ବରଗଡ଼: ପଦ୍ମପୁର ଉପଖଣ୍ଡ ମରୁଡ଼ି ପ୍ରପୀଡ଼ିତ ଇଲାକା ଭାବେ ପରିଗଣିତ। ବରଗଡ଼ ଜିଲ୍ଲାରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ବେଶି ବର୍ଷା ହେଉଥିବା ବର୍ଷ ବି ପଦ୍ମପୁର ଉପଖଣ୍ଡ ମରୁଡ଼ିର ଶିକାର ହେଉଥିବା ନଜିର ରହିଛି। ତେଣୁ ବର୍ଷାଭାବ ଦଶନ୍ଧି ହେଲା ଏଠାକାର ଚାଷବାସ ବିଗାଡ଼ି ଦେଇଛି। ଆଶ୍ଚର୍ଯ୍ୟର କଥା, ବିଲକୁ ପାଣି ମୁନ୍ଦାଏ ଯୋଗାଡ଼ କରିବାକୁ ଚାଷୀ ପାଇଁ କିଛି ବିକଳ୍ପ ନାହିଁ। ପଦ୍ମପୁର ଉପଖଣ୍ଡ ଦେଇ ଅଂଗ ନଦୀ ପ୍ରବାହିତ। କିନ୍ତୁ ଅଂଗ ନଦୀରେ କିଛି ବନ୍ଧ ନଥିବାରୁ ଉପଖଣ୍ଡର ଚାଷୀ ବର୍ଷ ତମାମ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପଦ୍ମପୁର ଉପଖଣ୍ଡ ଅଂଚଳ କେବେ ଜଳସେଚିତ ହେବ, ସେ ନେଇ ଏଯାଏ କୌଣସି ପ୍ରକଳ୍ପ ସ୍ପଷ୍ଟ ହୋଇନାହିଁ। ପ୍ରସ୍ତାବିତ ଅ˚ଗ ନଦୀବନ୍ଧ ପ୍ରକଳ୍ପ ବିବାଦ ଭିତରେ ଛନ୍ଦି ହୋଇ ରହିଛି। ଏହି ପ୍ରକଳ୍ପ ବିରୋଧରେ ପୂର୍ବରୁ ବିପକ୍ଷବାଦୀମାନେ ବିଭିନ୍ନ ସ୍ଥାନରେ ନିଜ ଅସନ୍ତୋଷ ଜାହିର କରି ସାରିଛନ୍ତି। ଏହି ପ୍ରକଳ୍ପ ନେଇ ସମର୍ଥକ ଏବ˚ ପ୍ରତିରୋଧ କମିଟି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଉଭୟ ଗୋଷ୍ଠୀ ନିଜ ନିଜ ଦାବି ନେଇ ପୂର୍ବରୁ ଜୋର୍ଦାର୍ ଆନ୍ଦୋଳନ କରି ସାରିଛନ୍ତି।
ତେବେ ପ୍ରଶାସନ ପକ୍ଷରୁ ପ୍ରକଳ୍ପ ଆଗେଇ ନେବାକୁ କିଛି ପ୍ରୟାସ ହୋଇନାହିଁ। ତିନି ବର୍ଷ ପ୍ରକଳ୍ପ ପାଇଁ ଆର୍ପିଡିଏସି ଗଠନ, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନିଯୁକ୍ତି ପାଇଁ ସପକ୍ଷବାଦୀଙ୍କ ସହ ପ୍ରଶାସନିକ ଆଲୋଚନା ବେଳେ ମତ ପ୍ରକାଶ ପାଇଥିଲା। ଏହାବାଦ୍ ବନୀକରଣ ଏବ˚ ବିସ୍ଥାପିତଙ୍କୁ ନିୟମ ମୁତାବକ କ୍ଷତିପୂରଣ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଏଯାଏ ଏଥିରେ କିଛି ଅଗ୍ରଗତି ଘଟିନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଇକମାଳ, ପଦ୍ମପୁର, ଗାଈସିଲାଟ୍, ବିଜେପୁର, ସୋହେଲା ଏବ˚ ବଲା˚ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ର ୫୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ପହ˚ଚିବ ବୋଲି ଆକଳନ କରାଯାଇଛି। କିନ୍ତୁ, ବିପକ୍ଷବାଦୀଙ୍କ ଯୁକ୍ତି ହେଲା ଅଂଗ ନଦୀ ବନ୍ଧ ହେଲେ ସରେଇକେଲା, ଲଖମରା, ଚର୍ଦ୍ଧାପାଲି, ଜଗଦଲପୁର ପଞ୍ଚାୟତର ୧୧ଟି ଗ୍ରାମ ସ˚ପୂର୍ଣ୍ଣ ଭାବେ ଏବ˚ ୨୧ଟି ଗାଁ ଆ˚ଶିକ ଭାବେ ଜଳମଗ୍ନ ହେବ। ବଣ ପାହାଡ଼ରେ ଥିବା ଜୀବଜନ୍ତୁ ଲୋପ ପାଇଯିବେ। ଜ˚ଗଲରେ ଥିବା ଖଣି ବି ବୁଡ଼ିଯିବ। ତେଣୁ ଛୋଟ ଆନିକଟ, ବୃହତ୍ ଉଠା ଜଳସେଚନ ବ୍ୟବସ୍ଥା କରି ଜଳସେଚନ ବ୍ୟବସ୍ଥା କରିବାକୁ କମିଟି ପ୍ରସ୍ତାବ ଦେଇ ଆସୁଛି।
ତେବେ ଅଂଗନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ସବୁ ସ୍ତରରେ ସହମତି ରହିଛି। ବ୍ୟାରେଜ୍ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ତାହା କାର୍ଯ୍ୟକାରୀ ହେବା ତ ଦୂରର କଥା, କିଛି ବିଧିବଦ୍ଧ ସମୀକ୍ଷା ବି ହୋଇନାହିଁ। ଅଂଗନଦୀ କୂଳରେ ଥିବା କିଛି ଗାଁରେ ଚାଷୀ ବାଲିରେ ଛୋଟ ଛୋଟ ବନ୍ଧ କରି ପାଣିକୁ ସଂରକ୍ଷିତ ରଖୁଛନ୍ତି। ତିନି ମାସ କାଳ ଯାହା ପାଣି ରହୁଛି, ତାକୁ ପମ୍ପରେ ଉଠାଇ ଜମିକୁ ମଡ଼ାଉଛନ୍ତି। ଚାଷୀଙ୍କ ଏହି ଦୁଃଖ ଦଶନ୍ଧି ଦଶନ୍ଧି ଧରି ଜାରି ରହିଛି। ପ୍ରାୟ ୩୦ ବର୍ଷ ପୂର୍ବେ ଚିରୋଲିଠାରେ ଅଂଗ ନଦୀବନ୍ଧ ସକାଶେ ଦପ୍ତରଟିଏ ବି ଖୋଲିଛି। କିନ୍ତୁ କେଉଁ କାରଣରୁ ଏହା ଖୋଲିଛି, ତାହାର ଜବାବ ବି କାହାରି ପାଖରେ ନାହିଁ। ଉପନିର୍ବାଚନରେ ଅଂଗ ନଦୀରୁ ଜଳସେଚନ ପ୍ରକଳ୍ପ ଏକ ମୁଖ୍ୟ ପ୍ରସଂଗ ଭାବେ ଉଭା ହେବା ସମ୍ଭାବନା ରହିଛି। ଚାଷୀ ଏହି ପ୍ରସଂଗରେ ନିଶ୍ଚିତ ଭାବେ ନେତାଙ୍କଠାରୁ ଜବାବ ମାଗିବେ ବୋଲି ଶୁଣିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/11-17.jpg)