ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

ବାଲିଅନ୍ତା : ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବା ସହ ବଜାରରେ ଅନ୍ୟ ଦୁଗ୍ଧଜାତ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଛେନାଦର ବୃଦ୍ଧି ପାଇବା ଫଳରେ ପାହାଳ ମିଠା ବ୍ୟବସାୟ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ମିଠାଦର ବୃଦ୍ଧି ନେଇ ପାହାଳ ରସଗୋଲା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି (ପ୍ରେମ୍ସ) ପକ୍ଷରୁ ବୁଧବାର ବଜାରର ସମସ୍ତ ମିଠା ଦୋକାନ ବନ୍ଦ ରହିଥିଲା। ଗୁରୁବାର ମଧ୍ୟ ବଜାରର ସମସ୍ତ ମିଠା ଦୋକାନ ବନ୍ଦ ରହିବ ବୋଲି ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କା ‌ସୂଚନା ଦେଇଛନ୍ତି।

ଏନେଇ ଆଜି ପୂର୍ବାହ୍ନରେ ଛେନା ଯୋଗାଣକାରୀ ମଦନମୋହନ ବ୍ୟବସାୟୀ ସଂଘ ଓ ପାହାଳ ମିଠା ବ୍ୟବସାୟୀ ସଂଘର ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ନେଇ ପ୍ରେମ୍ସ ସଭା କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଶ୍ରୀ ଲେଙ୍କା ସଭାପତିତ୍ବ କରିଥିଲେ। ବୈଠକରେ ମଦନମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସଭାପତି ଧ୍ରୁବ ଚରଣ ବେହେରା, ସଂପାଦକ ବିପ୍ଳବ ଯାଦବ, ନିରଞ୍ଜନ ବେହେରା, ପ୍ରାଚୀ ବ୍ୟବସାୟୀ ସଂଘର ସଂପାଦକ ଶରତ ଚନ୍ଦ୍ର ବେହେରାଙ୍କ ସମେତ ଦୁଃଶାସନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛେନା କିଲୋ ପିଛା ଆଉ ଅଧିକ ୧୫ ଟଙ୍କା ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଆସନ୍ତାକାଲି ପାହାଳ ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ମିଠାର କିଲୋ ପିଛା ଦର ସ୍ଥିର ହେବ ବୋଲି ସଂଘର ସଭାପତି ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର