ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ

ଯାଜପୁର: ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ନନ୍ଦ କିଶୋର ପୃଷ୍ଟିକୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୩୦ ତାରିଖରେ ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଟାଟା କୋଭିଡ୍‌ ହସ୍ପିଟାଲ, କଳିଙ୍ଗନଗରରେ ଭର୍ତ୍ତି କରାଯାଇଥିଲା। ବୟସାଧିକ୍ୟ କାରଣ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦ ସାର୍‌ଙ୍କୁ ଆଜି ‘ସମ୍‌’ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସ୍ମୃତିରଂଜନ ମୁଦୁଲି ଓ ଟାଟା ମେଡିକା ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ସୂତାରଙ୍କ ପରାମର୍ଶକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଏକ ଆଡାଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ଭୁବନେଶ୍ବର ପଠାଯାଇଥିଲା। ଏହି ସ୍ଥାନାନ୍ତର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଏଡିଏମ୍‌ଓ ଡା. ସୁଧାଂଶୁ ଶେଖର ବଳ, ନନ୍ଦ ସାର୍‌ଙ୍କ ନାତି ସର୍ବେଶ୍ୱର ପୃଷ୍ଟି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଶତାୟୁ ଶିକ୍ଷକ ନନ୍ଦ ସାର ଚଳିତ ମାସ ୨ୟ ସପ୍ତାହରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶିର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସମ୍ବନ୍ଧିତ ଖବର