ବରଗଡ଼, (ଅଞ୍ଜନ ପ୍ରଧାନ) : ବିଭିନ୍ନ ଦିଗରୁ ପଦ୍ମପୁର ଉପନିର୍ବାଚନ ପୂର୍ବ ରେକର୍ଡ ଭାଙ୍ଗିଛି। ପ୍ରଥମତଃ, ଏହି ନିର୍ବାଚନମଣ୍ଡଳୀ ପ୍ରଥମଥର ପାଇଁ ଜଣେ ବିଧାୟିକା ପାଇଛି। ଏଥର ୮୧.୨୯% ପ୍ରତିଶତ ମତଦାନ କରିଥିଲେ। ଯାହାକି, ର୍ବାଚନମଣ୍ଡଳୀ ପାଇଁ ସର୍ବକାଳୀନ ରେକର୍ଡ। ଏହାପୂର୍ବରୁ ଏଠାରେ ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସର୍ବାଧିକ ୭୯.୧୬ % ମତଦାନ ହୋଇଥିଲା। ଏଥର ନିର୍ବାଚନ ମଇଦାନରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ତେଣୁ ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଏହି ଉପନିର୍ବାଚନ ନିଜସ୍ୱ ରେକର୍ଡ ଭାଙ୍ଗିଛି। ଅନ୍ୟପକ୍ଷରେ, ପୂର୍ବରୁ ୫-୬ହଜାର ଭୋଟ୍ ବ୍ୟବଧାନରେ ପଦ୍ମପୁର ନିର୍ବାଚନର ଫଇସଲା ହେଉଥିବା ନଜିର ରହିଛି। କିନ୍ତୁ, ଏଥର ୪୨,୬୭୯ ବ୍ୟବଧାନର ବିଜୟ ମଧ୍ୟ ଏକ ରେକର୍ଡ। ସେହିପରି ବିଜୟୀ ପ୍ରାର୍ଥୀ ଲକ୍ଷେ ଭୋଟ୍ ଅତିକ୍ରମ କରିବା ମଧ୍ୟ ଉକ୍ତ ନିର୍ବାଚନମଣ୍ଡଳୀ ପାଇଁ ଆଉ ଏକ ରେକର୍ଡ।
ଅମାନତ ହରାଇଲା କଂଗ୍ରେସ
କଂଗ୍ରେସ ନିଜର ସର୍ବାଧିକ ପସନ୍ଦ ଏବଂ ଅଭିଜ୍ଞତାସଂପନ୍ନ ଚେହେରାକୁ ଟିକଟ୍ ଦେଇଥିଲା। ତିନିଥର ବିଧାୟକ ସାଙ୍ଗକୁ ମୁଖ୍ୟ ସଚେତକ ଥିବା ସତ୍ୟଭୂଷଣ ସାହୁ ଏଥର ବିଜୟ ବାଟ ଦେଖିବା ତ ଦୂରର କଥା ନିଜ ଅମାନତ ବି ହରାଇଛନ୍ତି। ନୂଆ ପିସିସି ସଭାପତିଙ୍କ ନେତୃତ୍ବରେ ଦଳ ଏଥର ପ୍ରଚାର କରିଥିଲା। ପୂର୍ବତନ ପିସିସି ସଭାପତିମାନେ ବି ଷ୍ଟାର୍ ପ୍ରଚାରକ ସାଜିଥିଲେ। କିନ୍ତୁ, ଏକଦା କଂଗ୍ରେସର ଗଡ଼ ଥିବା ପଦ୍ମପୁରରେ ଏହାର କିଛି ବି ପ୍ରଭାବ ପଡ଼ିନଥିଲା। ଦଳ ଚିରାଚରିତ ଢଙ୍ଗରେ ପ୍ରଚାର ଚଳାଇଲା। ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଛାଡ଼ିଦେଲେ ଆଉ କୌଣସି ଜାତୀୟ ସ୍ତରର ନେତା ପାଦ ମାଡ଼ିନଥିଲେ। ଫଳରେ, ନିଷ୍କ୍ରିୟ ଥିବା ସଂଗଠନକୁ ସଜାଡ଼ିବାରେ ଦଳ ବିଫଳ ହେଲା ବୋଲି କୁହାଯାଉଛି।
କାମ ଦେଲାନି ଏଜେଣ୍ଡା
