ଗଡ଼ିଲାଣି ତିନି ଅଧିକାରୀଙ୍କ ମୁଣ୍ଡ
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପ୍ରକ୍ରିୟାରେ ତୃତୀୟ ଅଧିକାରୀଙ୍କ ମୁଣ୍ଡ ଗଡ଼ିଛି। ପଦ୍ମପୁର ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ସେଠାରୁ ହଟାଇ ଦିଆଯାଇଛି। ୪୦ ଲକ୍ଷ ଟଙ୍କା ଜବତ ଘଟଣାରେ ବୟାନ ଦେଇ ବିବାଦରେ ଥିଲେ ଶ୍ରୀ ପଣ୍ଡା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ତାଙ୍କୁ ସେଠାରୁ ହଟାଯାଇ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ପଦ୍ମପୁର ଏସ୍ଡିପିଓ ଭାବେ କ୍ଷୀର ସାଗର ନାୟକଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।
ନିର୍ବାଚନରେ ନିରପେକ୍ଷତା ନେଇ ସନ୍ଦେହର ବଳୟକୁ ଆସିବା ପରେ ଶ୍ରୀ ପଣ୍ଡାଙ୍କୁ ମିଶାଇ ମୋଟ୍ ତିନି ଜଣ ଅଧିକାରୀଙ୍କୁ ବରଗଡ଼ ଜିଲ୍ଲାରୁ ହଟାଗଲାଣି। ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ମାତ୍ରେ ବରଗଡ଼ର ତତ୍କାଳୀନ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ତତ୍କାଳୀନ ଏସ୍ପି ଯୁଗଳ କିଶୋରଙ୍କୁ ସେଠାରୁ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶକ୍ରମେ ହଟାଇଦିଆଯାଇଥିଲା। ଉଭୟ ଅଧିକାରୀ ଶାସକ ଦଳର ଏଜେଣ୍ଟ୍ ଭାବେ କାର୍ଯ୍ୟ କରୁଛନ୍ତି ବିଜେପି ଅଭିଯୋଗ କରିଥିଲା। ପରେ ଜିଲ୍ଲାପାଳ ଭାବେ ୟାମିନୀ ଷଡ଼ଙ୍ଗୀ ଓ ଏସ୍ପି ଭାବେ ଜୟନାରାୟଣ ପଙ୍କଜଙ୍କୁ ନିଯୁକ୍ତି ଦିଆଯାଇଥିଲା।
ପୂର୍ବତନ ଏସ୍ଡିପିଓ ଶ୍ରୀ ପଣ୍ଡାଙ୍କୁ ସେଠାରୁ ହଟାଇବା ପାଇଁ ବିଜେପି ଗତ କିଛି ଦିନ ଧରି ଦାବି କରିଆସୁଥିଲା। ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ଘଟଣାରେ ଶ୍ରୀ ପଣ୍ଡା ତରବରିଆ ଭାବେ ଏହି ଟଙ୍କା ବିଜେପିର ନିର୍ବାଚନ ପ୍ରଚାରରେ ଲାଗିବା ପାଇଁ ଆସିଥିଲା ବୋଲି ବୟାନ ଦେଇଥିଲେ। ଏହାକୁ ନେଇ ବିଜେପି ଖପ୍ପା ହେବା ସହ ତୁରନ୍ତ ତାଙ୍କୁ ହଟାଇବା ପାଇଁ ଦାବି କରିଆସୁଥିଲା। ଶ୍ରୀ ପଣ୍ଡା ଶାସକ ଦଳର ଇସାରାରେ କାମ କରୁଛନ୍ତି ବୋଲି ଦଳ ଆରୋପ ଲଗାଇଥିଲା।