବିତୀୟ  ଉପନିର୍ବାଚନ ସମ୍ମୁଖୀନ କରୁଥିବା  ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟ୍‌ହାର ସର୍ବାଧିକ ୮୧.୨୯% ପ୍ରତିଶତ ମତଦାନ କରିଛନ୍ତି। ଯାହାକି ନିର୍ବାଚନମଣ୍ଡଳୀ ପାଇଁ ସର୍ବକାଳୀନ ରେକର୍ଡ। ଏଠାରେ ଗତ ୨୦୦୪ ସାଧାରଣ ନିର୍ବାଚନରେ ୭୪.୦୯%, ୨୦୦୯ରେ ୭୫.୫୧ %, ୨୦୧୪ ଓ ଗତ ନିର୍ବାଚନରେ ୭୯.୧୬ % ମତଦାନ ହୋଇଥିଲା।

ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଏହି ଉପନିର୍ବାଚନ ନିଜସ୍ୱ ରେକର୍ଡ ଭାଙ୍ଗିଛି। ୧୯୫୪ ଉପନିର୍ବାଚନରେ କେବଳ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିବା ବେଳେ ଏଥର କିନ୍ତୁ ମଇଦାନରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ସେହିପରି ଏଥର ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ‌ମତଦାନରୁ ମିଳିଥିବା ତଥ୍ୟ ଅନୁସାରେ, ମୋଟ୍‌ ୨,୫୭,୪୭୪ ଭୋଟର୍‌ ମଧ୍ୟରୁ ୨,୦୯,୩୦୩  ମତଦାନ ସାବ୍ୟସ୍ତ କରିଛନ୍ତି। ନିର୍ବାଚନମଣ୍ଡଳୀର ସବୁଠାରୁ ବେଶି ଝାରବନ୍ଧ ବ୍ଲକ୍‌ରେ ୮୩.୮୧ % ମତଦାନ ହୋଇଥିବା ବେଳେ ପଦ୍ମପୁର ଏନ୍‌ଏସିରେ  ୬୯.୪୧% ମତଦାନ ହୋଇଛି। ଝାରବନ୍ଧ ବ୍ଲକ୍‌ରେ ୬୦,୫୬୬  ମତଦାତାଙ୍କ ମଧ୍ୟରୁ ୫୦,୭୬୨ ଜଣ (୮୩.୮୧%) ମତଦାନ କରିଥିଲେ। ପାଇକମାଳରେ ୮୯,୨୯୮ ମଧ୍ୟରୁ ୭୨, ୭୧୦ (୮୧.୪୨%) ମତଦାନ କରିଛନ୍ତି। ସେହିପରି ପଦ୍ମପୁର ରାଜବୋଡାସମ୍ବର ବ୍ଲକ୍‌ରେ ୯୩,୯୩୬ ମଧ୍ୟରୁ ୭୬,୩୮୩ (୮୧.୩୧%) ଓ ପଦ୍ମପୁର ଏନ୍‌ଏସିରେ ୧୩,୬୩୪ ଭୋଟର ମଧ୍ୟରୁ ୯,୪୫୪ (୬୯.୧୪%) ମତଦାନ କରିଛନ୍ତି।

କେଉଁ ବର୍ଷ କେତେ ଭୋଟ୍‌ହାର
(୧୯୭୧ ମସିହା ଠାରୁ)
୧୯୭୧               ୩୦.୧୯
୧୯୭୪              ୪୪.୬୪
୧୯୭୭              ୨୭.୬୩
୧୯୮୦              ୪୪.୧୧
୧୯୮୫              ୪୪.୩୪
୧୯୯୦              ୫୬.୫୩
୧୯୯୫              ୭୮.୬୧
୨୦୦୦             ୬୪.୧୯
୨୦୦୪             ୭୪.୦୯
୨୦୦୯             ୭୫.୫୧
୨୦୧୪             ୭୯.୧୬
୨୦୧୯             ୭୯.୧୬

ସମ୍ବନ୍ଧିତ ଖବର