ବରଗଡ଼/ପାଇକମାଳ/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାରକୁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ‌କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ‌ତୋମାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧା ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ (ଭାୟା ପଦ୍ମପୁର, ପାଇକମାଳ) ପ୍ରସଂଗ ଉଠାଇ ଏହା ଉପରେ ମନ୍ତ୍ରୀ ଟୁକୁନି ସାହୁ ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦେଇଥିବା ଟିପ୍ପଣୀ ବିଭ୍ରାନ୍ତିକର ବୋଲି କହିଛନ୍ତି। ମନ୍ତ୍ରୀ କହିଲେ, ରାଜ୍ୟ ସରକାର ଆଜି ଜମି ଦେଲେ କାଲିଠୁ ରେଳ ଲାଇନ୍‌ କାମ ଆରମ୍ଭ ହେବ। କିନ୍ତୁ ବିଜେଡି ସରକାର ଜମି ଦେବା ବଦଳରେ କେନ୍ଦ୍ର ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରୁଛି। ମୋଦୀ ସରକାର ଏବେ ଓଡ଼ିଶାକୁ ରେଳ ବଜେଟ୍‌ରେ ୧୦ ହଜାର କୋଟି ଟଙ୍କା ଦେଇଛି, ଯାହାକି ଐତିହାସିକ। ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ନେଇ ମୋଦୀ ସରକାର ଓ ରେଳ ମନ୍ତ୍ରାଳୟର ସଂପୂର୍ଣ୍ଣ ସହମତି ରହିଥିଲା। ସେହି ହିସାବରେ ପଦକ୍ଷେପ ବି ନିଆ ଯାଇଛି। କେବଳ ଜମି ମିଳିଲେ କାମ ଆରମ୍ଭ ହେବ। ଯଦି ରାଜ୍ୟ ସରକାର ସହଯୋଗ କରିବେ ତେବେ ଓଡ଼ିଶାର ବିକାଶ ପାଇଁ କିଛି ସମସ୍ୟା ନାହିଁ ବୋଲି ସେ ମତ ଦେଇଥିଲେ।

Advertisment

ରାଜ୍ୟ ଆଜି ଜମି ଦେଲେ କାଲିଠୁ ରେଳ ଲାଇନ୍‌ କାମ ଆରମ୍ଭ ହେବ: ଅଶ୍ବିନୀ
ଫସଲ ବୀମା ବଣ୍ଟନରେ ବିଳମ୍ବ ପାଇଁ ରାଜ୍ୟ ଦାୟୀ: ତୋମାର

publive-image

ସେହିଭଳି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଂଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଏହି ଯୋଜନାରେ କେନ୍ଦ୍ର ସରକାର ନିଜ ସମସ୍ତ ଭାଗର ସମସ୍ତ ଦେୟ ଠିକଣା ସମୟରେ ଜମା କରି ସାରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଘରୋଇ କମ୍ପାନିକୁ ପୂରାଇ ମାମଲାକୁ ବିଳମ୍ବିତ କରିଛନ୍ତି। ୫ ବର୍ଷ ମଧ୍ୟରେ ସାରାଦେଶରେ ୧ ଲକ୍ଷ ୨୪ ହଜାର କୋଟି ବୀମା କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ପଦ୍ମପୁର ଚାଷୀ ଏହା ପାଇବାରେ ବିଳମ୍ବ ପାଇଁ କେବଳ ରାଜ୍ୟ ସରକାର ହିଁ ଦାୟୀ ବୋଲି କହିଥିଲେ। ବୀମା କମ୍ପାନି ଉପରେ ରାଜ୍ୟର ଅହେତୁକ ଅନୁକମ୍ପା କାରଣରୁ ଚାଷୀ ହଇରାଣ ହେଉଥିବା ସେ କହିଥିଲେ। ଅନ୍ୟପକ୍ଷରେ ବିଧ‌ାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍‌ ଭିକ୍ଷା କରି ସେ ତାଙ୍କୁ ନିଜ ମାଟି ପାଇଁ ସଦା ତତ୍ପର ଜଣେ ଲଢ଼ୁଆ ନେତାର ଆଖ୍ୟା ଦେଇଥିଲେ।

ପାଇକମାଳ ହାଇସ୍କୁଲ ପଡ଼ିଆ ଓ ପଦ୍ମପୁରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବିଜେପି ଓଡ଼ିଶା ପ୍ରଭାରୀ ଜି ପୁରନ୍ଦରେଶ୍ବରୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ତି ସାଂସଦ ବସନ୍ତ ପଣ୍ତା, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ପୂର୍ବତନମନ୍ତ୍ରୀ କେଭି ସିଂହଦେଓ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଂଗାଲି ବିଧାୟକ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସରେଇପାଲି ବିଧାୟକ ଚୁନ୍ନିଲାଲ ସାହୁ, ପୂର୍ବତନ ବିଧାୟକ ରୂପକୁମାରୀ ସାହୁ, ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତରାୟ, ପୃଥ୍ବୀରାଜ ହରିଚନ୍ଦନ, ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଂଗୀ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂହବରିହା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସରୋଜ ସାମଲ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମୁରାରୀ ମିଶ୍ରଙ୍କ ଝିଅ ରାଜଲକ୍ଷ୍ମୀ ମିଶ୍ର ବିଜେପିରେ ସାମିଲ ହୋଇଥିଲେ।