ସମ୍ବଲପୁର : ପଦ୍ମପୁର ଉପନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଛି। ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଘଟୁଛି ଯାହା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ବିଶେଷ କରି ବିଜେଡି ଓ ବିଜେପି ଦଳ ପକ୍ଷରୁ ଏଠାରେ ପ୍ରୟୋଗ କରାଯାଉଥିବା ସବୁ ପ୍ରକାର କଳ, ବଳ, କୌଶଳ ଏହି ନିର୍ବାଚନକୁ ଏକ ଭିନ୍ନସ୍ତରକୁ ନେଇ ଯାଇଛି। ଉପନିର୍ବାଚନ ସମୟରେ ପଦ୍ମପୁର ଭଳି ଛୋଟ ସ୍ଥାନରେ ବ୍ୟବସାୟୀଙ୍କ ଉପରେ ଆୟକର ଓ ଜିଏସ୍‌ଟି ଚଢ଼ଉ ହେବା ଘଟଣା ରାଜ୍ୟପ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ଉକ୍ତ ବ୍ୟବସାୟୀମାନେ ଅନିୟମିତତା କରିଛନ୍ତି ନା’ ସଚ୍ଚୋଟ ତାହା ପର କଥା, କିନ୍ତୁ ଦୁଇ ରାଜନୈତିକ ଦଳର ସମର୍ଥକ ହୋଇଥିବାରୁ ପରସ୍ପରର ନିୟନ୍ତ୍ରଣାଧୀନ ସରକାରୀ ସଂସ୍ଥା ଦ୍ବାରା ଅପର ପକ୍ଷ ଉପରେ ଚଢ଼ଉ କରାଯିବା ଅଭିଯୋଗ ପରିସ୍ଥିତିକୁ ଗମ୍ଭୀର କରିଛି।

Advertisment

ଏହାର ପ୍ରତିକ୍ରିୟାରେ ପଦ୍ମପୁର ବ୍ୟବସାୟୀ ସଂଘ ନିର୍ବାଚନ ସମୟରେ ବନ୍ଦ ଡାକରା ଦେଲାଣି। ସେଥିରେ ପୁଣି ଜଣେ ବିଜେପି କର୍ମୀଙ୍କୁ ବିଜେଡି ବିଧାୟକ ଓ ସମର୍ଥକମାନେ ଅପହରଣ କରିଥିବା ନେଇ ଦଳ ପକ୍ଷରୁ ଅଭିଯୋଗ ଆସିଛି। ପରିସ୍ଥିତି ଧୀରେଧୀରେ ବିଗିଡ଼ିବା ସହ ଆଇନ୍‌ଶୃଂଖଳା ମଧ୍ୟ ଭୁଶୁଡ଼ିବା ଆଶଂକା ସୃଷ୍ଟି ହୋଇଛି। ରାଜନୀତିକ ବାଦବିବାଦରୁ ଊର୍ଦ୍ଧ୍ବରୁ ରହି ପ୍ରଶାସନ ବେଳହୁଁ ସତର୍କତା ଅବଲମ୍ବନ ନକଲେ ସ୍ଥିତି ଯେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ତାହା ଏବେଠୁ ଜଳଜଳ ହୋଇ ଦିଶିଲାଣି।

ଏବେ ପାଖାପାଖି ୧୦୦ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବଡ଼ ନେତା ପଦ୍ମପୁରରେ ଡେରା ପକାଇଛନ୍ତି। ବାହାରୁ ଯାଇଥିବା ତଳିଆ ନେତା ଓ କର୍ମୀଙ୍କ ସଂଖ୍ୟା ତ ୨ ହଜାର ଟପିବ। ଅନେକଙ୍କ ରହିବା ପାଇଁ ସ୍ଥାନାଭାବ କାରଣରୁ ବରଗଡ଼ରୁ ଯିବା ଆସିବା କରୁଛନ୍ତି।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦ୍ମପୁର ଗସ୍ତ ଥିଲାବେଳେ ପଦ୍ମପୁର ବନ୍ଦ ଡାକରା ତାଙ୍କ ପ୍ରଚାର କାର୍ଯ୍ୟକ୍ରମକୁ କେତେ ପ୍ରଭାବିତ କରୁଛି ତାକୁ ରାଜନୈତିକ ବିଶ୍ଳେଷକମାନେ ଅପେକ୍ଷା କରିଛନ୍ତି। ନିର୍ବାଚନ ଫଳାଫଳ ଯାହା ବି ହେଉ ପରବର୍ତ୍ତୀ ଏକ ସପ୍ତାହ ପଦ୍ମପୁର ପାଇଁ ଅବଶ୍ୟ ଘଟଣାବହୁଳ ହେବ।