ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଉଁଶ କାରିଗର କହିଲେ କେବଳ ପହରିଆ ସଂପ୍ରଦାୟକୁ ବୁଝାଏ। ଏମାନଙ୍କୁ ଆହୁରି ମଧ୍ୟ କମାର ବୋଲି କୁହାଯାଏ। ଏମାନେ ବଣପାହାଡ଼ ଘେରା ନିକାଞ୍ଚନ ସ୍ଥାନରେ ରହିବାକୁ ଭଲପାଆନ୍ତି। ସେମାନଙ୍କର କାମ କେବଳ ବାଉଁଶରେ ବିଭିନ୍ନ ଜିନିଷ ତିଆରି କରି ବିକ୍ରି କରିବା। ସେମାନେ ମୂଳ ଆଦିବାସୀ ହୋଇଥିଲେ ସୁଦ୍ଧା ସରକାର ସେମାନଙ୍କୁ ଓଡ଼ିଶା ସରକାର ଆଦିବାସୀ ମାନ୍ୟତା ଆଜିସୁଦ୍ଧା ଦେଇପାରିନାହାନ୍ତି। ଏପରିସ୍ଥିତିରେ ବର୍ତ୍ତମାନ ପହରିଆ ସଂପ୍ରଦାୟ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚଳିତ ମାସ ୧୩ ତାରିଖ ଦିନ ସୁନାବେଡ଼ା ଅଭୟାରଣ୍ୟରେ ବାସ କରୁଥିବା ପହରିଆମାନେ ସେମାନଙ୍କ ଓଡ଼ିଶା ସରକାର ଆଦିବାସୀ ମାନ୍ୟତା ନଦେଲେ ଶେଷରେ ଛତିଶଗଡ଼ରେ ମିଶିବୁ ଓ ଆଦିବାସୀର ମାନ୍ୟତା ପାଇବୁ ବୋଲି ପହରିଆମାନେ ଓଡ଼ିଶା ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ଏପରି ସେମାନଙ୍କର ତିଆରି ବାଉଁଶ ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ସରକାର କୌଣସି ପ୍ରକାଶ ପ୍ରୋତ୍ସାହନ ଦେଉନଥିବାରୁ ସେମାନେ ନିଜନିଜ ଭିଟାମାଟି ଛାଡ଼ି ଛତିଶଗଡ଼ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଛତିଶଗଡ଼ ସରକାର ସେମାନଙ୍କୁ ସରକାର ଆଦିବାସୀର ମାନ୍ୟତା ଦେଇଛନ୍ତି। ତାସହିତ ଆଦିବାସୀମାନେ ବାଉଁଶ କାରିଗରଙ୍କୁ ମଧ୍ୟ ଛତିଶଗଡ଼ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଅପରପକ୍ଷେ ଓଡ଼ିଶା ସରକାର ପହରିଆମାନଙ୍କୁ ଓବିସି ରୂପେ ମାନ୍ୟତା ଦେଇଛନ୍ତି। ବିଭିନ୍ନ ସମୟରେ ଆନ୍ଦୋଳନ କରିବାପରେ ପଛୁଆବର୍ଗ ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ମାନ୍ୟତା ଦିଆଯାଇ ନାହିଁ। ଛତିଶଗଡ଼ ସରକାର ଆଦିବାସୀ ମାନ୍ୟତା ଦେବା ସହ ପହରିଆ ଉନ୍ନୟନ ସଂସ୍ଥା ନାମରେ ଏକ ସଂସ୍ଥା ଗଠନ କରିଛନ୍ତି। ଆଦିବାସୀ ମାନ୍ୟତା ପାଇବାପରେ ସେମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ମିଳୁଛି। କିନ୍ତୁ ଓଡ଼ିଶା ସରକାର ସେମାନଙ୍କୁ ଆଡ଼ ଆଖିରେ ମଧ୍ୟ ଦେଖୁ ନାହାନ୍ତି। ଏହି ପହରିଆ(କମାର)ମାନେ ନୂଆପଡ଼ା ଜିଲ୍ଲାରେ ବହୁ ସଂଖ୍ୟାରେ ବସବାସ କରନ୍ତି। ଏମାନଙ୍କ ସଂଖ୍ୟା ଜିଲ୍ଲାରେ ପ୍ରାୟ ୫ ହଜାର ହେବ। ଏହି ଜିଲ୍ଲାର ବୋଡ଼େନ ବ୍ଳକରେ ସବୁଠାରୁ ଅଧିକ ପହରିଆ ବସବାସ କରିବା ସହ ଏମାନେ ସାଧାରଣତଃ ଜଙ୍ଗଲରେ ରହନ୍ତି। ଏମାନଙ୍କର ଖାଦ୍ୟ କନ୍ଧାମୂଳ, ମାଣ୍ତିଆ, ଜଙ୍ଗଲ ଶାଗ। ବାଉଁଶରେ ସୁନ୍ଦର ସାମଗ୍ରୀ ତିଆରି କରୁଥିଲେ ମଧ୍ୟ ବଜାରର ସୁବିଧା ନଥିବାରୁ ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରି ଦେଇଥାନ୍ତି। ସେପରି ଜଙ୍ଗଲ ରାସ୍ତାରେ ସାମଗ୍ରୀଧାରୀ ବଜାରକୁ ଯିବା କଷ୍ଟକର ହୋଇଥାଏ।
ବାଉଁଶ ପାଇଁ ସେମାନଙ୍କ ଉପରେ ଜଙ୍ଗଲ ବିଭାଗ ହିଁ ଜୁଲୁମ କରିଥାଏ। ଏମାନଙ୍କ ନାମରେ ଜମି ନାହିଁ, ରେସନ କାର୍ଡ ଏମାନଙ୍କ ଲାଗି ସ୍ବପ୍ନ। ଛତିଶଗଡ଼ରେ ଆଦିବାସୀ ମାନ୍ୟତା ସହ ସବୁ ସୁବିଧା ମିଳିଥିବାରୁ ପହରିଆମାନେ ଏବେ ଛତିଶଗଡ଼ ମୁହାଁ ହୋଇଯାଇଛନ୍ତି। ପ୍ରାୟ ଜିଲ୍ଲାରୁ ୨୦ ଭାଗ ପହରିଆ ବର୍ତ୍ତମାନ ଛତିଶଗଡ଼କୁ ଯାଇ ରହିଗଲେଣି, ଯାହା ପହରିଆ ସଂପ୍ରଦାୟର ବୃଦ୍ଧମାନେ କହିଛନ୍ତି।
ଛତିଶଗଡ଼ ରାଜ୍ୟର ମାଟୁରତାର ଝରାଗାଁର ଜଣେ ଝିଅ କାଠଫାର ଗ୍ରାମକୁ ବୋହୂହୋଇ ଆସିଥିଲେ। ସେ ଛତିଶଗଡ଼ରେ ଆଦିବାସୀ ଥିବା ବେଳେ ଏଠାରେ ଏବେ ଓବିସି ହୋଇଗଲେ। ସେପରି ବୋଡ଼େନ ବ୍ଳକ ଥିପାଖୋଲ ଗ୍ରାମର ରାଜମନ ପହରିଆ ଛତିଶଗଡ଼କୁ ଯାଇ ଆଦିବାସୀ ହୋଇଛନ୍ତି। ତା’ସହିତ ସଂରକ୍ଷିତ ଆସନରୁ ଆମିଲଗାଁରେ ୱାର୍ଡମେମ୍ବର ମଧ୍ୟ ହୋଇପାରିଛନ୍ତି। ପଡ଼ୋଶୀ ରାଜ୍ୟରେ ପହରିଆମାନେ ଆଦିବାସୀ ହୋଇ ସମସ୍ତ ସୁବିଧା ପାଉଥିବା ବେଳେ ଓଡ଼ିଶାରେ ସେମାନେ ଉପେକ୍ଷିତ ହୋଇଛନ୍ତି। ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। ପହରିଆ ସଂପ୍ରଦାୟ ସଂଖ୍ୟା କମ ହେତୁ ରାଜ୍ୟ ସରକାର ମଧ୍ୟ ଦୃଷ୍ଟି ଦେଉନାହାନ୍ତି। ଏଯାଏଁ ସେମାନଙ୍କୁ ଉପେକ୍ଷିତ କରି ରଖିଛନ୍ତି। ସେମାନେ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସୁବିଧା ପାଇ ପାରୁନାହାନ୍ତି। ଏଥିଲାଗି ସେମାନଙ୍କର ବିକାଶ ହୋଇପାରୁନାହିଁ ବୋଲି ପହରିଆ ସଂପ୍ରଦାୟ ଲୋକମାନେ ଅଭିଯୋଗ କରିଛନ୍ତି।