ପଦ୍ମପୁର, (ଭବାନୀ ଶଙ୍କର ତ୍ରିପାଠୀ): ଫଳାଫଳ କଣ ହେବ, କାହା ସପକ୍ଷରେ ଯିବ କି ବିପକ୍ଷରେ ଯିବ ଏବେଠାରୁ କିଛି କହିହେବନି। ଉଭୟ ଦଳ ଭିତରେ ଟକରାଟକରି ଚାଲିଛି। ଊନିଶ୍ ବିଶରେ ଅଛନ୍ତି। କିଏ ଟିକେ ଆଗରେ କିଏ ଟିକେ ପଛରେ।
୩ ତାରିଖ ସନ୍ଧ୍ୟାରେ ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ ହେବ। ତାର ୪୮ ଘଣ୍ଟା ପୂର୍ବରୁ ବୟସ, ଗୋଷ୍ଠୀ, ଜାତି ଓ ବର୍ଗ ନିର୍ବିଶେଷରେ ପଦ୍ମପୁର, ପାଇକମାଳ, ଝାରବନ୍ଧ ଭୋଟରଙ୍କ ଏଭଳି ପ୍ରତିକ୍ରିୟା ସୂଚାଇ ଦେଉଛି ଯେ ପଦ୍ମପୁର ଉପନିର୍ବାଚନ ରୋଚକସ୍ଥିତିରେ ରହିଛି। କେବଳ ସେତିକି ନୁହେଁ, ପଦ୍ମପୁରର ଭୋଟର ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନେତୃତ୍ବ, ରଣନୀତିକାର, ନେତା ଏବଂ କର୍ମୀଙ୍କୁ ଭୀଷଣ ଚାପରେ ରଖିଛନ୍ତି। ନିର୍ଦ୍ବନ୍ଦ୍ବରେ କହିହେବ ଯେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ, ପୂର୍ବାପେକ୍ଷା କମ୍ ଭୋଟ ପାଇଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଦୁର୍ବଳ ସଂଗଠନ କିମ୍ବା ବିଜେଡି-ବିଜେପିର କସରତ କାରଣରୁ ହେଉ ଅଥବା ପଦ୍ମପୁରରୁ ଗୋଟିଏ ସ୍ବତନ୍ତ୍ର ନିର୍ବାଚନ ବାର୍ତ୍ତା ଦେବା ପାଇଁ, କଂଗ୍ରେସ ସହିତ ଥିବା ଭୋଟରଙ୍କ ମଧ୍ୟରୁ ଗୋଟିଏ ବଡ ଭାଗ ନିଜ ମନ ପରିବର୍ତ୍ତନ କରୁଛନ୍ତି।
ଅନ୍ୟପକ୍ଷରେ ଉପନିର୍ବାଚନ ପ୍ରଚାର, ଦଳୀୟ କ୍ୟାମ୍ପ ଅଫିସ, ପଦ୍ମପୁରରେ ବୁଲୁଥିବା ନେତାମାନଙ୍କ ସହିତ ଆଲୋଚନା କରିବା ବେଳେ ଆଉ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ତାହା ହେଲା, ଓଡ଼ିଶାର କ୍ବଚିତ୍ ନିର୍ବାଚନମଣ୍ଡଳୀ ଥିବ, ଯାହାର ନେତା ବା କର୍ମୀ ପଦ୍ମପୁରରେ ନାହାନ୍ତି। ବିଜେଡିରେ ଯେଉଁ ସ୍ଥିତି, ଅଳ୍ପବହୁତେ ବିଜେପି ଶିବିରରେ ବି ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ଉଭୟ ଦଳର ହାତଗଣତି କିଛି ନେତା, କର୍ମୀ ମୁହଁଫୁଟାଣି ମାରି କେତେ ହଜାର ଭୋଟ ବ୍ୟବଧାନରେ ଜିତିବେ ତାର ପରିସଂଖ୍ୟାନ ରଖୁଛନ୍ତି। ବିଜେଡି ନେତାମାନଙ୍କ ମୁହଁରେ ଏହି ସଂଖ୍ୟା ୧୨ରୁ ୨୦ ହଜାର ରହିଛି। ବିଜେପି ନେତାଙ୍କ ମଧ୍ୟରୁ କିଛି ନେତା ଜିତିବୁ ବୋଲି କହୁଛନ୍ତି, ଆଉ କିଛି ବ୍ୟବଧାନ ୧୦ ହଜାର ମଧ୍ୟରେ ରହିବ ବୋଲି ଦାବି କରୁଛନ୍ତି।
ହେଲେ ଯେଉଁ ଦିଗଟି ଉଭୟ ଦଳର ଶୀର୍ଷ ନେତୃତ୍ବର ରକ୍ତଚାପ ବଢାଇ ଦେଇଛି ତାହା ହେଲା ନିଜ ନିଜ କର୍ମୀଙ୍କ ଚାପ। ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା କର୍ମୀ ନିର୍ବାଚନମଣ୍ଡଳୀ ବୁଲିବା ସହିତ ନିଜ ନେତାମାନଙ୍କୁ ଯେଉଁ ଇଲମ ଦେଇ ଯାଉଛନ୍ତି, ତାହା ପଦ୍ମପୁର ଉପନିର୍ବାଚନର ଗମ୍ଭୀରତାକୁ ବହୁଗୁଣିତ କରିଦେଇଛି। କିଛି ନେତାଙ୍କ କଥାରୁ ଜଣାପଡ଼ୁଛି ଯେ ଧାମନଗର ଉପନିର୍ବାଚନ ପରେ ସବୁବେଳେ ଜିତିଆସୁଥିବା ବିଜେଡି କର୍ମୀ ଅଜଣା ଭୟରେ ଅଛନ୍ତି। ସେମାନେ ନିର୍ବାଚନମଣ୍ଡଳୀ ଅନୁଧ୍ୟାନ କରିବା ସହିତ ନିଜ ନେତାମାନଙ୍କୁ ସତର୍କ କରାଇ ଦେଉଛନ୍ତି ଯେ କୌଣସି ପରିସ୍ଥିତିରେ ବି ପଦ୍ମପୁର ଉପନିର୍ବାଚନ ବିଜେଡିକୁ ଜିତିବାକୁ ହେବ। ଅନ୍ୟଥା ପଦ୍ମପୁର ଫଳାଫଳ ସେମାନଙ୍କ ନିର୍ବାଚନମଣ୍ଡଳୀରେ ୨୦୨୪ରେ ଅଙ୍କ ଗୋଳମାଳ କରିଦେବା ବିଚିତ୍ର ନୁହେଁ। କର୍ମୀଙ୍କ ଏଭଳି ଚାପ ନେତା ଏବଂ ରଣନୀତିକାରମାନଙ୍କୁ ଅକଳରେ ପକାଇ ସାରିଲେଣି। ପଦ୍ମପୁର ଉପନିର୍ବାଚନ ଫଳାଫଳ ଶାସକ ବିଜେଡିର ବାକି ୧୪୬ ଆସନ ପାଇଁ ବି ଗୁରୁତ୍ବପୂର୍ଣ୍ଣ ଏକଥା ସେମାନେ ଭୁଲିବା ଉଚିତ୍ ନୁହେଁ ବୋଲି କର୍ମୀ ନିଜ ନେତାଙ୍କୁ ସତର୍କ କରାଉଛନ୍ତି। ବିଜେଡି ପଦ୍ମପୁର ହାସଲ ପାଇଁ ଆପ୍ରାଣ ଉଦ୍ୟମ ଚଳାଇବା ପଛର ଏହା ଏକ କାରଣ ବୋଲି କୁହାଯାଇପାରେ। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଆସିବା ତାହାର ଅଂଶବିଶେଷ।
ବିଜେପି ନେତୃତ୍ବ ମଧ୍ୟ ସାଂଘାତିକ ଚାପରେ। ବିଜେଡିର ପରାଜୟ ଧାରାକୁ ପଦ୍ମପୁରରେ ସେମାନେ ରୋକିନପାରିଲେ, ଧାମନଗର ଉପନିର୍ବାଚନ ପରେ ଦଳର କର୍ମୀଙ୍କ ମଧ୍ୟରେ ଯେଉଁ ଯୋଶ୍ ସୃଷ୍ଟିହୋଇଛି, ତାହା ଫୁସକିଯାଇପାରେ। ଦଳର ରାଜ୍ୟ ନେତୃତ୍ବ ପ୍ରତି ଭରସା କମିବ ଏବଂ ଧାମନଗର ଉପନିର୍ବାଚନ ସହିତ ଯେଉଁ ‘ପରିବର୍ତ୍ତନ’ସ୍ବର ବିଭିନ୍ନସ୍ତରରେ ମୁଣ୍ଡ ଟେକିଛି,ତାହା ମଧ୍ୟ ଦାନା ବାନ୍ଧିବା କଷ୍ଟ। ଦଳର ଆଗଧାଡିର ନେତା ଓ କର୍ମୀ ଏକଥା ବାରମ୍ବାର ଦୋହରାଉଛନ୍ତି। ଦଳର ଜଣେ ନେତା ସ୍ବୀକାର କରିଛନ୍ତି- ଏ ଚାପ ଏତେ ଅଧିକ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପିର