ମାଲକାନଗିରି: ଋତୁସ୍ରାବ କଥା ଉଠିଲେ ଏବେ ବି ମହିଳା ହୁଅନ୍ତୁ କି ପୁରୁଷ, ଅନେକ ଲାଗ କରନ୍ତି। ମନଖୋଲି ଏକଥା କହିବାକୁ ପଛଘୁଞ୍ଚା ଦେଉଛନ୍ତି। ରିପୋର୍ଟ ଅନୁଯାୟୀ ରାଜ୍ୟରେ ୫ ଜଣରୁ ଜଣେ ମହିଳା ଅସ୍ବଚ୍ଛ କପଡ଼ା ବ୍ୟବହାର କରୁଛନ୍ତି। ଏହି ଦିବସକୁ କିପରି ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ଯୁବତୀ ଓ ମହିଳାଙ୍କୁ ସଚେତନ କରାଯିବ ସେନେଇ ବଡ଼ିଦିଦିର ଏକ ପ୍ରୟାସ ଆରମ୍ଭ ହୋଇଛି। ବିଶେଷକରି ବଣ୍ଡାଘାଟିରେ ବାସ କରୁଥିବା ଯୁବତୀ ଓ ମହିଳାମାନେ ଅସ୍ବଚ୍ଛ କପଡ଼ା ବ୍ୟବହାର କରନ୍ତି। ତେଣୁ ସେମାନଙ୍କୁ କିପରି ଆଧୁନିକତା ସହ ତାଳ ଦେଇ ଚଳିବେ ଏବଂ ସ୍ବଚ୍ଛତା କଣ ବଡିଦିଦିର ସଦସ୍ୟାମାନେ ବୁଝାଇଥିଲେ।
ଗାଁ ଗାଁ ବୁଲି ବଡି ଦିଦିର ସଦସ୍ୟାମାନେ କିପରି ଋତୁସ୍ରାବ ଦିନ କଣ ପିନ୍ଧିବେ ସେନେଇ ବୁଝାଇଥିଲେ। ଏଥିସହ ପେଡ଼ ବିଷୟରେ ସେମାନଙ୍କୁ ଜ୍ଞାନ ଦେଇଥିଲେ। ବଣ୍ଡାଘାଟିର ବଡପଡ଼ା ଏବଂ ଜାକଲକୁଣ୍ଡିରେ ଦୁଇଟି ପେଡ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଏହି ପେଡ ବ୍ୟାଙ୍କରେ ପେଡଗୁଡ଼ିକ ରହିଥିବ। ମହିଳା ହେଉ କି ଯୁବତୀ ସେମାନେ ଋତୁସ୍ରାବ ସମୟରେ ଏହି ପେଡ ମାଗଣାରେ ଏଠାରୁ ନେଇ ପିନ୍ଧିବେ ବୋଲି କୁହାଯାଇଛି। ଏଥିପାଇଁ ବଡି ଦିଦିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସହଯୋଗ ମିଳୁଛି।
ବଡିଦିଦିର ସଭାନେତ୍ରୀ ଜୟନ୍ତୀ ବୁରୁଦାଙ୍କ ନେତୃତ୍ବରେ ବହୁ ଯୁବତୀ ବଡ଼ିଦିଦି ସଂଗଠନରେ ସାମିଲ ହୋଇ ଆଦିବାସୀ ମହିଳାମାନଙ୍କୁ ସଚେତନ କରାଉଛନ୍ତି। କିଶୋରୀ ବାଳିକା ହେଉ ବା ଗାଉଁଲି ମହିଳା ସମସ୍ତେ କପଡ଼ା ବ୍ୟବହାର କରନ୍ତି। ତେଣୁ ଏହି ସଂଗଠନ ପକ୍ଷରୁ କପଡ଼ା ହଟାଓ, ପେଡ ପିନ୍ଧ ବୋଲି ସ୍ଲୋଗାନ ଦେଉଛନ୍ତି। ୨୦୩୦ ସୁଦ୍ଧା ସରକାର ଘୋଷଣା କରିଛନ୍ତି ଯେ ଋତୁସ୍ରାବ ପାଇଁ କୌଣସି କାର୍ଯ୍ୟ ବନ୍ଦ କରାଯିବ ନାହିଁ। ଗତ ୮ ବର୍ଷ ହେଲା ସରକାର ଏହି ଦିବସକୁ ପାଳନ କରିବା ସହ ମହିଳା ଓ ଯୁବତୀଙ୍କୁ ସଚେତନ କରାଉଛନ୍ତି। ଗ୍ରାମାଞ୍ଚଳରେ ମହିଳା ସଚେତନ ନଥିବାରୁ ଅସ୍ବଚ୍ଛ ରହୁଥିବା ବେଳେ ସହରାଞ୍ଚଳରେ ମହିଳା ବେଶ ସଚେତନ ରହିଛନ୍ତି। ବଡିଦିଦିର ସଦସ୍ୟାମାନଙ୍କ ମଧ୍ୟରୁ ସମ୍ବାରି ବଡନାୟକ, ଚଙ୍କି ବଡ଼ନାୟକ, ଆଦିବାରି ଶିଶା, ଲକ୍ଷ୍ମୀ କିରସାନୀ, ମୁସକାନ କିରସାନୀ ବଣ୍ଡାଘାଟିରେ ଏହି ଦିବସ ପାଳନ ସହ ସଚେତନ କରାଇଛନ୍ତି।