ଏବେ ମୁହାଁମୁହିଁ ଲଢ଼େଇ: ଜମିବ ପଦ୍ମପୁର ପ୍ରଚାର; ଆଜି ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ, ତୋମାର୍‌

ବରଗଡ଼ : ପ୍ରାର୍ଥୀ ନାମ ଘୋଷଣା ହେବା ପରଠୁ ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ ହୋଇଥିଲା। କ୍ରମଶଃ ଏଥିରେ ବେଗ ଧରିଛି। ଇତିମଧ୍ୟରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିର୍ବାଚନମଣ୍ଡଳୀର ସମସ୍ତ ଜୋନ୍‌ରେ ଅତିକମ୍‌ରେ ଥରେ ଲେଖାଏଁ ନିର୍ବାଚନୀ ସଭା ସାରିଲେଣି। ଘର ଘର ବୁଲି ବି ପ୍ରଚାର ଚାଲିଛି। କିନ୍ତୁ ଏବେ ଲଢ଼େଇ ମୁହାଁମୁହିଁ ସ୍ତରକୁ ଆସିବା ଲକ୍ଷଣ ଦେଖା ଦେଲାଣି। ଅର୍ଥାତ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସିଧା ପରସ୍ପର ବିରୋଧରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେଣି। ରବିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପାଇକମାଳ ଓ ପଦ୍ମପୁରରେ ସାଧାରଣ ସଭା କରିବେ। ପାଇକମାଳଠାରେ ଦିନ ୧୨ଟାରେ‌ ଉଭୟ କେନ୍ଦ୍ରମନ୍ତ୍ରୀ ସାଧାରଣ ସଭା କରିବେ। ପରେ ପଦ୍ମପୁରସ୍ଥିତ ଅଶୋକ କ୍ଲବ୍‌ ପଡ଼ିଆରେ ଉଭୟେ ସମାବେଶ କରିବେ।

ପୂର୍ବରୁ ବିଜେଡି ଏବଂ ବିଜେପି ମଧ୍ୟରେ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍‌କୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।ସେହିଭଳି ଫସଲ ବୀମା ପ୍ରସଙ୍ଗରେ ଟଣାଓଟରା ପରିସ୍ଥିତି ଲାଗିଥିଲା ଉଭୟ ଦଳ ମଧ୍ୟରେ। ପରସ୍ପର ପରସ୍ପର ବିରୋଧରେ ଦୋଷ ଲଦିଥିଲେ। ଭୋଟର ଦ୍ବନ୍ଦ୍ବରେ ଅଛନ୍ତି, କିଏ ସତ କହୁଛନ୍ତି। ଏମିତି ସମୟରେ କେନ୍ଦ୍ରମନ୍ତ୍ରୀ ତୋମାର ପଦ୍ମପୁର ପ୍ରଚାର ସମୟରେ ଫସଲ ବୀମା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିପାରନ୍ତି। ଫସଲବୀମା କ୍ଷେତ୍ରରେ ସରକାରୀ ବୀମା କମ୍ପାନି ବଦଳରେ ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ଦାୟିତ୍ବ ଦେବା କାରଣରୁ ବୀମା ଟଙ୍କା ମିଳିବାରେ ବିଳମ୍ବ ହୋଇଛି ବୋଲି କେନ୍ଦ୍ର ଯେଉଁ ଅଭିଯୋଗ କରିଥିଲା, ତାହାକୁ ତୋମାର ଅଧିକ ବଳ ଦେଇପାରନ୍ତି। ଏମିତିରେ ବି ବିଜେପି ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଉଜ୍ଜୀବିତ ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ। ସେହିଭଳି ପ୍ରସ୍ତାବିତ ରେଳଲାଇନ୍‌ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇନଥିବା ବିଜେପି ଅଭିଯୋଗ କରି ଆସୁଛି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବରୁ ଥରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। କାଲି ଆଉ ପାଦେ ଆଗକୁ ଯାଇ ଶ୍ରୀ ବୈଷ୍ଣବ ଏହି ପ୍ରସଙ୍ଗରେ ବିଜେଡିକୁ ଘେରିବା ସମ୍ଭାବନା ଅଧିକ।