ଅନ୍ୟସବୁ ତୁଙ୍ଗ ନେତା ପଦ୍ମପୁର ଆସି ଡେରା ପକାଇବାକୁ ବାଧ୍ୟ ହୋଇଛନ୍ତି। ସମ୍ଭବତଃ ରାଜ୍ୟସଭାକୁ ଯିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ପ୍ରଥମଥର ପାଇଁ ଟାର୍ଗେଟ କରିଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପଦ୍ମପୁର ଆସିବାକୁ ପଡ଼ିଛି। ଆସନ୍ତାକାଲି ଯେଉଁ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପ୍ରଚାର କରିବେ, ସେହି ସମୟରେ ଚାଷୀକାର୍ଡକୁ ତାଙ୍କ ବିରୋଧରେ ଅଧିକ ଶାଣିତ କରିବା ଲାଗି ବିଜେପି ଭୁବନେଶ୍ବରରେ ବିଶାଳ ଚାଷୀ ସମାବେଶ କରୁଛି ଏବଂ ବରଗଡର ପୂର୍ବତନ ଜିଲ୍ଲାପାଳ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚାର କାର୍ଯ୍ୟକ୍ରମ ପଦ୍ମପୁରରେ ଯୋଡିଛି। ସାଧାରଣ ଉପନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ବା ନିର୍ବାଚନ ଯେଉଁଥିରେ ଗୋଷ୍ଠୀ, ମତ ନିର୍ବିଶେଷରେ ବିଜେପିର ସବୁ ନେତା ମଇଦାନକୁ ଓହ୍ଲାଇଛନ୍ତି। ଅବଶ୍ୟ ବିଜେପିର ଏହି ଚାଲକୁ ପ୍ରଭାବହୀନ କରିବା ପାଇଁ ବିଜେଡି ନେତାମାନେ ବିଭିନ୍ନ ସଭାରେ ତାଚ୍ଛଲ୍ୟ କରୁଛନ୍ତି ଯେ ବିଜେପି ହାରିବ ଜାଣିସାରିଲାଣି। ଏଣୁ ପରାଜୟ କୌଣସି ଜଣେ ନେତାଙ୍କ ମୁଣ୍ଡରେ ଯିବନି ବରଂ ସମସ୍ତେ ଭାଗବାଣ୍ଟି ନେବେ।
ନିର୍ବାଚନମଣ୍ଡଳୀ ବୁଲି ଦେଖିବା ବେଳେ ଯେଉଁ କେତୋଟି ଚିତ୍ର ସାମ୍ନାକୁ ଆସୁଛି, ତାହା ହେଲା- ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଯେଭଳି ମତ ରହିଛି, ବିଜେଡି ନିର୍ବାଚନ ପରିଚାଳନାର ମଧ୍ୟ ସେଭଳି ଦବଦବା ବେଶ ବାରି ହୋଇପଡୁଛି। ପଦ୍ମପୁର ଭୋଟରଙ୍କ ମଧ୍ୟରୁ ଯଦିଓ ପାଖାପାଖି ୯୫ ପ୍ରତିଶତ ଗ୍ରାମାଞ୍ଚଳରେ ରୁହନ୍ତି, ସେମାନେ ଏତେ ସଚେତନ ଅଛନ୍ତି ଯେ ବିଜେଡି ସଭାକୁ ନିରେଖି ଦେଖୁଛନ୍ତି, ବିଜେପି ସଭାରେ ବି ସାମିଲ ହେଉଛନ୍ତି। ତେବେ ସିଂହଭାଗ ଭୋଟର ନିରବ। ଭୋଟରଙ୍କ ଏଭଳି ଆଚରଣ ରାଜନୈତିକ ଦଳ, ରଣନୀତିକାର, ରାଜନୈତିକ ବିଶେଷଜ୍ଞଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି। ନିର୍ବାଚନ ଫଳାଫଳ ସଂପର୍କରେ ରାସ୍ତାଘାଟରେ ଚର୍ଚ୍ଚା କରୁଥିବା ଅଭିଜ୍ଞମାନେ ମପାଚୁପା ମନ୍ତବ୍ୟ ଦେଉଛନ୍ତି।
