ବରଗଡ଼ : ସୋମବାର ସକାଳୁ ଆୟକର ବିଭାଗ ଏବଂ ସଂଧ୍ୟାରେ ଜିଏସ୍ଟି ଚଢ଼ଉ ପଦ୍ମପୁର ଉପନିର୍ବାଚନର ବାତାବରଣକୁ ଆହୁରି ଉଷ୍ଣ କରି ଦେଇଛି। ମଙ୍ଗଳବାର ଭୋର୍ରେ ଆୟକର ବିଭାଗ ପଦ୍ମପୁର ଛାଡ଼ି ଛତିଶଗଡ଼ ଫେରିଛି। ଶହେରୁ ଅଧିକ ସିଆର୍ପିଏଫ୍ ଯବାନ ବି ବାହୁଡ଼ିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ସକାଳୁ ଜିଏସ୍ଟି ଚଢ଼ଉ ବି ବନ୍ଦ ହୋଇଛି। ଉଭୟ ବିଜେପି ଏବଂ ବିଜେଡି ନିଜ ନିଜର ବଳ ଖଟାଇ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ କରିବା ପରେ ଆଜି ସକାଳୁ ପଦ୍ମପୁର ପୁଣି ସ୍ବାଭାବିକ ସ୍ଥିତିକୁ ଫେରିଛି। ହେଲେ, ଉପରକୁ ସ୍ଥିତି ସ୍ବାଭାବିକତାକୁ ଫେରିଥିବା ଜଣାପଡୁଥିଲେ ହେଁ ଚଢ଼ଉ ରାଜନୀତିର କ୍ଷତ କିନ୍ତୁ ଏବେ ବି ଭିତରେ ଭିତରେ ଜଳୁଛି। ଏହାର ପ୍ରଭାବ ଭୋଟ ସମୀକରଣକୁ ପ୍ରଭାବିତ କରିପାରେ ବୋଲି ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି।
ଚର୍ଚ୍ଚା ଅନୁସାରେ, ଯେଉଁ ସ୍ଥାନୀୟ ବିଜେଡି ସମର୍ଥକ ତଥା ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହେଲା, ସେମାନେ ଦିବଂଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ଅତି ଘନିଷ୍ଠ ଥିଲେ। ତାଙ୍କର ନିର୍ବାଚନ ପରିଚାଳନା ଏବଂ ପରିବାରର ଭଲମନ୍ଦରେ ବି ସେମାନେ ସଂଶ୍ଳିଷ୍ଟ ଥିଲେ। କିନ୍ତୁ, ଦଳ ବ୍ୟତିରେକ ସ୍ଥାନୀୟ ବ୍ୟବସାୟୀ ମହଲରେ ସେମାନଙ୍କର ସେମିତି କିଛି ସିଧାସଳଖ ପ୍ରଭାବ ନଥିଲା। ଏଥର ମଧ୍ୟ ନିର୍ବାଚନରେ ସେମାନେ ଏହି ଦାୟିତ୍ବ ନିର୍ବାହ କରୁଥିଲେ। ଏମାନଙ୍କ ପାଖରେ ବିଜେଡିର ନିର୍ବାଚନ ପରିଚାଳନା ପାଇଁ ବିପୁଳ ଟଙ୍କା ଗଚ୍ଛିତ ଥିବା ଠଉରାଇ ବିଜେପି ଏହି ଚଢ଼ଉ କରାଇଥିବା କୁହାଯାଉଛି। ଆୟକର ବିଭାଗ ଚଢ଼ଉ ପରେ କ'ଣ ଜବତ କଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ତେବେ ଏହି ଆୟକର ଚଢ଼ଉ କେଉଁ ଦଳକୁ କେତେ ଫାଇଦା ଦେବ, କାହାପାଇଁ କ୍ଷତିକାରକ ହେବ, ତା’ର ହିସାବ ଲଗାଇବା ପୂର୍ବରୁ ସଂଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଏପରିକି ବରଗଡ଼ ସହରରେ ୯ଟି ସ୍ଥାନରେ ଅଚାନକ ରାଜ୍ୟ ସରକାରଙ୍କ ପରିଚାଳନାଧୀନ ବାଣିଜ୍ୟକର ବିଭାଗ ପକ୍ଷରୁ ଜିଏସ୍ଟି ଚଢ଼ଉ ଆରମ୍ଭ ହୋଇଯାଇଥିଲା। ବିଜେପି ପ୍ରାୟୋଜିତ ଆୟକର ଚଢ଼ଉରେ ଉତ୍କ୍ଷିପ୍ତ ବିଜେଡି ପ୍ରତିଶୋଧ ନେବାକୁ ଏଭଳି ଚଢ଼ଉ ଯୋଜନା କରିଥିବା କୁହାଯାଇଥିଲା। ଜିଏସ୍ଟି ଚଢ଼ଉର ଶିକାର ବ୍ୟବସାୟୀମାନେ ବିଜେପିର ସମର୍ଥକ ବୋଲି କହାଯାଉଛି। ସେମାନେ ସ୍ଥାନୀୟ ବ୍ୟବସାୟୀ ଗୋଷ୍ଠୀରେ ଓତଃପ୍ରୋତ ଭାବେ ସାମିଲ ଥିଲେ। ଫଳରେ ଏଭଳି ଅଚାନକ ଚଢ଼ଉ ଅଂଚଳର ବ୍ୟବସାୟୀ ମହଲକୁ କ୍ଷୁବ୍ଧ କରିଥିଲା।
ଦୁଇ ଦଳର ରାଜନୈତିକ ଖେଳରେ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରି ଅଯଥା ହଇରାଣ ହରକତ କରାଯାଉଛି ବୋଲି ବ୍ୟବସାୟୀ ମହଲ ଖୋଲା ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଯଦ୍ବାରା ସେମାନଙ୍କ ପକ୍ଷରୁ ମଙ୍ଗଳବାର ‘ପଦ୍ମପୁର ୧୨ ଘଣ୍ଟିଆ ବନ୍ଦ’ ଡାକରା ଦିଆଯାଇଥିଲା। ଅବଶ୍ୟ ବିଳମ୍ବିତ ରାତିରେ ଏସ୍ପିଙ୍କ ଆଶ୍ବାସନା ପରେ ଶେଷରେ ବନ୍ଦ ପ୍ରତ୍ୟାହାର କରାଯାଇଥିଲା। ପରିସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଏହି ଚଢ଼ଉ ଦ୍ବାରା ଭୋଟ୍ ଅନ୍ତଃସ୍ରୋତ ଗଡ଼ବଡ଼ ହୋଇଥିବା ପର୍ଯ୍ୟବେକ୍ଷକ ମହଲ ମତବ୍ୟକ୍ତ କରୁଛନ୍ତି। କେଉଁ ଚଢ଼ଉରୁ କେଉଁ ଦଳ ଅନୁକମ୍ପା ପାଇବ, କିଏ କ୍ଷତି ସହିବ ତାକୁ ନେଇ କେବଳ ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ିକ ମଧ୍ୟରେ ନୁହେଁ, ଅଂଚଳର ସଚେତନ ନାଗରିକ ମହଲରେ ହିସାବକିତାବ ଆରମ୍ଭ ହୋଇଯାଇଛି। ଆୟକର ବିଭାଗ ଏଠାରେ ମୁହଁ ନଫିଟାଇ ଚାଲିଯିବା ଏବଂ ଜିଏସ୍ଟି ବିଭାଗର ନିରବତା ଭୋଟ୍ ରାଜନୀତିକୁ ଆହୁରି ଗୋଳମାଳିଆ କରିଦେଇଛି।