ବିଜେଡି-ବିଜେପି ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ ନେଇ ବାକ୍ବିତଣ୍ଡା ଜାରି ରହିଥିଲା। ନିର୍ବାଚନ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ଏହି ହାଇଡ୍ରାମା ଚାଲିଥିଲା। ଏହି ଉଷ୍ଣତା ଭିତରେ ସ୍ଥାନୀୟ ଅଂଚଳର ଏଜେଣ୍ଡାଗୁଡ଼ିକ ଦବି ଯାଇଥିଲା। ଚାଷୀ ସମସ୍ୟା, ଅଙ୍ଗନଦୀରେ ସେଚପ୍ରକଳ୍ପ, ଧାନ ଅଭାବୀ ବିକ୍ରି, ଦାଦନ ସମସ୍ୟା..। ଏଭଳି ଗୁଡ଼ାଏ ଏଜେଣ୍ଡା ରହିଥିଲେ ହେଁ ଏହାକୁ ନେଇ କିଛି ଟକ୍କର୍ ଦେଖିବାକୁ ମିଳିନଥିଲା। କଂଗ୍ରେସ କିଛି ପ୍ରସଙ୍ଗ ଉଠାଇଥିଲେ ହେଁ ସେଥିରେ ବଳ ନଥିଲା। ତେବେ, ବରଗଡ଼-ନୂଆପଡ଼ା ରେଳ ଲାଇନ୍, ଫସଲ ବୀମା ଏବଂ ଇନ୍ପୁଟ୍ ସବ୍ସିଡି ପ୍ରସଙ୍ଗ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଲଦାଲଦି ଭିତରେ ନିର୍ବାଚନର ପ୍ରମୁଖ ଏଜେଣ୍ଡା ହଜି ଯାଇଥିଲା।
ଭୋଟ୍ହାରରେ ବିଜେପି ସ୍ଥିର
୪୨ହଜାର ଭୋଟ୍ ପାଇଁ ବିଜେପିକୁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବଡ଼ ବ୍ୟବଧାନରେ ପରାଜୟ ସତ୍ତ୍ବେ ଦଳ ନିଜ ଭୋଟ୍ହାରକୁ ସ୍ଥିର ରଖିଛି। ଅର୍ଥାତ୍ ବିଜେପି ନିଜ ପୁରୁଣା ଭୋଟ୍ବ୍ୟାଙ୍କ୍ରୁ ସବୁ ଆଦାୟ କରିଛି। ୨୦୧୪ ନିର୍ବାଚନରେ ପ୍ରଦୀପ ପୁରୋହିତ ଏହି ଆସନରୁ ବିଜୟୀ ହୋଇଥିଲେ। ସେତେବେଳେ ତାଙ୍କ ଭୋଟ୍ ହାର ୩୮.୯୪ ରହିଥିଲା। ୨୦୧୯ରେ ସେ ପରାଜିତ ହୋଇଥିଲେ ହେଁ ୭୭୫୬୫ ଭୋଟ୍ (୩୮.୪୫) ପାଇଥିଲେ। ପାଖାପାଖି ସମାନ ପ୍ରତିଶତ ଭୋଟ୍ ଏଥର ବି ବିଜେପି ପକେଟ୍କୁ ଯାଇଛି।
ବିଜେଡି ପକେଟ୍ରେ କଂଗ୍ରେସ ଭୋଟ୍
ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଅନ୍ତତଃ ନିଜ ପକେଟ୍ ଭୋଟ୍ ହାସଲ କରିବା ସହ ଅନ୍ୟ ଭୋଟ୍ବ୍ୟାଙ୍କ୍ ଉପରେ ନଜର ପକାଇବ ବୋଲି ଆକଳନ ଥିଲା। କିନ୍ତୁ, ଦଳର ପକେଟ୍ ଭୋଟ୍କୁ ଚତୁରତାର ସହ ବିଜେଡି ହାତେଇ ନେଇଛି। ଯଦ୍ବାରା କଂଗ୍ରେସ୍ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସହ ବିଜେଡି ବଡ଼ ଅଗ୍ରଣୀ ପାଇଛି। ପୂର୍ବ ପରିସଂଖ୍ୟାନ ଭିତ୍ତିରେ କଂଗ୍ରେସ ଅତିକମ୍ରେ ୩୦ହଜାର ଭୋଟ୍ ସୁନିଶ୍ଚିତ ରହିବ ବୋଲି ଦାବି କରୁଥିଲା। ୨୦୧୪ରେ ଦଳ ୩୧,୧୭୯ ଏବଂ ୨୦୧୯ରେ ୩୨,୭୮୭ ଭୋଟ୍ ପାଇଥିଲା। ତିନିଥର ବିଧାୟକ ଥିବା ସତ୍ୟଭୂଷଣ ସାହୁ ୧୯୮୦ରେ ୪୨.୫୮%, ୧୯୮୫ରେ ୬୪.୪୯% ଏବଂ ୨୦୦୪ରେ ୫୧.୨୭% ଭୋଟ୍ ପାଇଥିଲେ। ତେଣୁ ଏଥର ଅତିକମ୍ରେ ୩୦ହଜାର ଭୋଟ୍ ପାଇବାକୁ ଦଳ ଆଶାବାଦୀ ଥିଲା।
ଭୋଟର୍ଙ୍କ ନିରବତା ଜାରି
ଭୋଟର୍ଙ୍କ ନିରବତା ଯୋଗୁଁ ସବୁଦଳର ଆକଳନ ସ˚ପୂର୍ଣ୍ଣ ଫେଲ୍ ମାରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ମାରାଥନ ପ୍ରଚାର ଏବ˚ ସଭା କରି ଭୋଟର୍ଙ୍କୁ ଆକୃଷ୍ଟ କରିବେ ବୋଲି ଦଳ ରଣନୀତି ପ୍ରସ୍ତୁତ କରିଥିଲା। କିନ୍ତୁ, ଭୋଟର୍ଙ୍କ ଚିନ୍ତାଧାରାକୁ ବିଜେପି ମଧୢ ପଢ଼ି ପାରିନଥିଲା। ପଦ୍ମପୁରରେ ବିଜୟ-ପରାଜୟର ଫରକ ସ୍ବଳ୍ପ ବ୍ୟବଧାନରେ ହେବ ବୋଲି ଦଳ ପକ୍ଷରୁ କୁହାଯାଉଥିଲା। ହେଲେ, ଏହି ଫରକ୍ ୪୨ ହଜାର ଟପିଯିବା ଦଳ ପାଇଁ ମୁଣ୍ତବିନ୍ଧାର କାରଣ ହୋଇଛି।
ବଡ଼ନେତାଙ୍କ ସମ୍ମାନ ରହିଲା
ଧାମନଗରର ଫଳାଫଳ ପଦ୍ମପୁର ଉପନିର୍ବାଚନ ପାଇଁ ଚାପ ବଢ଼ାଇ ଦେଇଥିଲା। ଧାମନଗରରେ ବିଜେଡି ହାରି ଥିବାରୁ ପଦ୍ମପୁର ପାଇଁ ଦଳ ନିଶ୍ଚିତ ଭାବେ ଚିନ୍ତାରେ ପଡ଼ିଥିଲା। ଅନ୍ୟପକ୍ଷରେ, ଧାମନଗରର ବିଜୟ ପଦ୍ମପୁରରେ ଦୋହରାଇବାକୁ ବିଜେପି ଉତ୍ସାହିତ ରହିଥିଲା। ତେବେ ସର୍ବାଧିକ ଚାପଗ୍ରସ୍ତ ଥିଲା ବିଜେଡି ଶିବିର। ପଦ୍ମପୁର ଆସନ ବଜାୟ ରଖିବାକୁ ଦଳ ସବୁ ବଳ ଖଟାଇଥିଲା। ପଶ୍ଚିମର ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ବଣ୍ଟା ଯାଇଥିଲା। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନମଣ୍ଡଳୀ ବୁଲି ବୁଲି ସବୁ ତଦାରଖ କରୁଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ସୁଶାନ୍ତ ସିଂ ମଧ୍ୟ ନିଜ ସାମର୍ଥ୍ୟ ପ୍ରତିପାଦିତ କରିବାକୁ ସୁଯୋଗ ପାଇଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ସ୍ନେହାଂଗିନୀ ଛୁରିଆ ନିଜ ଜିଲ୍ଲାର ଗୋଟିଏ ଆସନ ହରାଇ ଅପଦସ୍ଥ ହେବାକୁ ଚାହୁନଥିଲେ। ଏବେ ବୃହତ୍ ବିଜୟ ସହ ସବୁନେତାଙ୍କ ସମ୍ମାନ ରହିଲା ବୋଲି ସବୁଠି ଚର୍ଚ୍ଚା ହେଉଛି।