ପଦ୍ମପୁର : ପଦ୍ମପୁର ଆସନ ଅକ୍ତିଆର କରିବା ପାଇଁ ୩ ପ୍ରମୁଖ ଦଳ କିଛିଦିନ ହେବ ଝାଳ ବୁହାଇ ଚାଲିଛନ୍ତି। ଭୋଟର୍ମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରିବା ସହିତ ସ୍ବତନ୍ତ୍ର ରଣନୀତି ବି ପ୍ରସ୍ତୁତ କରୁଛନ୍ତି। ତେବେ, ଆଗାମୀଦିନରେ ୩ ଦଳର ହେଭିୱେଟ୍ମାନେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।
ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ମୁଖପାତ୍ର ସମ୍ବିତ ପାତ୍ର ଝାରବନ୍ଧ ବ୍ଳକ୍ର ବିଲାସପୁର, କୁମିର ଓ ଜଗଦଲପୁରରେ ସାଧାରଣ ସଭାରେ ଯୋଗଦେବେ। ସେହିପରି, ୨୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପାଇକମାଳ ଓ ପଦ୍ମପୁରରେ ସାଧାରଣ ସଭାରେ ଯୋଗଦେଇ ଯଥାକ୍ରମେ ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳଲାଇନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ସଂପର୍କରେ ଦେଖାଦେଇଥିବା ଭ୍ରମ ଧାରଣାକୁ ଦୂର କରିବେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ୱର ଟୁଡୁ ଆସନ୍ତା ଡିସେମ୍ବର ୧ କିମ୍ବା ୨ରେ ନିର୍ବାଚନ ପ୍ରଚାରରେ ଆସିବେ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନାରୁ ଜଣାପଡ଼ିଛି।
ବିଜେଡିର ତାରକା ପ୍ରଚାରକ, ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ କିମ୍ବା ୩ ତାରିଖ ଦିନ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ପ୍ରଚାରରେ ଆସିବେ ବୋଲି ଦଳୀୟ ନେତୃମଣ୍ଡଳୀ କହିଛନ୍ତି ।
କଂଗ୍ରେସର ଷ୍ଟାର୍ ପ୍ରଚାରକ ତଥା ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଚାର ଚଳାଇଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କହ୍ନେୟା କୁମାର, ବିଧାୟକ ସୁରେଶ ରାଉତରାୟ ଓ କଂଗ୍ରେସର ଓଡ଼ିଶା ପ୍ରଭାରୀଙ୍କୁ ପ୍ରଚାରରେ ସାମିଲ୍ ପାଇଁ ଯୋଜନା କରାଯାଉଥିବା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ମହାନନ୍ଦ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/vote-2.jpg)