ପଦ୍ମପୁରର ୪୪.୪୮ ପ୍ରତିଶତ ଭୋଟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏତେ ବଡ ଭୋଟ ବ୍ୟାଙ୍କକୁ ହାତେଇବା ଲାଗି ଅନେକ କସରତ ଚାଲିଛି। କୌତୂହଳ କଥା ହେଲା, ଏସବୁ ବର୍ଗର ନେତାଙ୍କ ଉପରେ ଏହାର ପ୍ରଭାବ ପଡୁଥାଇ ପାରେ, କିନ୍ତୁ ସାଧାରଣ ଭୋଟର ଏତେ କିଛି ରାଜନୈତିକ ଦାଓପେଞ୍ଚ ଭିତରେ ନାହିଁ। ସେହିଭଳି ଜିଲ୍ଲା ଗଠନ, ଚାଷୀ ସମସ୍ୟା, ବିଭିନ୍ନ ଜାତିର ବିକାଶ ଆଦି ଗୋଟିଏ ଗୋଟିଏ କାର୍ଡ, ଯାହା ଭୋଟ ଉପରେ ପ୍ରଭାବ ରଖୁଛି ବୋଲି କୁହାଯାଉଛି। ହେଲେ ଅସଲ ପ୍ରସଙ୍ଗଟି କିନ୍ତୁ ନେତା ଓ ନେତୃତ୍ବ ପାଖରେ ଅଟକିଛି। କିଏ କହୁଛି, ସିଏ ଶୀର୍ଷ ନେତୃତ୍ବ ନା ଉପକୂଳର କୌଣସି ନେତା ନା ପଶ୍ଚିମ ଓଡ଼ିଶାର। ଏକଥା ଭୋଟର ପରଖୁଛନ୍ତି।
ରାଜ୍ୟ ରାଜନୀତିର ବିକାଶ ସଂପର୍କିତ କୌଣସି ଭାଷଣ ଏଠାର ଲୋକ ବା ଭୋଟ ବ୍ୟାଙ୍କକୁ ପ୍ରଭାବିତ କରୁନି। କେନ୍ଦ୍ର-ରାଜ୍ୟ କାଦୁଅ ଫିଙ୍ଗାକୁ ନେଇ ଗାଁ ଗଣ୍ଡାର ଆଲୋଚନା ନାହିଁ। ସ୍ଥାନୀୟ ପ୍ରସଙ୍ଗ, ସେମାନଙ୍କ ସମସ୍ୟା, ସ୍ଥାନୀୟ ନେତାଙ୍କ ଭିତରେ କଳି ତକରାଳ ଆଦି ବଡ ପ୍ରସଙ୍ଗ ପାଲଟିଛି ଏବଂ ଏହାର ଜବରଦସ୍ତ ପ୍ରଭାବ ରଖୁଛି। କୌଣସି ବଡ଼ ବଡ଼ିଆ ନେତା ସେମାନଙ୍କୁ ଆଦୌ ଆକର୍ଷିତ କରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସେଭଳି ଉତ୍ସାହ ନାହିଁ କିମ୍ବା ରାଜ୍ୟ ବା କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଖି ସେମାନେ ଭାବବିହ୍ବଳ ବି ହେଉନାହାନ୍ତି।
ସ୍ଥାନୀୟ କିଛି ସଚେତନ ଭୋଟର ସ୍ପଷ୍ଟ ମତ ରଖୁଛନ୍ତି ଯେ ବିଜେପୁରରେ ଦୁଇ ଦୁଇଟି ଉପନିର୍ବାଚନ ସେମାନଙ୍କୁ ଶିଖାଇ ଦେଇଛି ଯେ ଭୋଟ ସହିତ ଘମାଘୋଟ ପ୍ରଚାର, ନେତାଙ୍କ ସୁଅ ଛୁଟେ। ପରସ୍ପର ବିରୋଧରେ ବିଷୋଦଗାର କରନ୍ତି , ପ୍ରତିଶ୍ରୁତି ମିଳେ ଏବଂ ଭୋଟ ପରଦିନ ଏସବୁ ପାଣିଫୋଟକା ଭଳି ମିଳାଇଯାଏ। ସେମାନେ ଜାଣନ୍ତି, କିଏ ସେମାନଙ୍କ ପାଇଁ କହିବ ଏବଂ କିଏ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ। ଏଣୁ ସେମାନେ ନିରବ ରହିବେନି ତ ଆଉ କଣ କରିବେ? ଆଉ କିଛି ଭୋଟରଙ୍କ ଧା଼ଡିକିଆ ମନ୍ତବ୍ୟ- ଆମେ କାହାକୁ ଭୋଟ ଦେବୁ ଆମେ ଜାଣିଛୁ।