ପୁରୀ : ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପହିଲି ଭୋଗ ନୀତି ଆରମ୍ଭ ହେଉଛି। ସଅଳ ନୀତି ସାଙ୍ଗକୁ ସଅଳ ଅବଢ଼ା ବି ବାହାରିବ। ଏ ନେଇ ଆଜି ଛତିଶା ନିଯୋଗ ସବୁଥିରେ ମୋହର ମାରିଛି। ନିର୍ଘଣ୍ଟ ନୀତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ପାଇଁ ପ୍ରତ୍ୟହ ରାତି ୩ଟାରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ଏବଂ ରାତି ୧୧ଟାରେ ପହୁଡ଼ ହେବ। କେବଳ ଡିସେମ୍ବର ୩୧ରେ ସଅଳ ପହୁଡ଼ ଓ ନୂଆବର୍ଷ ଦିନ ସଅଳ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ଡିସେମ୍ବର ୩୧ ରାତି ସାଢ଼େ ୯ଟାରେ ପହୁଡ଼ ହୋଇ ରାତି ୨ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ଆଜି ଛତିଶା ନିଯୋଗ ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
/sambad/media/post_attachments/wp-content/uploads/2018/12/chatisa-nijoga-baithaka-1-300x94.jpg)
ଶନିବାର ସଂଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା, ସାଢ଼େ ୩ଟାରେ ଭିତରଶୋଧ, ୩ଟା ୪୫ରେ ମଙ୍ଗଳ ଆଳତି ଓ ରୋଷହୋମ, ଭୋର ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ୫ଟାରେ ଅବକାଶ, ୫ଟା ୪୫ରେ ସୂର୍ଯ୍ୟପୂଜା, ସକାଳ ୬ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୬ଟା ୨୦ରୁ ୬ଟା ୫୦ ଭିତରେ ପହିଲି ଭୋଗ, ସାଢ଼େ ୭ଟାରୁ ୯ଟା ସକାଳ ଧୂପ (କୋଠ ଭୋଗ), ସକାଳ ୯ଟା୨୦ରୁ ୧୦ଟା ମଇଲମ ଓ ବେଶ, ୮ଟା ୪୫ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ପୂର୍ବାହ୍ଣ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ମଧ୍ୟାହ୍ନ ୧୨ଟା ୧୫ରୁ ଅପରାହ୍ଣ ୨ଟା ଦ୍ବିତୀୟ ଭୋଗ ମଣ୍ଡପ, ଅପରାହ୍ଣ ସାଢ଼େ ଗୋଟାଏରେ ଦକ୍ଷିଣି ଘର ଭୋଗ ଶେଷ, ସାଢ଼େ ୨ଟାରେ ଦିବା ପହୁଡ଼, ସାଢ଼େ ୪ଟାରେ ଦ୍ବାରଫିଟା, ସଂଧ୍ୟା ୫ଟାରେ ସଂଧ୍ୟା ଆଳତି, ସଂଧ୍ୟା ୫ଟାରୁ ୬ଟା ମଇଲମ ଓ ବେଶ, ସାଢ଼େ ୬ଟାରୁ ରାତି ୮ଟା ସଂଧ୍ୟା ଧୂପ, ସାଢ଼େ ୮ଟାରେ ମଇଲମ, ରାତି ୯ଟାରେ ଚନ୍ଦନ ଲାଗି, ରାତି ୧୦ଟାରେ ବଡ଼ସିଂହାର ବେଶ, ସାଢ଼େ ୧୦ଟାରେ ବଡ଼ସିଂହାର ଭୋଗ, ୧୦ଟା ୪୫ରେ ଟୋପରଲାଗି ଏବଂ ୧୧ଟାରେ ରାତ୍ର ପହୁଡ଼ ହେବ। ଏହି ବୈଠକରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଆରକ୍ଷୀ ଅଧିକ୍ଷକ ଡା. ସାର୍ଥକ ଷଡ଼ଙ୍ଗୀ, ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କ ସମେତ ଛତିଶାନିଯୋଗର ବିଭିନ୍ନ କର୍ମକର୍ତା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/lord-jagannath.jpg)