ବରଗଡ଼/ପଦ୍ମପୁର : ଫସଲ ବୀମା ଓ ବରଗଡ଼-ନୂଆପଡ଼ା ରେଳପଥ ଉପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ପରେ ପାଲଟା ଜବାବ ଦେଇଛି ବିଜେଡି। ଉଭୟ ପ୍ରସଂଗରେ ଦଳର ପକ୍ଷ ରଖି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାର ସତ୍ୟର ପରିହାସ କରିଛନ୍ତି ଯାହା ସଂଘୀୟ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ। ମନ୍ତ୍ରୀମାନଙ୍କ ଗସ୍ତ ପରେପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଲେ, ୨୦୧୯ରେ ରେଳ ମନ୍ତ୍ରାଳୟ ସର୍ଭେ ପରେ ଏହି ଲାଇନ ଲାଭଦାୟକ ନୁହେଁ ଏବଂ ଏହି ପ୍ରକଳ୍ପକୁ ସଂରକ୍ଷିତ କରାଗଲା ବୋଲି କହିଥିଲା। କିନ୍ତୁ ଏବେ ମନ୍ତ୍ରୀ କହୁଛନ୍ତି ଯେ ଓଡ଼ିଶା ସରକାର ଆଜି ଜମି ଦେଲେ କେନ୍ଦ୍ର କାଲି ରେଳ ଲାଇନ୍ କରିବ।
ରାଜ୍ୟ ସରକାରକୁ ଜମି ମଗାଯିବା ନେଇ କେନ୍ଦ୍ର ସରକାର କେଉଁ ଚିଠି ଦେଇଛନ୍ତି ତାହା ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ବାନ ଦେଇଥିଲେ। ଯଦି ରାଜ୍ୟ ଜମି ଦେବ କେଉଁଠି ଦେବ, କେତେ ଦେବ ଏହାର ସର୍ଭେ କରି ଚିହ୍ନଟ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେଳ ପ୍ରକଳ୍ପ ପାଇଁ ମାଗଣା ଜମି ସହ ସ୍ବେଚ୍ଛାକୃତ ଭାବେ ଅତିରିକ୍ତ ୩୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାସତ୍ତ୍ବେ କେନ୍ଦ୍ର ଏହି ପ୍ରକଳ୍ପ ଆରମ୍ଭ କରିବାକୁ ଆଗ୍ରହ ଦେଖାଇ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।
ସେହିପରି, ଫସଲ ବୀମା ମାମଲାରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭ୍ରମିତ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ହେଉଛି କେନ୍ଦ୍ର ସରକାରଙ୍କ ଦାୟିତ୍ବ। କେନ୍ଦ୍ର ବୀମା ବାବଦ ଅର୍ଥ ରାଜ୍ୟକୁ ଦେଇ ସାରିଛି ବୋଲି ମନ୍ତ୍ରୀ କହିବା ଆଶ୍ଚର୍ଯ୍ୟଜନକ। କାରଣ ବୀମା କ୍ଷତିପୂରଣ କୌଣସି ସରକାର ଦିଅନ୍ତି ନାହିଁ, ବୀମା କମ୍ପାନି ଦିଏ ବୋଲି ଶ୍ରୀ ଆଚାର୍ଯ୍ୟ ଯୁକ୍ତି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/prasanna-acharya.jpg)