ରାଜନଗର: କାଶ୍ମୀର ବୁଲିବାକୁ ଯାଇଥିବା ରାଜନଗରର ଏକ ଦମ୍ପତି ମରଣମୁହଁକୁ ଯାଉଯାଉ ବର୍ତ୍ତି ଯାଇଛନ୍ତି। ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ କୁନ୍ଦୁପୁର ଗାଁର ଅମିୟ ରଞ୍ଜନ ତ୍ରିପାଠୀ ଓ ତାଙ୍କ ପତ୍ନୀ ଆଶାରାଣୀ ଦାଶ ଗଲା ୧୯ ତାରିଖରେ କାଶ୍ମୀର ବୁଲିବାକୁ ଯାଇଥିଲେ। ସେମାନେ ୨୧ ତାରିଖ ଯାଏଁ ଶ୍ରୀନଗରରେ ଥିଲେ। ଯେଉଁଦିନ ଆତଙ୍କବାଦୀ ବର୍ବରକାଣ୍ଡ ଘଟାଇଥିଲେ ଅର୍ଥାତ୍ ୨୨ ତାରିଖ ଦିନ ପ୍ରାୟ ୧୨ଟା ସମୟରେ ସେମାନେ ବେଲଗାମରେ ପହଞ୍ଚିଥିଲେ। ପାହାଡ଼ ତଳେ ବେଲଗାମ ରହିଥିବା ବେଳେ ପାହାଡ଼ ଉପରେ ପହଲଗାମ। ପହଲଗାମ ଯିବା ପାଇଁ ୪ କିମି ଉଚ୍ଚ ପାହାଡ଼ ଚଢ଼ିବାକୁ ହୁଏ।
ପର୍ଯ୍ୟଟକମାନେ ଚାଲି ଚାଲି କିମ୍ବା ଘୋଡ଼ାରେ ପହଲଗାମ ଯାଇଥା’ନ୍ତି। ସେଦିନ ଅମୀୟ ଓ ତାଙ୍କ ପତ୍ନୀ ବେଲଗାମରେ ପହଞ୍ଚିବା ପରେ ଘୋଡ଼ା ମାଲିକମାନେ ସେମାନଙ୍କୁ ପହଲଗାମ ନେବାକୁ ଘେରି ଯାଇଥିଲେ। କିନ୍ତୁ ସେମାନେ ପ୍ରଥମେ ଚନ୍ଦନବାଡ଼ି ବୁଲିବାକୁ ଯିବେ ଏବଂ ପରେ ପହଲଗାମ ଯିବାକୁ ନିଷ୍ପତ୍ତି ନେଇ ଚନ୍ଦନବାଡ଼ି ଆଡକୁ ଚାଲି ଯାଇଥିଲେ। କିଛି ସମୟ ପରେ ତାଙ୍କ ଟ୍ୟାକ୍ସି ଡ୍ରାଇଭର ତାଙ୍କୁ ଫୋନ୍ କରି ଗୁଳିକାଣ୍ଡ ହୋଇଛି, ଶୀଘ୍ର ଚାଲି ଆସିବାକୁ କହିଥିଲେ। ସେମାନେ ଫେରି ଆସିବା ବେଳକୁ ବେଲଗାମର ଦୋକାନବଜାର ସବୁ ବନ୍ଦ ହେଇଯାଇଥିଲା। ଦିନ ପ୍ରାୟ ୩ଟା ୧୫ ବେଳକୁ ଯବାନମାନେ ପର୍ଯ୍ୟଟକଙ୍କୁ ବେଲଗାମର ହସ୍ପିଟାଲକୁ ନେଉଥିବାର ଦେଖିଥିଲେ। ସେମାନେ ସେଦିନ ରାତିରେ ବେଲଗାମର ହୋଟେଲରେ ରହିଲେ। ଜଣେ ଓଡ଼ିଆ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ସଂପର୍କରେ ସେମାନେ ହୋଟେଲରେ ଜାଣିବାକୁ ପାଇଥିଲେ। ସେମାନଙ୍କୁ ସେଦିନ ଆଉ ହୋଟେଲ ବାହାରକୁ ଛଡ଼ା ଯାଇନଥିଲା। ୨୩ ତାରିଖ ସକାଳ ୮ଟାରେ ବେଲଗାମ ଛାଡ଼ି ଦିଲ୍ଲୀ ଆସିଥିବା ବେଳେ ଆଜି ଗାଁକୁ ଫେରିଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ ସେମାନେ ସେଦିନ ପ୍ରଥମେ ପହଲଗାମ ନଯାଇ ଚନ୍ଦନବାଡ଼ି ଚାଲିଯିବାରୁ ଜୀବନ ରକ୍ଷା ହୋଇଗଲା ବୋଲି ଅମିୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/25/gNHkLJKJxPRYO3t7M3pt.jpg)