ବରଗଡ଼/ପଦ୍ମପୁର/ଭୁବନେଶ୍ବର : ଆଜି ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟଗ୍ରହଣ। ଏହି ହାଇଭୋଲଟେଜ୍ ନିର୍ବାଚନରେ ଆଜି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୬୯ ହଜାରରୁ ଅଧିକ ମତଦାତା। ଭୋଟଗ୍ରହଣକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଥିଲା ବେଳେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପିର ଛକାପଞ୍ଝା ତଥାପି ଜାରି ରହିଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶେଷ ପର୍ଯ୍ୟାୟ ଅଭିଯାନକୁ ଉଭୟ ପକ୍ଷ ଅଧିକ ଜୋରଦାର କରିଚାଲିଛନ୍ତି। ନିର୍ବାଚନ ତାତି ଶୀର୍ଷରେ ରହିଥିଲେ ହେଁ ରାତି ୧୧ଟା ସୁଦ୍ଧା କୌଣସି ସ୍ଥାନରେ ବଡ଼ଧରଣର ଗଣ୍ଡଗୋଳର ଖବର ମିଳିନାହିଁ।
/sambad/media/post_attachments/wp-content/uploads/2022/12/m23-1-750x430.jpg)
ତେବେ ଟଙ୍କାବଣ୍ଟାକୁ ନେଇ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡ଼ି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଏହାକୁ ନେଇ ଉଭୟ ପକ୍ଷ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଭାଇ ଭୋଜରାଜ ସିଂହ ବରିହା ପାଇକମାଲ ବ୍ଲକର ସରେଇକେଲା ଗାଁକୁ ଯାଇଥିଲା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଘେରାଉ କରିଥିଲେ। ଅପରାହ୍ନରେ ଜୁନାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ହିମାଂଶୁ ଶେଖର ମେହେର ଝାରବନ୍ଧ ବ୍ଲକ୍ର ଜଗଦଲପୁର ଅଂଚଳକୁ ଆସିଥିଲା ବେଳେ ପୁଲିସ ତାଙ୍କୁ ଦୀର୍ଘ ସମୟ ଧରି ଥାନାରେ ଅଟକ ରଖି ରାତିରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ପ୍ରକାଶ। ଏତଦ୍ଭିନ୍ନ ନିର୍ବାଚନମଣ୍ଡଳୀର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏହାକୁ ନେଇ ଚାପା ଉତ୍ତେଜନା ଜାରି ରହିଛି। ପରିସ୍ଥିତିକୁ ଦେଖି ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
/sambad/media/post_attachments/wp-content/uploads/2022/12/m26-2-750x430.jpg)
ଉଭୟ ଦଳ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେହି ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହନ୍ତି। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା ପ୍ରଚାର ଅଭିଯାନରେ ସାମିଲ ହୋଇଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦୁଇ କେନ୍ଦ୍ର ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।
ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ କମିସନ ପ୍ରସ୍ତୁତ ରହିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରବିବାର ଦିନ ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ୩୧୯ଟି ବୁଥ୍ରେ ୨ଲକ୍ଷ ୫୭ହଜାର ୪୭୪ଜଣ ଭୋଟର୍ ମତଦାନ କରିବେ। ୩୧୯ଟି ବୁଥ୍ରେ ମତଦାନ ହେବାକୁ ଥିବାବେଳେ ପ୍ରତି ବୁଥ୍ରେ ୪ଜଣ ଲେଖାଏଁ ପୁଲିଂ କର୍ମଚାରୀ ରହିବେ। ଏଥିପାଇଁ ପୁଲିଂ କର୍ମଚାରୀମାନେ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଉପନିର୍ବାଚନ ପାଇଁ ୧୨୭୬ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ଏଥିରୁ ୩୨ଟି ଟିମ୍ ଅର୍ଥାତ୍ ୧୨୮ଜଣ କର୍ମଚାରୀ ରିଜର୍ଭ ଅଛନ୍ତି।
/sambad/media/post_attachments/wp-content/uploads/2022/12/m24-750x430.jpg)
ମତଦାତାମାନେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ୧୨ଟି ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ମତଦାନ କରିପାରିବେ। ମତଦାନ ଆରମ୍ଭ ହେବାର ଦେଢ଼ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୩୦ରୁ ମକ୍ ପୋଲ୍ କରାଯିବ। ସକାଳ ୭ଟାରୁ ସଂଧ୍ୟା ୪ଟା ୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ କରିହେବନି। ଯିଏ ନିୟମ ଉଲ୍ଲଂଘନ କରିବେ ତାଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ସହ ଜରିମାନା ହେବା। ସେହିପରି ବୁଥ୍ର ୧୦୦ମିଟର ଭିତରେ କେହିବି କୌଣସି ପ୍ରାର୍ଥୀଙ୍କୁ ମତଦାନ କରିବାକୁ ଅନୁରୋଧ କି ବାଧ୍ୟ କରିପାରିବେନି। ଯଦି କେହି ଭୋଟ୍ ମାଗୁଥିବାର ନଜରକୁ ଆସେ ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୧୪୧୩ଜଣ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ନିର୍ବାଚନକୁ ନଜରରେ ରଖି ୧୮୧ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା ରଖାଯାଇଥିବା ବେଳେ ୧୦୦୬ଜଣଙ୍କୁ ଗିରଫ କରାଯାଇଛି।୨୬୪ଜଣଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି ହୋଇଛି।
ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋଟ୍ ୩୮ଟି ଅଭିଯୋଗ ଆସିଛି। ବିଭିନ୍ନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୧୬ଜଣ ଜିଆର୍ଏସ୍ଙ୍କର ବଦଳି ହୋଇଥିବାବେଳେ ୩ଜଣ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଏଥିରୁ ଜଣଙ୍କୁ ନିଲମ୍ବିତ କରାଯାଇଛି। ଆଉ ୬ଜଣ ଜିଆର୍ଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ୧୪ଜଣ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି ବୋଲି ସିଇଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବିଜେଡି ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ଏହି ଉପନିର୍ବାଚନ ହେଉଛି। ବିଜେଡି ପକ୍ଷରୁ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/padmapur-bypoll-a.jpg)