ସମ୍ବଲପୁର: ଲୋକପ୍ରିୟ ସମ୍ବଲପୁର ଗୀତ ‘ରଂଗବତୀ’ର ଗାୟିକା କ୍ରିଷ୍ଣା ପଟେଲଙ୍କୁ ମିଳିଛି ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ। ଆଜି ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବହୁ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ରାତ୍ରିରେ ସୁଷମା ସ୍ବରାଜ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ ରାତ୍ରିଭୋଜନରେ ଆପ୍ୟାୟିତ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କେନ୍ଦ୍ର ଅଶ୍ବିନୀ ବୈଷ୍ଣବ, ପୀୟୂଷ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ। କ୍ରିଷ୍ଣା ପଟେଲଙ୍କ ସହିତ ତାଙ୍କ ଭାଇ ଶ୍ରୀକାନ୍ତ ପଟେଲ, ଭାଇବୋହୂ ମଧୁସ୍ମିତା ପଟେଲ, ଯୁବ ଗବଷେକ ତୁଲାରାମ କଲେତ ଓ ତାଙ୍କ ପତ୍ନୀ ସୁମିତା ଚଇନି ଏହି ଅବସରରେ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ସମ୍ମାନ ପାଇଁ ଭାରତ ସରକାରଙ୍କ ଆମନ୍ତ୍ରଣ କ୍ରମେ ଗତ ୨ ତାରିଖ ଦିନ କ୍ରିଷ୍ଣା ଏଠାରୁ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ।

Advertisment

ହୋଟେଲ ‘ଦି ଅଶୋକ’ରେ ସେମାନଙ୍କ ରହଣି ବ୍ୟବସ୍ଥା କରାଯାଇଥିଲା। ଗତ ୩ ତାରିଖ ଦିନ କ୍ରିଷ୍ଣା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତକରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ। ପଦ୍ମଶ୍ରୀ ସମ୍ମାନ ପାଇବା ପରେ କ୍ରିଷ୍ଣା ପଟେଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏତେ ସୁନ୍ଦର ପରିବେଶ ମଧ୍ୟରେ ସମ୍ମାନ ଗ୍ରହଣ କରିବା ଗର୍ବର କଥା। ବହୁତ ଖୁସି ଲାଗୁଛି। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଏହି ସମ୍ମାନ ମିଳିଛି ବୋଲି କହିବା ସହିତ ଯୁବପିଢ଼ି ରାତାରାତି ଲୋକପ୍ରିୟତା ହାସଲ ପଛରେ ନଦୌଡ଼ି ସଂଗୀତ ସାଧାନାର ବ୍ରତୀ ରହିବାକୁ ସେ ଆହ୍ବାନ ଦେଇଛନ୍ତି। କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ମିଳିତ ପ୍ରୟାସ ଆବଶ୍ୟକ। ଆଦିବାସୀ ଅଂଚଳର ଲୋକଗୀତ, ବାଦ୍ୟ ଆଦିକୁ ବଞ୍ଚାଇ ରଖିବା ନିମନ୍ତେ ପ୍ରୟାସ ହେବା ଉଚିତ ବୋଲି ସେ କହିଛନ୍ତି।

