ଶ୍ରୀଜିଉଙ୍କ ନୀତିକାନ୍ତି ପରେ ଗୋଟି ପହଣ୍ଡି ଜାରି, ଶରଧାବାଲିରୁ ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ ଶ୍ରୀଜିଉମାନେ ଗତକାଲି ଠାରୁ ପହଂଚି ସାରିଛନ୍ତି । ଆଉ ଅଳ୍ପ ସମୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁବଦ୍ରାଙ୍କ ସହିତ ଜନ୍ମବେଦୀରେ ପହଂଚିବେ । ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରଥ ଉପରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ପରେ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି ।

ଆଜି ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ଶେଷ ହେବା ପରେ ଗୋଟି ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ମଦନମୋହନଙ୍କ ପହଣ୍ଡି ହୋଇଥିଲା । ପରେ ସୁଦର୍ଶନଙ୍କର ପହଣ୍ଡି ହୋଇଥିଲା । ସେହିପରି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ର ଓ ଶ୍ରୀଜଗନ୍ନାଥ ମଧ୍ୟ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ପହଂଚିବେ । ଶ୍ରୀଜିଉମାନେ ଜଣକ ପରେ ଜଣେ ଜନ୍ମବେଦୀରେ ପହଂଚିବେ । ଏଥି ପାଇଁ ସେବାୟତମାନେ ନିୟୋଜିତ ହୋଇଛନ୍ତି ।

ସୂଚନାଯୋଗ୍ୟ ସେବାୟତମାନଙ୍କର ଦ୍ୱାରା ଆଜି ଦିନ ସାରା ରଥ ଉପରେ ନୀତିକାନ୍ତି କରାଯାଇଥିଲା । ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଅର୍ପଣ କରାଯାଇଥିଲା । କୋଭିଡ-୧୯ କଟକଣା ଯୋଗୁଁ ପୁରୀରେ ସାଧାରଣ ଭକ୍ତଙ୍କୁ ଶରଧାବାଲିକୁ ବାରଣ ହୋଇଥିଲା । ଆଶାଢ଼ ଶୁକ୍ଲପକ୍ଷ ଦ୍ୱିତୀୟ ତିଥି (୨୦୨୧ ମସିହା ଜୁଲାଇ ୧୨)ରେ ମହାପ୍ରଭୁ ୯ ଦିବସୀୟ ଯାତ୍ରାରେ ବାହାରିଥିଲେ । ଏହି ଅବସରରେ ଗତକାଲି ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ୭ଟାରୁ ଧାଡ଼ି ପହଣ୍ଡି ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଏହା ଶେଷ ହୋଇଥିଲା । ଦିନ ୧୨ଟାରେ ରଥଟଣା କାର୍ଯ୍ୟ ହୋଇଥିଲା । ସନ୍ଧ୍ୟା ପୂର୍ବରୁ ତିନି ରଥ ଶରଧାବାଲିରେ ପହଂଚି ସାରିଥିଲା ।

ସମ୍ବନ୍ଧିତ ଖବର