ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତେବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନା‌ହିଁ। ବିଜେଡିର ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଥିବା କୁହାଯାଉଛି।

ବିଜେଡି ବିଧାୟକ ବିଜୟରଞନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଥିବ‌ା ପଦ୍ମପୁରରେ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ପ୍ରଦୀପ ପୁରୋହିତ ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଆଜି ବିଧିବଦ୍ଧ ଘୋଷଣା ହୋଇଛି। ସେହିଭଳି କଂଗ୍ରେସ ପକ୍ଷରୁ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୧୪ରେ ପୁରୋହିତ ଏହି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ୨୦୧୯ରେ ବରିହାଙ୍କ ଠାରୁ ୫ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ଏହି ଆସନରୁ ତିନି ଥର ବିଧାୟକ ରହିଥିବା ସତ୍ୟଭୂଷଣ ସାହୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରିଯାଇଥିଲେ। ସେ ତୃତୀୟ ସ୍ଥାନରେ ରହିଥିଲେ। ବରିହା ୮୩ ହଜାର ୨୯୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପୁରୋହିତ ୭୭ ହଜାର ୫୫ ଏବଂ ସାହୁ ୩୨ ହଜାର ୭୮୭ ଭୋଟ ପାଇଥିଲେ।

ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଓ ବିଜେପି ଶିବିରରେ ପ୍ରଚାର ରଣନୀତି ଜୋର୍‌ ଧରିଛି। ସେମାନେ ଏଥର ଜିତିବେ ବୋଲି ଉଭୟ କଂଗ୍ରେସ ଏବଂ ବିଜେପି ଆଶାବାଦୀ ଅଛନ୍ତି। ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲେ ବି ଦଳ ଯେପରି ପଦ୍ମପୁର ଆସନ ବଜାୟ ରଖିବ ସେନେଇ ଦଳୀୟ ନେତାମାନେ ସେଠାରେ ଡେରା ପକାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୦ତାରିଖରୁ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୭ରେ ନାମାଙ୍କନପତ୍ର ଦାଖଲ ଶେଷ ହେବ।

ସମ୍ବନ୍ଧିତ ଖବର