ପଦ୍ମପୁର ଉପନିର୍ବାଚନ: ସପ୍ତାହେ ଭିତରେ ତାରିଖ ଘୋଷଣା! ବିଜେଡି-ବିଜେପି ସିଧା ଟକ୍କର୍‌

ପଞ୍ଚାୟତ ନିର୍ବାଚନରେ ସ୍ଥିତି ଥିଲା ବରାବର 

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ସ୍ବଳ୍ପ ଦିନ ଭିତରେ ତାରିଖ ଘୋଷଣା ସମ୍ଭାବନା ରହିଛି। କିଛି ମାତ୍ରାରେ ପ୍ରଶାସନିକ କସରତ ଏନେଇ ସୂଚନା ଦେଉଛି। ଦୁଇ ଦିନ ହେଲା ବରଗଡ଼ଠାରେ ୱେର୍‌ହାଉସ୍‌ରେ ଇଭିଏମ୍‌ ମେସିନ୍‌ଗୁଡ଼ିକର କମିସନିଂ କରାଯାଇଛି। ତେଣୁ ଉପର ମହଲରୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ପାଇଁ ପ୍ରଶାସନକୁ ସଂକେତ ମିଳିଥିବା ଜଣାପଡ଼ୁଛି। ଯଦି ଭିତିରିଆ ଖବର ସତ, ତେବେ ସପ୍ତାହେ ଭିତରେ ଉପନିର୍ବାଚନ ତାରିଖ ଘୋଷଣା ହେବ। ନଭେମ୍ବର ଶେଷ ବେଳକୁ ନିର୍ବାଚନର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଡିସେମ୍ବର ମାସ ପହିଲାରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ପ୍ରଶାସନ ଧନୁଯାତ୍ରା ଆୟୋଜନ ପ୍ରସ୍ତୁତିରେ ବ୍ୟସ୍ତ ରହିବ।

ତେଣୁ ନଭେମ୍ବର ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଉଦ୍ୟମ ହେବ ବୋଲି ଜଣାପଡ଼ୁଛି। ବର୍ତମାନ ସ୍ଥିତିକୁ ଦେଖିଲେ ପଦ୍ମପୁର ଉପନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ସିଧା ଟକ୍କର ହେବ। ପଞ୍ଚାୟତନ ନିର୍ବାଚନରେ ଏହାର ଝଲକ ଦେଖିବାକୁ ମିଳିଥିଲା। ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ଚିତ୍ର ଦେଖିବାକୁ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ବିଜୟୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ ହାର ବୃଦ୍ଧି ପାଇବା ସହ ୪ଟି ଜିଲ୍ଲା ପରିଷଦ ଆସନ ହାତେଇବାରେ ସକ୍ଷମ ହୋଇଛି।  ଉଲ୍ଳେଖଯୋଗ୍ୟ ଯେ, ୨୦୧୯ରେ ପଦ୍ମପୁର ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଜଂନ ସିଂ ବରିହାଙ୍କୁ ୯୩୨୯୯ ଭୋଟ୍‌ ମିଳିଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫ ଭୋଟ୍‌ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୩୨୭୮୭ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ତେବେ ଗତ ପଞ୍ଚାୟତ ନିର୍ବାଚନରେ ଏହି ବିଧାନସଭାମଣ୍ଡଳୀ ଅଧୀନରେ ଥିବା ଆଠଟି ଜୋନ୍‌ରୁ ବିଜେପି  ୪ଟିରେ ବିଜୟ ଲାଭ କରି ଭୋଟକୁ ମଧ୍ୟ ବିଜେଡିର ସମାନ ସ୍ତରକୁ ଆଣିବାରେ ସଫଳ ହୋଇଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର  ଜୋନ-୧ରେ ବିଜେଡି ୯୮୮୨, ବିଜେପି  ୧୦୦୧୧ ଓ କଂଗ୍ରେସ ୭୪୧, ଜୋନ-୨ରେ ବିଜେଡି ୧୩୧୦୬, ବିଜେପି ୧୦୨୫୧ ଓ କଂଗ୍ରେସ ୧୧୨୫, ଜୋନ-୩ ରେ ବିଜେଡି ୧୦୧୦୪, ବିଜେପି ୧୩୧୮୩ ଓ କଂଗ୍ରେସ ୧୫୩୬, ପାଇକମାଳ ଜୋନ୍‌-୧ରେ ବିଜେଡି ୮୩୯୩, ବିଜେପି ୮୯୭୮ ଓ କଂଗ୍ରେସ ୨୨୧୫, ଜୋନ୍‌-୨ରେ ବିଜେଡି ୧୦୪୯୩, ବିଜେପି ୧୦୫୫୯ ଓ କଂଗ୍ରେସ ୧୬୪୪, ଜୋନ-୩ରେ ବିଜେଡି ୧୨୧୫୩, ବିଜେପି ୧୧୧୬୩ ଓ କଂଗ୍ରେସ ୧୩୬୦  ଏବଂ ଝାରବନ୍ଧ ଜୋନ-୧ରେ ବିଜେଡି ୧୧୪୧୧, ବିଜେପି ୧୦୬୮୫ ଓ କଂଗ୍ରେସ ୨୫୦୩ , ଜୋନ-୨ରେ ବିଜେଡି ୧୨୪୬୯, ବିଜେପି ୭୩୭୫ ଓ କଂଗ୍ରେସ ୧୭୮୫ ଭୋଟ ପାଇଥିଲା।

ଏହି ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାପଡୁଛି, ପଞ୍ଚାୟତ ନିର୍ବାଚନରେ ବିଜେଡି ୮୮୦୧୧ ଭୋଟ ପାଇଥିବା ବେଳେ ବିଜେପି ମଧ୍ୟ ୮୨ ହଜାରରୁ ଅଧିକ ଭୋଟ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ ବିଧାନସଭା ନିର୍ବାଚନ ଠାରୁ କମ୍ ଭୋଟ ପାଇ ପ୍ରାୟ ୧୨୯୦୯କୁ ଖସି ଆସିଛି। ତେଣୁ ପଦ୍ମପୁରରେ ବିଜେଡି ଏବଂ ବିଜେପି ମଧ୍ୟରେ ସିଧା ଟକ୍କର ହେବ ବୋଲି ପୂର୍ବାନୁମାନ ରହିଛି। ଏଭଳି ସ୍ଥିତିରେ ପଲା କାହା ପଟେ ଭାରି ରହିଛି, ତାହା ଏବେଠୁ ପୁର୍ବାନୁମାନ କରିବା ମୁସ୍କିଲ। କାରଣ ବିଜେଡି କାହାକୁ ପ୍ରାର୍ଥୀ ଦେବ, ତାହା ଚର୍ଚ୍ଚାରେ ହିଁ ସୀମିତ ରହିଛି। କିନ୍ତୁ ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ହିଁ ମଇଦାନରେ ଓହ୍ଲାଇବା ନିଶ୍ଚିତ। ଶ୍ରୀ ପୁରୋହିତଙ୍କ ବିକଳ୍ପ ଚେହେରା ବି ବର୍ତମାନ ସାମନାକୁ ଆସିନାହାନ୍ତି। ଏହାବାଦ୍‌ ତାଙ୍କ ଅଭିଜ୍ଞତା ଏବଂ ପୂର୍ବ ନିର୍ବାଚନ ପରିଚାଳନା ମାନଦଣ୍ଡକୁ ଦେଖି ଶ୍ରୀ ପୁରୋହିତ ହିଁ ଏକମାତ୍ର ଟିକଟ୍‌ ଦାବିଦାର ରହିବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର