ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି। ଇତିମଧ୍ୟରେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଯାଇଛି। ଏଣେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଛି। ଏହାପରେ ମାତା ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡି ହେବ।

Advertisment

ମଙ୍ଗଳବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ସରିଥିଲା। ବେଶ ଶେଷ ହୋଇ ୮ଟାରୁ ୯ଟା ଖେଚୁଡ଼ି ଭୋଗ ହୋଇଥିଲା। ଏହାପରେ ରଥ ପ୍ରତିଷ୍ଠା ହୋଇଥିଲା। ମଙ୍ଗଳାର୍ପଣ ପରେ ଖୁଣ୍ଟିଆ ‘ମଣିମା’ ଡାକ ଦେବା ସହିତ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଛି। ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି।

publive-image

ଏବେ ଠାରୁ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି। ସଂକୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ। ଭାବପ୍ରବଣ ଭକ୍ତଙ୍କ ଭିତରୁ କେତେକ ଭିନ୍ନ ଭିନ୍ନ ଭଙ୍ଗୀରେ ନୃତ୍ୟ କରୁଛନ୍ତି, ଯାହା ମଧ୍ୟ ଅନ୍ୟତମ ଆକର୍ଷଣ ପାଲଟିଛି। ରଥ ସମ୍ମୁଖରେ ନୃତ୍ୟରେ ନିମଗ୍ନ ନୃତ୍ୟଶିଳ୍ପୀଙ୍କୁ ଦେଖିଲେ  ଯେ କେହି ଜାଣିପାରିବେ ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ।

ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।୧୮୭ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।