କ୍ରୀଷ୍ଣା ପଟେଲ ଓ ତାଙ୍କ ସଂଗୀତ ସାଧନା

ଗତ ୨୮ ନଭେମ୍ବର ୧୯୫୭ ମସିହାରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ କ୍ରିଷ୍ଣା ପଟେଲଙ୍କ ଜନ୍ମ। କ୍ରିଷ୍ଣା ପଟେଲ ୭ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କ ମା ସ୍ନେହଲତା ପଟେଲ ଥିଲେ ସଂଗୀତ କ୍ଷେତ୍ରରେ ତାଙ୍କର ପ୍ରଥମ ଗୁରୁ। ପରବର୍ତ୍ତୀ ସମୟରେ ସମ୍ବଲପୁର କଳା ପରିଷଦରୁ ସେ ସଂଗୀତ ଶିକ୍ଷା କରିଥିଲେ। ଗୁରୁ ଫକୀର ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ, ପ୍ରଦୀପ ପାତ୍ର, ଜ୍ଞାନାଞ୍ଜନ ମହାପାତ୍ର, ପ୍ରଫୁଲ ମିତ୍ର, ପ୍ରମୋଦ ମିଶ୍ର ପ୍ରମୁଖଙ୍କଠାରୁ ସେ ସଂଗୀତ ଶିକ୍ଷା କରିଛନ୍ତି। ୧୯୭୦ ମସିହାରେ ସେ ଆକାଶବାଣୀ ସମ୍ବଲପୁରରେ ତାଙ୍କ ପ୍ରଥମ ଗୀତ ପ୍ରସାରିତ ହୋଇଥିଲା। ସେ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ସହିତ ଅନେକ ସମ୍ମାନ ପାଇଛନ୍ତି।

କ୍ରିଷ୍ଣା ପଟେଲଙ୍କ ପିତା ଜଣେ ପୁଲିସ ଅଫିସର ଥିବା ବେଳେ ସେ ବି ସମ୍ବଲପୁର ଡିଆଇଜି କାର୍ଯ୍ୟାଳୟରୁ ବିଭାଗୀୟ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ। ଏବେ ବି ସେ ସଂଗୀତ ସେବାରେ ନିୟୋଜିତ ରହିଛନ୍ତି। ‌ସେ କେବେ ଆଶା ରଖିନଥିଲେ। ସେ ‌କେବେ କୌଣସି ସମ୍ମାନ କି ପୁରସ୍କାର ପାଇବା ଆଶାରେ ଗୀତ ଗାଉନଥିଲେ। ‘ରଂଗବତୀ’ର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଅନ୍ୟତମ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ଆଗରୁ ପଦ୍ମଶ୍ରୀ ମିଳିଥିଲେ ବି ତାଙ୍କ ମନରେ ଅବସୋସ ନଥିଲା। ତାଙ୍କ କଣ୍ଠ ସବୁଦିନ ଭଲ ରହିଥାଉ ଆଉ ସେ ଏମିତି ଗୀତ ଗାଉଥାନ୍ତୁ ଏବଂ ଲୋକମାନଙ୍କର ତାଳି ମିଳୁଥାଏ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ସେ ବିଭିନ୍ନ ଶୈଳୀରେ ଗୀତ ଗାଇବାକୁ ପସନ୍ଦ କରିଥାନ୍ତି। ଲୋକକଳା(ଫୋକ୍‌ ଆର୍ଟ ) କ୍ଷେତ୍ରରେ ଅବଦାନ ନିମନ୍ତେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ମିଳିଛି।

ଅନ୍ୟ କେତୋଟି ଲୋକପ୍ରିୟ ଗୀତ:ଯା’ ଯା’ କଳାଭମରା, ଆହାରେ ଲରି ମଟର, ଆହୋ କଳାକାହ୍ନୁ, ଢଲି ଢଲି ଆସେ କୁଞ୍ଜବନେ, ଭମରା ପଲଙ୍କପରା, କଳାବତୀ ମୁଇଁ କଜଲି ଆଖି, ଗୁଲାପ କଢ଼ି ଲାଲ ମନ୍ଦାର, ମୁଇଁ ତ ରଂଗବତୀ।

