ନବୀନ ନିବାସରେ ପଦ୍ମପୁର ହିସାବ ନିକାଶ

ଦାୟିତ୍ବରେ ଥିବା ନେତା ନବୀନଙ୍କୁ ଭେଟିଲେ

ଭୁବନେଶ୍ବର : ଗୁରୁବାର ଦିନ ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ଉପରେ ସାରା ରାଜ୍ୟର ନଜର ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ନବୀନ ନିବାସରେ ପଦ୍ମପୁର ଭୋଟ୍‌ ଗଣିତର ହିସାବ ନିକାଶ କରାଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ନେତାମାନଙ୍କୁ ଡକାଯାଇ ପଦ୍ମପୁରର ଫଳାଫଳ ସମ୍ପର୍କରେ ଆଲୋଚନା କରାଯାଇଥିଲା। କିଛି ସମୟ ଆଲୋଚନା ପରେ ସମସ୍ତେ ବିଭିନ୍ନ ପର୍ଯ୍ୟାୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଫଟୋ ସେସନ୍ କରିଥିଲେ।

ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌ର ୫୮ଟି ପଞ୍ଚାୟତ ଓ ଏନ୍‌ଏସିର ସମସ୍ତ ୱାର୍ଡ ଦାୟିତ୍ବରେ ଥିବା ନେତାମାନେ ନବୀନ ନିବାସରେ ପହଞ୍ଚିଥିଲେ। ସମସ୍ତେ ନିଜ ନିଜ ଜୋନ୍ ଇନ୍‌ଚାର୍ଜମାନଙ୍କ ସହ ଯାଇ ସଭାପତିଙ୍କୁ ସାକ୍ଷାତ କରିଥିଲେ। ନବୀନ ଏହି ନେତାମାନଙ୍କ ସହ ଖୁବ୍ କମ୍ ସମୟ ଆଲୋଚନା କରିଥିଲେ। ପଦ୍ମପୁରରେ ନିଷ୍ଠାର ସହ ଦଳ ପାଇଁ କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଭୋଟ୍‌ ଫଳାଫଳ ସମ୍ପର୍କରେ ନେତାମାନେ ବେଶ୍‌ ଉତ୍ସାହଜନକ ପ୍ରତିକ୍ରିୟା ରଖିଥିଲେ। ଆଗକୁ ଦଳ ପାଇଁ ଏମିତି କାର୍ଯ୍ୟ ଜାରି ରଖିବାକୁ ନବୀନ ପରାମର୍ଶ ଦେଇଥିଲେ। ତେବେ ଆଜିର ଆଲୋଚନା ସମୟରେ ନିର୍ବାଚନ ଦାୟିତ୍ବରେ ଥିବା‌ କିଛି ବରିଷ୍ଠ ନେତା ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର