ବରଗଡ଼: ପୁଣିଥରେ ପଦ୍ମପୁର ଉପନିର୍ବାଚନ ପ୍ରସଙ୍ଗ ଉଠିଛି। ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତ ଉପନିର୍ବାଚନରେ କ’ଣ ପାଇଁ ହାରିଥିଲେ? ୨୦୧୯ ନିର୍ବାଚନରେ କ’ଣ ତ୍ରୁଟି ଥିଲା? ଏସବୁକୁ ନେଇ ସେ ନିଜର ବକ୍ତବ୍ୟ ରଖିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସରକାର ପଦ୍ମପୁର ଉପନିର୍ବାଚନରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ଉଠାଇଛନ୍ତି। ଏହାସତ୍ତ୍ବେ ବିଜେପିର ଭୋଟ ପଦ୍ମପୁର ଉପନିର୍ବାଚନରେ କମିନଥିଲା ବୋଲି କହିଛନ୍ତି। ଶ୍ରୀ ପୁରୋହିତଙ୍କ ମତକୁ ଜିଲ୍ଲା ବିଜେଡି ପକ୍ଷରୁ ଖଣ୍ଡନ କରାଯାଉଛି।
ବିଜେପିର ଭୋଟ୍ କମିନଥିଲା: ପ୍ରଦୀପ
ଭୁଲ୍ ତଥ୍ୟ ଦେଉଛନ୍ତି: ପ୍ରଭାସ
ବରଗଡ଼ଠାରେ ଅନୁଷ୍ଠିତ ମିଶ୍ରଣପର୍ବ ଅବସରରେ ସାଂସଦ ପ୍ରାର୍ଥୀ ଶ୍ରୀ ପୁରୋହିତ କହିଛନ୍ତି, ଉପନିର୍ବାଚନରେ ମଧ୍ୟ ସରକାର କଳବଳ କୌଶଳ ଲଗାଇଥିଲେ ହେଁ ବିଜେପିର ଭୋଟ ଖଣ୍ଡିଏ ବି କମିନଥିଲା। ବରଂ, ୨୦୧୯ଠାରୁ ଅଧିକ ଭୋଟ ବିଜେପି ଉପନିର୍ବାଚନରେ ପାଇଥିଲା। ଉପନିର୍ବାଚନରେ ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ନେତା, ମନ୍ତ୍ରୀ ଆସି ପଦ୍ମପୁରରେ ଡେରା ପକାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଦୁଇ ଦୁଇଥର ଆସିଥିଲେ। କିନ୍ତୁ, ବିଜେପି ୨୦୧୯ ନିର୍ବାଚନରେ ଯେତିକି ଭୋଟ ପାଇଥିଲା, ତା’ଠୁ ଅଧିକ ୧୭୦୦ ଭୋଟ ପାଇଥିଲା। ଏଥର କେନ୍ଦ୍ର ନେତୃମଣ୍ଡଳୀ ତାଙ୍କୁ ସାଂସଦ ପ୍ରାର୍ଥୀ କରିଛନ୍ତି। ବିଜେପି ବାଜିମାତ କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ବିଜେପି ଭୁଲ୍ ତଥ୍ୟ ଦେଉଛି ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ। ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନକୁ ନେଇ ଯାହା ଦାବି ଥିଲା, ସେସବୁକୁ ନିର୍ବାଚନ ପରେ ପୂରଣ କରାଯାଇଥିଲା ବୋଲି ସେ କହିଛନ୍ତି।