publive-image

ରଂଗବତୀକୁ ୩ ପଦ୍ମଶ୍ରୀ

୭୦ ଦଶକରେ ଲିଖିତ ଓ ରେକର୍ଡ ହୋଇଥିବା ରଂଗବତୀ ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏଭଳି ପ୍ରସିଦ୍ଧି ଓ ଲୋକପ୍ରିୟତା ଲାଭ କରିଛି ଯାହାକି ଅନ୍ୟ କୌଣସି ଭାରତୀୟ ଗୀତକୁ ମିଳି ନାହିଁ। ସମ୍ଭବତଃ ଭାରତର ଏହା ଏପରି ଏକମାତ୍ର ଗୀତ ଯାହା ପାଇଁ ଜଣେ କି ଦୁଇ ଜଣ ନୁହେଁ ୩ ଜଣ କଳାକାର ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ପୂର୍ବରୁ ରଂଗବତୀର ଗାୟକ ଡ. ଜିତେନ୍ଦ୍ର ହରିପାଲ୍ ଏବଂ ଗୀତିକାର ମିତ୍ରଭାନୁ ଗୌନ୍ତିଆ ପଦ୍ମଶ୍ରୀ ପାଇଥିଲେ। ଆଜି ଏବେ ଏହାର ଗାୟିକା ଡ. କ୍ରିଷ୍ଣା ପଟେଲ୍ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିଛି। ଶ୍ରୀ ଗୌନ୍ତିଆଙ୍କ ରଚିତ ରଂଗବତୀ ପ୍ରଥମେ ୧୯୭୫ ମସିହାରେ ଆକାଶବାଣୀ ସମ୍ବଲପୁରରେ ରେକର୍ଡ ହୋଇଥିଲା। ପରେ ଇନ୍‌ରକୋ କଂପାନି ପକ୍ଷରୁ ଏହା ରେକର୍ଡ କରାଯାଇଥିଲା। ପ୍ରଭୁଦତ୍ତ ପ୍ରଧାନ ଏହି ଗୀତ ପାଇଁ ସଂଗୀତ ସଂଯୋଜନା କରିଥି‌ଲେ।

ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇ ଏହି ଗୀତ ପୂରା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟର ଲୋକଙ୍କ ମନରେ ସ୍ଥାନ ପାଇଛି। ପିଢ଼ି ପରେ ପିଢ଼ି ବଦଳି ଯାଇଛି ହେଲେ ରଂଗବତୀର ଚାହିଦା କମି ନାହିଁ ବରଂ ବଢ଼ି ଚାଲିଛି। ଦକ୍ଷିଣ କୋରିଆରେ ସପ୍ତମ ବିଶ୍ବ ଜଳ ମଞ୍ଚରେ କୋରୀୟ କଳାକାରମାନେ ରଂଗବତୀ ଧୁନ୍‌ରେ ନାଚିଥିଲେ। ୨୦୦୭ ଜନରାଜ୍ୟ ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ରଂଗବତୀ ଗୀତ ବାଜିଥିଲା।

ପରବର୍ତ୍ତୀ ସମୟରେ ବିଭିନ୍ନ ଭାରତୀୟ ଭାଷାରେ ଓ ଚଳଚ୍ଚିତ୍ରରେ ରଂଗବତୀର ରିମେକ୍ କରାଯାଇଛି। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ବଲିଉଡ୍ ଚଳଚ୍ଚିତ୍ର ‘କୌନ୍ କିତ୍‌ନେ ପାନି ମେଁ’ରେ ରଂଗବତୀ ଗୀତ ସ୍ଥାନ ପାଇଥିଲା। ଏମ୍‌-ଟିଭି କୋକ୍ ଷ୍ଟୁଡିଓ ପାଇଁ ରାମ ସଂପଥ୍‌ ନିଜ ପତ୍ନୀ ସୋନା ମହାପାତ୍ର ଓ ଗାୟକ ଋତୁରାଜଙ୍କୁ ନେଇ ରଂଗବତୀର ରିମେକ୍ କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏସୀୟ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶଂକର ମହାଦେବନ ଏହି ଗୀତ ଗାଇଥିଲେ। ଉକ୍ତ ମଞ୍ଚରେ ରଂଗବତୀର ୪ ଜଣ ଯାକ କଳାକାରଙ୍କୁ ଶ୍ରୀ ମହାଦେବନ୍ ଓ ସରକାର ସମ୍ମାନିତ କରିଥିଲେ।