ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ମହାପ୍ରଭୁ, ରଥରେ ବିରାଜିଲେ ଶ୍ରୀସୁଦର୍ଶନ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରଥଯାତ୍ରା ନୀତି ଗୁଡ଼ିକ ସୁପରିଚାଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଜାରି ରହିଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଜି ଭୋର ସକାଳ ୪ଟା ୩୦ରୁ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସକାଳ ୫ଟାରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ କାର୍ଯ୍ୟ କରିଥିଲେ । ଏହା ପରେ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ କରାଯାଇଥିଲା । ସକାଳ ୬ଟା ୩୦ରୁ ୭ଟା ୩୦ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସକାଳ ସାଢ଼େ ୮ଟାରେ ପହଣ୍ଡି ଆରମ୍ଭ ହେବାର ଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଛି । ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପହଣ୍ଡି ଶେଷ ହେବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟା ୪୫ରୁ ଅପରାହ୍ନ ୨ଟା ମଧ୍ୟରେ ଛେରାପହଁରା ନୀତି ହେବ । ଅପରାହ୍ନ ୩ଟାରେ ତିନି ରଥକୁ ସିଂହଦ୍ୱାର ଚକଡ଼ା ଠାରୁ ଶରଧାବାଲି ଅଭିମୁଖେ ସେବାୟତମାନେ ଟାଣି ଟାଣି ନେବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ କୋଭିଡ କଟକଣା ଭିତରେ ପୁରୀରେ ରଥଯାତ୍ରାର ଆୟୋଜନ ହେଉଛି । ଭକ୍ତଙ୍କୁ ବଡ଼ଦାଣ୍ଡ ବାରଣ ହୋଇଛି । ତେଣୁ ସେବାୟତମାନେ ହିଁ ରଥକୁ ଟାଣିବେ । ପୁରୀରେ ଗତକାଲି ରାତି ୮ଟାରୁ କର୍ଫ୍ୟୁ ଲାଗୁ ହୋଇଛି । ଏହା ଆସନ୍ତାକାଲି ରାତି ୮ଟା ଯାଏଁ ଜାରି ରହିବ । ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭକ୍ତମାନେ ରଥଯାତ୍ରାକୁ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖୁଛନ୍ତି ।

ସମ୍ବନ୍ଧିତ ଖବର