ସଅଳ ହେଲା ପହଣ୍ଡି: ଗଜବେଶରେ ସାଆନ୍ତେ

୧୦୮ ଗରା ସୁବାସିତ ଜଳରେ ସ୍ନାନକଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଖରାବର୍ଷାର ଲୁଚକାଳି ଖେଳ ଭିତରେ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ସହ ଅଗଣିତ ଭକ୍ତଙ୍କୁ ଗଜବେଶରେ ସ୍ନାନବେଦିରୁ ଦର୍ଶନ ଦେଇଛନ୍ତି ଭାବବିନୋଦିଆ କାଳିଆ ସାଆନ୍ତ। ସାଙ୍ଗରେ ଭଉଣୀ ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ବି ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ମହାପ୍ରଭୁଙ୍କୁ ଏତେ ପାଖରୁ ପାଇ ଭକ୍ତ ଭାବବିହ୍ବଳ ହୋଇ ଝରାଇଥିଲେ ଆନନ୍ଦାଶ୍ରୁ। ଭକ୍ତର ମନ ବୁଝି ମହାପ୍ରଭୁ ମଧ୍ୟ ବର୍ଷାର ଆଶିଷ ଢାଳିଥିଲେ। ପ୍ରାତଃକାଳରୁ ଅପେକ୍ଷାରତ ଭକ୍ତ ବି ବର୍ଷାର ଶୀତଳ ସ୍ପର୍ଶ ପରେ ଭକ୍ତିଭାବରେ ଭିଜିଥିଲେ ଓ ନାଚିଥିଲେ। ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ଆଜି ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ଏହି ଅପୂର୍ବ ମିଳନ ଅଭିଭୂତ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ କୋଳାହଳରେ ଭରି ଉଠିଥିଲା
ବଡ଼ଦାଣ୍ଡ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ଅଧିବାସିତ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଲକ୍ଷାଧିକ ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେବା ସହ ଢାଳିଛନ୍ତି ଅପାର କରୁଣା ଓ ଆଶିଷ। ଭକ୍ତ ବି ଅପଲକ ନୟନରେ ମହାବାହୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଲଭିଛନ୍ତି ଆତ୍ମତୃପ୍ତି, ଅପାର ଆନନ୍ଦ। ବଡ଼ଠାକୁର ଶ୍ରୀବଳଭଦ୍ର ଧଳା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ କଳା ରଙ୍ଗର ଗଜବେଶ ସହ ଶଙ୍ଖ, ଚକ୍ର, ହଳ, ମୁଶଳ ଆଦି ଆୟୁଧ ଧରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦେବୀ ସୁଭଦ୍ରା ତରାସ, ଛତି, ଆଡ଼କାନି, ଚିତା ଆଦିରେ ଭୂଷିତ ହୋଇଥିଲେ। ପ୍ରଭୁ ସୁଦର୍ଶନ ବି ନୀଳଚକ୍ର, ଛତି ଆଦିରେ ଭୂଷିତ ହୋଇଥିଲେ।

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର୍‌ ୫ଟା ୧୦ରେ ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ଭୋର ୫ଟା ୨୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରିଥିଲେ। ସାତ ପାହାଚଠାରେ ମସ୍ତକରେ ଟାହିଆ ବନ୍ଧା ନୀତି ସମ୍ପନ୍ନ ହୋଇଥିଲା। ସକାଳ ୭ଟା ୪୫ ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ସକାଳ ୭ଟା ୫୦ରେ ରୁନ୍ଧ‌ା ଶେଷ ପରେ ୮ଟା ୧୫ରେ ମଦନମୋହନ ସ୍ନାନବେଦିକୁ ବିଜେ କରିଥିଲେ। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି ବେଶ, ଅଧରପୋଛା, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଜଳଛେକ ବିଜେ ନୀତି ଆରମ୍ଭ ହୋଇଥିଲା। ୧୧ଟା ୫୦ରେ ଜଳପୂଜା ପରେ ଅପରାହ୍ଣ ୧ଟା ୧୦ରେ ମହାପ୍ରଭୁଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଥିଲା। ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ। ଶ୍ରୀମନ୍ଦିର ଉତ୍ତରଦ୍ୱାର ମା’ ଶୀତଳାଙ୍କ ମନ୍ଦିର ନିକଟ ସୁନାକୂଅରୁ ସୁନା ଗୋ‌ସେଇଁ, ଗରାବଡ଼ୁ ସେବକମାନେ ଆଣିଥିବା ୧୦୮ ଗରା ଜଳକୁ ଚାହାଣି ମଣ୍ଡପ ନିକଟ ଅଧିବାସ ଘରେ ଚନ୍ଦନ, ଚୁଆ ଆଦି ପକାଇ ଅଧିବାସ ପରେ ଏହି ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା।

ଗରାବଡ଼ୁ ସେବକମାନେ ଯୋଗାଇ ଦେଇଥିବା ଜଳକୁ ପୂଜାପଣ୍ଡା ସେବକମାନେ ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜିଉଙ୍କୁ ସ୍ନାନ କରାଇଥିଲେ। ବଡ଼ଠାକୁର ଶ୍ରୀବଳଭଦ୍ର ୩୩ ଗରା, ମହାପ୍ରଭୁ ଶ୍ରୀଜଗନ୍ନାଥ ୩୫ ଗରା, ଦେବୀ ସୁଭଦ୍ରା ୨୨ ଗରା ଓ ପ୍ରଭୁ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଥିଲେ। ଜଳଲାଗି ଶେଷ ପରେ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା। ନୂଆଲୁଗା ପିନ୍ଧି ବେଶ ହୋଇଥିଲା। ଅପରାହ୍ଣ ୨ଟା ୩୫ରୁ ୩ଟା ୧୦ ଭିତରେ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ନୀତି ସମ୍ପନ ହେବା ପରେ ୩ଟା ୨୦ରୁ ଗଜବେଶ ଆରମ୍ଭ ହୋଇଥିଲା। ସାଢ଼େ ୪ଟା ସୁଦ୍ଧା ଗଜବେଶ ଶେଷ ହୋଇଥିଲା। ଏହାପରେ ଚତୁର୍ଦ୍ଧାମୂ୍ର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ବିଳମ୍ବିତ ରାତିରେ ବେଶ ଓଲାଗି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରିଛନ୍ତି।

ସମ୍ବନ୍ଧିତ ଖବର