ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଆପାତତଃ ସ୍ଥିର ହୋଇଛି। ଦଳ ପକ୍ଷରୁ କେବଳ ତାଙ୍କ ନଁା କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ସୁପାରିଶ କରାଯାଇଛି। ଫଳରେ, ବିଧିବଦ୍ଧ ଘୋଷଣା କରାଯାଇନଥିଲେ ବି ସେ ହିଁ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରିବେ ଏବଂ ଆଗାମୀ ୧୪ ତାରିଖରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ନିଜେ ଶ୍ରୀ ପୁରୋହିତ ଏବଂ ଦଳର ଅନ୍ୟ ନେତୃମଣ୍ଡଳୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ବିଜେଡି କିମ୍ବା କଂଗ୍ରେସ ଏଯାଏଁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିନାହାନ୍ତି।
ବିଜେପିର ସୂଚନା ଅନୁସାରେ, ଶ୍ରୀ ପୁରୋହିତଙ୍କ ନେତୃତ୍ବରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ଟି ଜୋନ୍ ମଧ୍ୟରୁ ଦଳ ୪ଟିରେ ବିଜୟ ହାସଲ କରିଥିଲା। ଫଳତଃ, ଉପନିର୍ବାଚନରେ ଶ୍ରୀ ପୁରୋହିତ ସ୍ବାଭାବିକ ଭାବେ ଟିକଟ୍ ଦାବିଦାର ଥିଲେ। ତେଣୁ, ସେ ହିଁ ପ୍ରାର୍ଥୀ ହେବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ, ପ୍ରାର୍ଥିତ୍ବକୁ ନେଇ ଶାସକ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଗତମାସ ୨୬ ଓ ୨୭ ତାରିଖ ଏକାସଙ୍ଗରେ ସାତଜଣ ମନ୍ତ୍ରୀ ଓ ଦୁଇଜଣ ବିଧାୟକ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏହି ଗସ୍ତ କୁହାଯାଉଥିବା ବେଳେ ଗ୍ରାମାଞ୍ଚଳର ଲୋକଙ୍କ ହାବାଭାବ ପରଖିବା ଏହି ଗସ୍ତର ଅସଲ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଉଛି।
ଏକ ନିର୍ଭରଯୋଗ୍ୟ ସୂତ୍ରରୁ ହସ୍ତଗତ ଖବର ଅନୁସାରେ, ଗସ୍ତରେ ଆସିଥିବା ମନ୍ତ୍ରୀ, ବିଧାୟକ ତଥା ନେତୃମଣ୍ଡଳୀ ପ୍ରାର୍ଥିତ୍ବ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହା ଏକ ପ୍ରାକ୍-କସରତ ଥିଲା। ଏବେ ସୁଦ୍ଧା ଦଳ କାହକୁ ଟିକଟ୍ ଦେବ, ତାହା ଚୂଡ଼ାନ୍ତ ହୋଇନାହିଁ। ଏହି ଅଡ଼ୁଆ ସ୍ଥିତି ଦୂର କରିବାପାଇଁ ପଦ୍ମପୁର ନିର୍ବାଚନମଣ୍ଡଳୀ ସାରା ବିଜେଡିର ତୁଙ୍ଗନେତା ଉପସ୍ଥିତ ରହିଛନ୍ତି। ବିଭିନ୍ନ ପଞ୍ଚାୟତର ପ୍ରତିନିଧିଙ୍କୁ ନେଇ ପୃଥକ୍ ପୃଥକ୍ ଆଲୋଚନା କରାଯାଉଛି। ପ୍ରାର୍ଥୀ କିଏ ହେବେ, ତାହାର ଗୁପ୍ତ ସର୍ଭେ ଚାଲିଥିବା ଶୁଣିବାକୁ ମିଳୁଛି। ତେବେ, ପ୍ରାର୍ଥୀ ନେଇ କିଛି ଦ୍ବନ୍ଦ୍ବ ନ ଥିବା ଏବଂ ଠିକଣା ସମୟରେ ତାହା ଘୋଷଣା କରାଯିବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମତ ରଖିଛନ୍ତି। ପ୍ରାର୍ଥୀ ସଂପର୍କରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏଥିରେ ଦ୍ବିମତ ହେବାର କିଛି ଅବକାଶ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଅନ୍ୟପକ୍ଷରେ, ପୂର୍ବ ନିର୍ବାଚନଗୁଡ଼ିକ ଭଳି କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନରେ ବିଳମ୍ବ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/pradip.jpg)