ରେଳ ଓ ଫସଲ ବୀମା ପ୍ରସଙ୍ଗରେ କହିପାରନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ
ବିଜେପିର ମୁକାବିଲା ଲାଗି ରଣନୀତି କରୁଛି ବିଜେଡି, ବଡ଼ ସମାବେଶ କରିବ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ, କହ୍ନେୟାଙ୍କୁ ଆଣି ଘେରିବାକୁ କଂଗ୍ରେସର ଯୋଜନା

ଅନ୍ୟପକ୍ଷରେ ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି ମଧ୍ୟ ନିଜ ରଣନୀତି ପ୍ରସ୍ତୁତିରେ ଲାଗିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଫସଲ ବୀମାରେ ବିଳମ୍ବ ନେଇ ବିଜେଡି ବାରମ୍ବାର କେନ୍ଦ୍ର ସରକାରକୁ ଦାୟୀ କରି ଆସୁଛି। ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ଥିବାରୁ ଏହା କେନ୍ଦ୍ରର ହିଁ ଯୋଜନା ବୋଲି ବିଜେଡିର ଯୁକ୍ତି ରହିଛି। କାଲି ତୋମାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ବିଜେଡି ତାର ସ୍ବରକୁ ଆହୁରି ଶାଣିତ କରିପାରେ। ସେହିପରି ରେଳପଥ ପ୍ରକଳ୍ପ ନେଇ କେନ୍ଦ୍ର ସରକାର ବର୍ତ୍ତମାନ ଯାଏଁ ଝୁଲାଇଲା ଭଳି ମତମନ୍ତବ୍ୟ ଦେଉଥିବା ବିଜେଡି କହୁଛି। ଏଣୁ ବୈଷ୍ଣବଙ୍କ ସଂପର୍କରେ ବି ବିଜେଡି ନିଜ ପକ୍ଷ ରଖିବାକୁ ଯାଇ ତାଙ୍କୁ ଘେରିବା ଲାଗି ପ୍ରସ୍ତୁତି ଚଳାଇଛି। କେବଳ ସେତିକି ନୁହେଁ, ଆଗାମୀ ଦିନରେ ଦଳ ବଡ଼ ସମାବେଶ କରିବା ସହ ହେଭିୱେଟ୍‌ ନେତାଙ୍କୁ ନେଇ ଉଭୟ ପ୍ରସଂଗରେ ନିଜ ଭୂମିକା ଉତ୍‌ଥାପନ କରିବାକୁ ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଗୋଟିଏ ସୂତ୍ର କହୁଛି ଯେ ମୁଖ୍ୟମନ୍ତ୍ରୀ ସମ୍ଭବତଃ ଡିସେମ୍ବର ୨ କିମ୍ବା ୩ ତାରିଖ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବା ‌େଯାଜନା ରହିଛି। ତେବେ ଏଯାଏ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ଦଳ ପକ୍ଷରୁ ବିଧିବଦ୍ଧ କିଛି କୁହାଯାଇନାହିଁ।

ଉଲ୍ଲେଖଥାଉକି, ବରଗଡ଼ ଜିଲ୍ଲାରେ କୌଣସି ନିର୍ବାଚନ ହେଲେ ଏଠାରେ ଛତିଶଗଡ଼ର ନେତାଙ୍କୁ ବି ପ୍ରଚାରରେ ଦେଖିବାକୁ ମିଳିଥାଏ। ଏବେ ଛତିଶଗଡ଼ରେ କଂଗ୍ରେସ ସରକାର। ତେଣୁ ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ କହ୍ନେୟା କୁମାରଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇବାକୁ କଂଗ୍ରେସ ଯୋଜନା ରଖିଛି। ଏହି ନେତାଙ୍କୁ ନେଇ ପଦ୍ମପୁର ଉପଖଣ୍ଡର ଧାନ ଅଭାବୀ ବିକ୍ରି ସମସ୍ୟା ଏବଂ ଦାଦନ ପ୍ରସଂଗ ନେଇ କଂଗ୍ରେସ ଭୋଟର୍‌ଙ୍କ ପାଖକୁ ଯିବ ବୋଲି ପ୍ରସ୍ତୁତି ଚାଲିଛି।

ଏବେ ପ୍ରଶ୍ନ ଉଠୁଛି, କେଉଁ ପ୍ରସଂଗର ପ୍ରାସଂଗିକତା ରହିବ? କେଉଁ ପ୍ରସଂଗ ଏବଂ ଏହାର ସମାଧାନ ଉପରେ ଭୋଟର୍‌ ଭରସା କରିବେ?

ସମ୍ବନ୍ଧିତ ଖବର