ଭୁବନେଶ୍ବର : ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ।ଶନିବାର ଦିନ ଏନେଇ ଭାରତ ଉପନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ଗେଜେଟ୍ ବିଜ୍ଞପ୍ତି ଜାରି ହେବ। ନଭେମ୍ବର ୧୭ରେ ନାମାଙ୍କନପତ୍ର ଦାଖଲ ଶେଷ ଓ ୧୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଡିସେମ୍ବର ୫ରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୮ରେ ଭୋଟ୍ ଗଣତି ହେବ।
ଆରମ୍ଭ ହେଲା ପ୍ରାର୍ଥୀ ଚୟନ କସରତ
ବରଗଡ଼ : ଠିକ୍ ମାସେ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଶନିବାର ନିର୍ବାଚନ ତାରିଖ ଘୋଷଣା ପରେ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଉଷ୍ଣତା ସାମାନ୍ୟ ଛୁଇଁଛି। ସବୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ରାଜନୀତି ଜମିବ। ତେବେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେଡି ସାମାନ୍ୟ ଦ୍ବନ୍ଦ୍ବରେ ପଡ଼ିଛି। ଯଦି ରାଜ୍ୟର ଉପନିର୍ବାଚନ ଇତିହାସ ଲେଉଟା ଯାଏ, ତେବେ ଦିବଂଗତ ବିଧାୟକଙ୍କ ପରିବାରବର୍ଗରୁ ହିଁ ଟିକେଟ୍ ମିଳୁଛି।
ପିପିଲି, ବ୍ରଜରାଜନଗର, ଧାମନଗର, ବିଜେପୁର ଉପନିର୍ବାଚନରେ ଏହାର ଝଲକ୍ ମିିଳି ସାରିଛି। ତେଣୁ ବିଜେଡି ସମ୍ଭବତଃ ଏହି ରଣନୀତିରେ ଆଗକୁ ବଢ଼ିବ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସତ ହେଲେ, ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରିବାରବର୍ଗରୁ ଜଣକୁ ଦଳ ଟିକଟ୍ ଧରାଇବ। ପଦ୍ମପୁର ନିର୍ବାଚନମଣ୍ଡଳୀରେ ସ୍ବର୍ଗତ ବିଧାୟକ ବରିହାଙ୍କ ବ୍ୟତୀତ ସେଭଳି ବଡ଼ ଚେହେରା ବିଜେଡି ପାଇନାହିଁ। ତେଣୁ ନୂଆ ଚେହେରାକୁ ଟିକଟ୍ ଦେଇ ବିଜେଡି ୨୦୨୪ ନିର୍ବାଚନ ପୂର୍ବରୁ କିଛି ପ୍ରୟୋଗ କରିପାରେ ବୋଲି ଆଉ ଗୋଟିଏ ମହଲ ମତ ରଖୁଛନ୍ତି। କିନ୍ତୁ ଉପନିର୍ବାଚନକୁ କୌଣସି ହିସାବରେ ବିଜେଡି ହାଲୁକା ଭାବେ ବି ନେବ ନାହିଁ। ତେଣୁ ଦଳ ପ୍ରାର୍ଥୀ ଚୟନ ଚିନ୍ତାରେ ରହିଛି। ଭିତିରିଆ ଖବର ଅନୁସାରେ, ଆସନ୍ତାକାଲି ବରଗଡ଼ ଜିଲ୍ଲାର କିଛି ବିଧାୟକ ଏବଂ ନେତାଙ୍କୁ ଭୁବନେଶ୍ବର ଡାକରା ଆସିଛି। ରାଜଧାନୀରେ ପ୍ରାରମ୍ଭିକ ଆଲୋଚନା ହେବ। ସମ୍ଭବତଃ, ଦିନେ ଦୁଇ ଦିନ ଭିତରେ ଦଳ ପ୍ରାର୍ଥୀଙ୍କ ସଂପର୍କରେ ଠୋସ୍ କିଛି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି।
ବିଜେଡି ପ୍ରାର୍ଥୀ ଖୋଜିବା ଲାଗି ରାଜଧାନୀରେ ହେବ ବୈଠକ
ବିଜେପିରୁ ପ୍ରଦୀପ, କଂଗ୍ରେସର ସତ୍ୟଙ୍କୁ ନେଇ ଚର୍ଚ୍ଚା
କିନ୍ତୁ ଏହି ପ୍ରକ୍ରିୟାରେ ବିଜେପି ଏବଂ କଂଗ୍ରେସ ସହଜ ସ୍ଥିତିରେ ଅଛନ୍ତି। ବିଜେପି ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହିଁ ଏକମାତ୍ର ଚେହେରା। ତାଙ୍କ ସ୍ତରର ଅନ୍ୟ କୌଣସି ନେତା ଏହି ନିର୍ବାଚନମଣ୍ଡଳୀରୁ ଆବିର୍ଭାବ ହୋଇନାହାନ୍ତି। ତେଣୁ ଦଳ ଶ୍ରୀ ପୁରୋହିତଙ୍କ ଉପରେ ହିଁ ଭରସା କରିବ। ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନରେ ପରାଜୟ ଭୋଗିଥିଲେ ହେଁ ଶ୍ରୀ ପୁରୋହିତ ନିର୍ବାଚନମଣ୍ଡଳୀ ସାରା ବର୍ଷତମାମ ସକ୍ରିୟ ଅଛନ୍ତି। ଛୋଟ ହେଉ କି ବଡ଼, ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ପ୍ରତିନିଧିତ୍ବ ରହୁଛି। ଶ୍ରୀ ପୁରୋହିତଙ୍କ ସକ୍ରିୟତା ଏବଂ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କ ନାମ ଘୋଷଣା କରିବା ବିଜେପି ପାଇଁ କେବଳ ଏକ ଔପଚାରିକତା ବୋଲି କୁହାଯାଉଛି।
ସେହିପରି କଂଗ୍ରେସ ବିରୋଧୀ ଦଳର ପୂର୍ବତନ ମୁଖ୍ୟସଚେତକ ସତ୍ୟଭୂଷଣ ସାହୁଙ୍କ ଉପରେ ହିଁ ଆଖି ପକାଇବ। ଶ୍ରୀ ସାହୁଙ୍କ ବ୍ୟତୀତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆଉ କୌଣସି ବରିଷ୍ଠ ନେତା ସେଭଳି ସକ୍ରିୟ ନାହାନ୍ତି। ବୟସ ଅଧିକ ହେଲେ ହେଁ ଶ୍ରୀ ସାହୁ ପାରୁ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକ୍ରମର ନେତୃତ୍ବ ନେଉଛନ୍ତି। ତେଣୁ ସେ ଦୌଡ଼ରେ ଆଗରେ ରହିବା ସ୍ବାଭାବିକ। ହେଲେ ଦଳ ଏ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ।