ସମ୍ବଲପୁର: ପଦ୍ମପୁର ଉପଖଣ୍ଡ କେବେ ଜିଲ୍ଲା ହେବ, ସେନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିବେ ବୋଲି ଲୋକେ ଅପେକ୍ଷା କରିଥିଲେ। କିନ୍ତୁ, ସେ ନିର୍ଦ୍ଦିଷ୍ଟ ଭାବେ କେବେ ହେବ ତାହା ନକହି ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲ୍ଲାରେ ପରିଣତ କରାଯିବ ବୋଲି କହିଛନ୍ତି। ଉପନିର୍ବାଚନ ସମୟରେ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ନକରି ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି।

Advertisment

ଶ୍ରୀ ପୁରୋହିତ ଆହୁରି କହିଛନ୍ତି, ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏକ ଭର୍ଚୁଆଲ ମିଟିଂ କରି ପଦ୍ମପୁର ଉପଖଣ୍ଡରେ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ହେବ ବୋଲି କହିଥିଲେ। ୨୦୦ କୋଟି ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ବି ଉପନିର୍ବାଚନ ସମୟରେ ଘୋଷଣା କରିଥିଲେ। ‌ସେହି ୮୦୦ କୋଟି ଟଙ୍କାର କାମ ହୋଇନାହିଁ କି ଏପର୍ଯ୍ୟନ୍ତ ୧ ପ୍ରତିଶତ ଛୋଟ ଓ ମଧ୍ୟମ ବର୍ଗର ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ରାଶି ମିଳିନାହିଁ। କେବଳ ସେତିକି ନୁହେଁ, ଛାତ୍ରବୃତ୍ତି, ବିବାହ ସହାୟତା ରାଶି ପାଇଁ ଆବେଦନ କରିଥିବା କେନ୍ଦୁପତ୍ର ତୋଳାଳିଙ୍କ ପିଲାମାନଙ୍କୁ ସେହି ସହାୟତା ବି ମିଳି ନାହିଁ। ଘୋଷଣା ମୁତାବକ କେନ୍ଦୁପତ୍ର କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ମଧ୍ୟ ଲାଗୁ ହୋଇନାହିଁ।

ପଦ୍ମପୁରବାସୀଙ୍କ ସହିତ ଧୋକା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼-ନୂଆପଡ଼ା ରେଳ‌ ଲାଇନ୍ ପ୍ରସଂଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କୁ ମହାପ୍ରଭୁ ନୃସିଂହନାଥ ସଦ୍‌ବୁଦ୍ଧି ଦେବା କଥା କହିଛନ୍ତି। ତେବେ, ସେ ଆଜି ବରଗଡ଼-ନୂଆପଡ଼ା ରେଳ ଲାଇନ୍ ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପର୍କରେ କହିପାରିଥା’ନ୍ତେ। ରାଜ୍ୟ ସରକାର ଜମି ଯୋଗାଇଦେଲେ କେନ୍ଦ୍ର ସରକାର ରେଳ ଲାଇନ୍ କାମ ଆରମ୍ଭ କରିଥା’ନ୍ତେ । ଜମି ନଯୋଗାଇଲେ କାମ କେମିତି ଆରମ୍ଭ ହେବ ବୋଲି ଶ୍ରୀ ପୁରୋହିତ ପାଲଟା ପ୍ରଶ୍ନ କରିଛନ୍ତି। ଉପନିର୍ବାଚନ ସମୟରେ ଘୋଷଣା କରିଥିବା ସବୁ ପ୍ରତିଶ୍ରୁତି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦେବାକୁ ନୃସିଂହନାଥ ମହାପ୍ରଭୁଙ୍କଠାରେ ପ୍ରାର୍ଥନା କରୁଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ପ‌ୁରୋହିତ କହିଛନ୍ତି।